୯ ବର୍ଷରେ ପଞ୍ଜୀକୃତ ହୋଇଛନ୍ତି ୩୦ ହଜାର ଶ୍ରମିକ


ଜଗତ୍‌ସିଂହପୁର ଜିଲା ଶ୍ରମ ବିଭାଗ-୨୦୧୬ରେ ସର୍ବନିମ୍ନ ୩୧୩-ସରକାରଙ୍କୁ ଦିଆଯାଇଛି ଭୁଲ ତଥ୍ୟ -ପଞ୍ଜିକୃତ ଶ୍ରମିକଙ୍କୁ ମିଳୁନି ସହାୟତାଜଗତ୍‌ସିଂହପୁର ଅଫିସ,- କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଏଥିପାଇଁ ଶ୍ରମିକ ଚିହ୍ନଟ କରି ସେମାନଙ୍କ ନାମ ପଞ୍ଜିକରଣ କରାଯାଉଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏହି କାର୍ଯ୍ୟ ଆଶାନୁରୂପ ସଫଳ ହୋଇପାରୁନାହିଁ। ଜିଲା ଶ୍ରମ ବିଭାଗର ଦାୟିତ୍ୱହୀନତା ଯୋଗୁ ୨୦୦୯ରୁ ୨୦୧୭ ଅଗଷ୍ଟ ୧୦ ତାରିଖ ସୁଦ୍ଧା ମାତ୍ର ୨୯,୮୬୮ ଜଣଙ୍କ ନାମ ପଞ୍ଜିକରଣ କରାଯାଇଛି, ଯାହାକି ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ। ବାର୍ଷିକ ପଞ୍ଜିକରଣ ତଥ୍ୟ ଅନୁଧ୍ୟାନ କଲେ ଜଣାଯାଏ ୨୦୧୬ ମସିହାରେ ମାତ୍ର ୩୧୩ ଜଣ ଶ୍ରମିକଙ୍କ ନାମ ପଞ୍ଜିକୃତ ହୋଇଛି।ସୂଚନା ଅନୁଯାୟୀ, ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ଅଫ୍‌ ଲାଇନ୍‌ରେ ପଞ୍ଜିକରଣ କରାଯାଉଥିଲା। ୨୦୧୭ରୁ ଅନ୍‌ଲାଇନ୍‌ ପଞ୍ଜିକରଣ ଚାଲିଛି। ୨୦୦୯ରେ ଜିଲାରେ ୧,୩୮୪ ଜଣଙ୍କ ନାମ ପଞ୍ଜିକରଣ ହୋଇଛି। ସେହିପରି ୨୦୧୦ରେ ୧,୮୪୭, ୨୦୧୧ରେ ୧,୩୧୮, ୨୦୧୨ରେ ୯୪୧, ୨୦୧୩ରେ ୫,୩୦୧, ୨୦୧୪ରେ ୪,୭୨୪, ୨୦୧୫ରେ ୧୦,୮୧୬, ୨୦୧୬ରେ ୩୧୩, ୨୦୧୭ରେ ୩,୨୨୪ ଜଣଙ୍କ ନାମ ପଞ୍ଜିକରଣ କରାଯାଇଛି। ଏହି ପରିସଂଖ୍ୟାନ ଦେଖିଲେ ଜଣାଯାଏ ୯ ବର୍ଷ ଭିତରେ ଏତେ କମ୍‌ ସଂଖ୍ୟକ ଶ୍ରମିକଙ୍କ ନାମ ପଞ୍ଜିକରଣ ହେବା ଆଲୋଚନାର ବିଷୟ ହୋଇଛି। ଏ ସମ୍ପର୍କରେ କେତେଜଣ ଶ୍ରମିକ କହିଛନ୍ତି ଯେ ବିଭାଗ ତରଫରୁ ନାମ ପଞ୍ଜିକରଣ କରାଯିବାରେ ଅହେତୁକ ବିଳମ୍ବ ହେଉଥିଲା। ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପଞ୍ଜିକୃତ କରାଯାଉ ନ ଥିଲା। ଏବେ ନୂଆ ସହକାରୀ ଶ୍ରମ କମିଶନର ଯୋଗଦେବା ପରେ ପରିସ୍ଥିତିରେ ସୁଧାର ଆସିଛି। କେତେକ ଶ୍ରମିକ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାରେ ପଞ୍ଜିକରଣ ଏବଂ ସହାୟତା ରାଶି ବଣ୍ଟନ ସମ୍ପର୍କିତ ତାଲିକା ଦେଖିଲେ ଜଣାଯାଏ, ଆମ ଜିଲାର ସ୍ଥିତି ନୈରାଶ୍ୟଜନକ। ୩୧। ୩।୧୬ରୁ ୧୨।୮।୧୬ ମଧ୍ୟରେ କଟକ ଜିଲାରେ ୧୮,୫୯୦ ଶ୍ରମିକଙ୍କ ନାମ ପଞ୍ଜିକରଣ କରାଯାଇଥିଲା। ସେହିପରି ଯାଜପୁର ଜିଲାରେ ୨୪,୧୨୮ ଏବଂ କେନ୍ଦ୍ରାପଡ଼ା ଜିଲାରେ ୩,୪୩୨ ଜଣଙ୍କ ନାମ ପଞ୍ଜିକୃତ ହୋଇଥିଲା। ଅଥଚ ଏହି ସମୟ ମଧ୍ୟରେ ଜଗତ୍‌ସିଂହପୁର ଜିଲାରେ ମାତ୍ର ୩ ଜଣଙ୍କ ନାମ ପଞ୍ଜିକୃତ ହୋଇଥିବା ଦର୍ଶାଯାଇଛି। ବାସ୍ତବରେ କିନ୍ତୁ ୩୧।୩।୧୬ ସୁଦ୍ଧା ଜିଲାର ଶହସ୍ରାଧିକ ଶ୍ରମିକ ଆବେଦନ କରିଥିଲେ। ଦୁଃଖର କଥା ହେଲା ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଭୁଲ୍‌ ତଥ୍ୟ ଦିଆଯାଇଥିଲା। ୩୧।୩।୧୬ ସୁଦ୍ଧା ଜିଲାର ଗୋଟିଏ ବି ଦରଖାସ୍ତ ପଡି ରହି ନ ଥିବା ସରକାରୀ ତାଲିକାରେ ଉଲ୍ଲେଖ ଅଛି। ଏଭଳି ଭୁଲ ରିପୋର୍ଟ ଦିଆଯିବା ଦ୍ୱାରା ଶହସ୍ରାଧିକ ଶ୍ରମିକ କ୍ଷତିଗ୍ରସ୍ତ ହୋଇଛନ୍ତି। କାରଣ ଏବେ ରାଜ୍ୟ ସରକାର ଅନଲାଇନ୍‌ରେ ଆବେଦନ ବ୍ୟବସ୍ଥା କରିଛନ୍ତି। ତେଣୁ ପୁରୁଣା ଫର୍ମ ଆବେଦନପତ୍ରଗୁଡିକ ଆଉ କାମରେ ଲାଗିବା ସହଜ ନୁହେଁ। ଶ୍ରମିକମାନେ ପୁଣିଥରେ ଅନଲାଇନ୍‌ରେ ଆବେଦନ କରିବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଆବେଦନ କରିଥିବା ଅନେକ ଶ୍ରମିକ ଇତିମଧ୍ୟରେ ଦୁର୍ବଳ ତଥା ଦୁର୍ଘଟଣା କାରଣରୁ ଆହତ ହୋଇଛନ୍ତି। କେତେଜଣଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଛି। ସେମାନଙ୍କ ନାମ ପଞ୍ଜିକରଣ କରାଯାଇ ନ ଥିବାରୁ ଏହି ପରିବାରଗୁଡିକ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ସେହିପରି ପଞ୍ଜିକୃତ ଶ୍ରମିକମାନଙ୍କୁ ସରକାରୀ ସହାୟତା ମିଳୁନାହିଁ। ତତ୍କାଳୀନ ଜିଲା ଶ୍ରମ ଅଧିକାରୀଙ୍କ ମନ୍ଦ ଉଦ୍ଦେଶ୍ୟ ଯୋଗୁ ଏଭଳି ଘଟିଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ ମଲିକ ଜଗତ୍‌ସିଂହପୁର ଗସ୍ତରେ ଆସିଥିଲେ। ଏହି ସମୟରେ ଜିଲାରେ କିପରି ଶ୍ରମ କାର୍ଯ୍ୟାଳୟ ଚାଲିଛି ସେ ସମ୍ପର୍କରେ ବିଭିନ୍ନ ଶ୍ରମିକ ସଙ୍ଗଠନ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ମନ୍ତ୍ରୀ ତତ୍କାଳୀନ ଏଏଲ୍‌ସି (ଆସିଷ୍ଟାଣ୍ଟ ଲେବର କମିଶନର) ଏବଂ ଜିଲା ଶ୍ରମ ଅଧିକାରୀ (ଡିଏଲ୍‌ଓ)ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେତେବେଳେ ମନ୍ତ୍ରୀ ପଡିରହିଥିବା ଆବେଦନଗୁଡିକ ୨୦୧୫ ଡିସେମ୍ବର ସୁଦ୍ଧା ପଞ୍ଜିକରଣ ଶେଷ କରିବାକୁ କହିଥିଲେ। ଏଥିସହ ଜିଲାସ୍ତରୀୟ ମେଳା କରି ୨୦୧୬ ଜାନୁୟାରୀ ସୁଦ୍ଧା ବିବାହ, ଶିକ୍ଷା, ଯନ୍ତ୍ରପାତି କ୍ରୟ, ସୁରକ୍ଷା ଉପକରଣ, ସାଇକେଲ, ମୃତ୍ୟୁକାଳୀନ ସହାୟତା ଆଦି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଜିଲା ଶ୍ରମ ବିଭାଗ ଅଧିକାରୀଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ। ଏ ସମ୍ପର୍କରେ ଏଏଲ୍‌ସି କୁମୁଦ ଚନ୍ଦ୍ର ଦାସ କହିଛନ୍ତି ଯେ, ସେ ଏଠାରେ ନୂତନ ଭାବେ ଯୋଗ ଦେଇଛନ୍ତି। ସେ ଆସିବା ପରେ ଶ୍ରମିକ ପଞ୍ଜିକରଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ତେବେ ସର୍ଭର ସ୍ଲୋ ଯୋଗୁ ଅନ୍‌ଲାଇନ୍‌ ପଞ୍ଜିକରଣରେ ବିଳମ୍ବ ଘଟୁଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri