ଦିଗପହଣ୍ଡି,୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ବନ୍ଧ ସାହିର ଏ.ବାବା ରାଓଙ୍କ ଝିଅ ଏ.ସୋନାଲି ପାତ୍ର(୩୦) ରବିବାର ଭୋର୍ରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗତ ୨୦୧୯ରେ ସୋନାଲି ଜର୍ମାନୀରେ ଏରୋନେଟିକ୍ ଇଞ୍ଜିନିୟର ଚାକିରି କରୁଥିବା ବ୍ରହ୍ମପୁର ବଡ଼ ବଜାର ଥାନା ପାଣିଗ୍ରାହୀ ପେଣ୍ଠ ଗଣପତି ନଗରର ବଳରାମ ସୁବୁଦ୍ଧିଙ୍କୁ ବିବାହ କରିଥିଲେ। ସ୍ବାମୀ ଓ ଶାଶୁଘର ଲୋକଙ୍କ ଦାବି ଅନୁଯାୟୀ ବିବାହ ସମୟରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ବିବାହର କିଛିଦିନ ହସଖୁସିରେ କଟିବା ପରେ ଅଧିକ ଯୌତୁକ ପାଇଁ ସ୍ବାମୀ, ଶାଶୁ ଓ ଶ୍ବଶୁର ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବାରୁ ସେ ଶାଶୁଘରୁ ଆସି ଦିଗପହଣ୍ଡି ବଡ଼ବନ୍ଧ ସାହିସ୍ଥିତ ବାପଘରେ ରହୁଥିଲେ। ରବିବାର ଭୋର୍ରେ ଘରେ ପରିବାର ଲୋକେ ଶୋଇଥିବା ବେଳେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଅଚେତ୍ ଅବସ୍ଥାରେ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋନାଲିଙ୍କ ବାପା ଏନେଇ ଏତଲା ଦେବା ପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୩୫୮/୨୫ ଅନୁଯାୟୀ ଅଭିଯୁକ୍ତମାନଙ୍କ ନାଁରେ ମୋକଦ୍ଦମା ରୁଜୁ କରି ଥାନା ଏସ୍ଆଇ ସୋଫିଆ ମିଶ୍ରଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ମୃତଦେହକୁ ପୋଲିସ ଜବତ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅପରାହ୍ନରେ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।