ଗଠନ ହେବ ଗୃହ କମିଟି


ଭୁବନେଶ୍ୱର,୭।୧୨(ବ୍ୟୁରୋ)-ମହାନଦୀ ଜଳ ବିବାଦ ବେଳକୁ ବେଳ ଗୋଳିଆ ହେବାରେ ଲାଗିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରଖିଥିବା ବେଳେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନକୁ ଅଗ୍ରାହ୍ୟ କରିଛନ୍ତି। ଏଭଳି ପରିସ୍ଥିତିରେ ଆଇନର ଆଶ୍ରୟ ଛଡା ଅନ୍ୟ କୌଣସି ବିକଳ୍ପ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ମହାନଦୀ ପ୍ରସଙ୍ଗରେ ଆଗକୁ କି ରଣନୀତି ପ୍ରସ୍ତୁତ କରାଯିିବ ସେ ବିଷୟ ନିର୍ଣ୍ଣୟ କରିବ ବିଧାନସଭା ଗୃହ କମିଟି। ଗୁରୁବାର ବିଧାନସଭା ପରିସରରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବାଚସ୍ପତି ଖୁବ୍‌ଶୀଘ୍ର ଗୃହ କମିଟି ଗଠନ କରିବେ। ଏ ନେଇ ସର୍ବସମ୍ମତ ମତପ୍ରକାଶ ପାଇଛି। ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମହାନଦୀ ସମସ୍ୟା ପାଇଁ ଏକ ଗୃହ କମିଟି ଗଠନ କରାଯିବ। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟ କଡା ସମାଲୋଚନା କରିଛନ୍ତି। ବୁଧବାର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଯେଭଳି ସତ୍ୟପାଠ ଦାଖଲ କଲେ ସେ କେବେ ନିରପେକ୍ଷ ରେଫରି ହୋଇପାରିବେ ନାହିଁ। ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ନ କରିବା ନେଇ କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ବିଧାନସଭାରେ ଝଡ ସୃଷ୍ଟି ହୋଇଥିଲା। ଏହି ବିବାଦର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ଉଭୟ ଶାସକ ଓ ବିରୋଧୀ ଦାବି କରିଥିଲେ। ଗୃହ କାର୍ଯ୍ୟକୁ ସ୍ଥଗିତ କରି ଗୁରୁବାର ଅପରାହ୍ନ ୫ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ, ଭାଜପା ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ, ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ୧ ଘଣ୍ଟା ମାନସମନ୍ଥନ ପରେ ଗୃହ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ମହାନଦୀ ପ୍ରସଙ୍ଗରେ ସବୁ ଦଳ ମିଳିତ ଭାବେ ଲଢେଇ କରିବାକୁ ସଂକଳ୍ପ କରିଛନ୍ତି। ତେବେ ସରକାର ବିରୋଧୀ ଦଳକୁ ସାଙ୍ଗରେ ନେଇ ଏହି ଲଢେଇକୁ କେତେଦୂର ଆଗକୁ ନେବ ସେ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଥିଲେ। ସେଥିରେ ବିଜେଡି ଯୋଗ ଦେଇ ନ ଥିଲା। ଏହାଛଡା ଏହି ପ୍ରସଙ୍ଗରେ ଭାଜପା ସରକାରଙ୍କୁ କେତେଦୂର ସହଯୋଗ କରିବ ତାହା ସମୟ କହିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri