ତାଞ୍ଜାନିଆ ନିର୍ବାଚନ: ରାଷ୍ଟ୍ରପତି ଭାବେ ହାସନ ବିଜୟୀ

କାମ୍ପାଲା,୧ା୧୧: ତାଞ୍ଜାନିଆରେ ଅନୁଷ୍ଠିତ ବିବାଦୀୟ ନିର୍ବାଚନରେ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ୯୭ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ପ୍ରଶାସନିକ ରାଜଧାନୀ ଡୋଡୋମାରେ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିର୍ବାଚନ କର୍ତ୍ତୃପକ୍ଷଙ୍କଠାରୁ ବିଜୟ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଜଣେ ମହିଳା ନେତାଙ୍କ ସପକ୍ଷରେ ତାଞ୍ଜାନିଆ ଜନସାଧାରଣ ବହୁଳ ଭାବେ ଭୋଟ ଦେଇଥିବା ଫଳାଫଳରୁ ସ୍ପଷ୍ଟ ହୋଇଛି ବୋଲି ହାସନ କହିଛନ୍ତି। ଏବେ ଏକାଠି ହେବାର ସମୟ ଆସିଛି।

୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ଆମେ ଯାହା ଗଢ଼ିଛେ, ତାକୁ ଧ୍ୱଂସ ହେବାକୁ ଦେବା ନାହିଁ। ଦେଶରେ ଶାନ୍ତି ସୁନିଶ୍ଚିତ କରିବା ଲାଗି ସୁରକ୍ଷା ବଳ ସହ ସାମିଲ ହୋଇ ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ବୋଲି ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ତାଞ୍ଜାନିଆରେ ନିର୍ବାଚନୀ ଅନିୟମିତତାକୁ ନେଇ ବିକ୍ଷୋଭ ବେଳେ ୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବିରୋଧୀ ଦଳ ଦାବି କରିଥିଲା। ରାଷ୍ଟ୍ରପତି ହାସନ୍‌ଙ୍କ ୨ ବଡ଼ ଚ୍ୟାଲେଞ୍ଜରଙ୍କୁ ନିର୍ବାଚନୀ ଦୌଡ଼ରୁ ବାଦ୍‌ ଦିଆଯାଇଥିବାରୁ ଦେଶବ୍ୟାପୀ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ସରକାରୀ ଅଫିସ ଭଙ୍ଗାରୁଜା ଓ ଜଳାପୋଡ଼ା କରିଥିଲେ।