ପୁରୀରେ ଖୋଲାଯାଉ ଭାଷା କେନ୍ଦ୍ର


କଟକ ଅଫିସ, ୭।୧୨- ପୁରୀ ଜଗନ୍ନାଥ ମନ୍ଦିର ତଦନ୍ତ କମିଶନ ଜଷ୍ଟିସ ବିମଳ ପ୍ରସାଦ ଦାସ ଗୁରୁବାର ରାଜ୍ୟ ସରକାରଙ୍କୁ ତାଙ୍କର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। କମିଶନଙ୍କ ସଚିବ ବିଭୁପ୍ରସାଦ ପରିଜା ୪୮ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟକୁ ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଚିବାଳୟରେ ଦାଖଲ କରିଛନ୍ତି। ରିପୋର୍ଟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇ ପୁରୀରେ ଭାଷା କେନ୍ଦ୍ର ଖୋଲାଯିବାକୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ବହୁ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ପୀଠଗୁଡ଼ିକ ରହିଛି, ଯାହା ଶ୍ରୀଜଗନ୍ନାଥଙ୍କ ସହିତ ସିଧା ଜଡ଼ିତ। ଉକ୍ତ ପୀଠଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଛି। ସେଗୁଡ଼ିକର ଉନ୍ନତି ପାଇଁ ସରକାର ପଦକ୍ଷେପ ନେବାକୁ କମିଶନ ତାଙ୍କ ରିପୋର୍ଟରେ ପରାମର୍ଶ ଦେଇଛନ୍ତି। ତୃତୀୟ ରିପୋର୍ଟରେ ଜଗନ୍ନାଥଙ୍କ ସେବକଙ୍କ କଲ୍ୟାଣ ଓ ଶ୍ରୀମନ୍ଦିର ସଂସ୍କାରକୁ ନେଇ ଅନ୍ୟ କେତେକ ପ୍ରସଙ୍ଗ ସମ୍ପର୍କିତ ପ୍ରସ୍ତାବ ଦିଆଯିବ ବୋଲି କମିଶନ ଜଷ୍ଟିସ ଦାସ କହିଛନ୍ତି। ଗତ ଏପ୍ରିଲ ୨୦ରେ କମିଶନ ତାଙ୍କର ପ୍ରଥମ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ଦେଇଥିଲେ। କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ରିପୋର୍ଟରେ ରାଜ୍ୟ ବାହାରର ଧାର୍ମିକ ପୀଠଗୁଡ଼ିକରେ ରହିଥିବା ବ୍ୟବସ୍ଥାଗୁଡ଼ିକୁ ବିଚାରକୁ ନିଆଯାଇ ବିଭିନ୍ନ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ଶ୍ରୀମନ୍ଦିରର ରୋଷଘରର ଆଧୁନିକୀକରଣ ନିମନ୍ତେ କେତେକ ପ୍ରସ୍ତାବ ଦିଆଯାଇଛି। ଏହାଛଡ଼ା ରାଜ୍ୟ ତଥା ବାହାରେ କିଭଳି ଜଗନ୍ନାଥ ସଂସ୍କୃତିର ପ୍ରସାର ହୋଇପାରିବ ତାହା ଉପରେ କମିଶନ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ସହରରେ ଭାଷାକେନ୍ଦ୍ର ଖୋଲାଯାଉ ବୋଲି କମିଶନ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କାରଣ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି। ଏଣୁ ପ୍ରମୁଖ ଭାଷାର କେନ୍ଦ୍ର ଖୋଲାଗଲେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ତାହା ସହାୟକ ହୋଇପାରିବ। ସେହିପରି ସେବାୟତଙ୍କ ପିଲାଙ୍କ ପାଇଁ ପୁରୀରେ ସ୍ବତନ୍ତ୍ର ସ୍କୁଲ ସ୍ଥାପନ ଓ ଉକ୍ତ ସ୍କୁଲରେ ଜଗନ୍ନାଥ ସଂସ୍କୃତି, ପୂଜାପାଠ ସମ୍ପର୍କିତ ପାଠ୍ୟକ୍ରମ ପାଇଁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ପଞ୍ଚସଖାଙ୍କ ପୀଠର ଉନ୍ନତୀକରଣ ଓ ସେହି ପୀଠସବୁକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତାବ ରହିଛି। ପଞ୍ଚସଖା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଥିବାରୁ ପୀଠଗୁଡ଼ିକର ପୁନରୁଦ୍ଧାର ଅତ୍ୟନ୍ତ ଜରୁରୀ। ଭାଗବତ ସଂସ୍କୃତିର ପୁନରୁଦ୍ଧାର କରାଯିବା ମଧ୍ୟ ଆବଶ୍ୟକ। ଭାଗବତ ସଂସ୍କୃତିର ପୁନରୁଦ୍ଧାର ହେଲେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଆହୁରି ବ୍ୟାପକ ହୋଇପାରିବ। ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଓଡ଼ିଶୀ ନୃତ୍ୟ ଓ ଗୋଟିପୁଅ ନୃତ୍ୟର ବ୍ୟାପକ ପ୍ରସାର ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଜଗନ୍ନାଥ ସଂସ୍କୃତି ସହିତ ସମ୍ପର୍କ ରଖୁଥିବା କେନ୍ଦ୍ରାପଡ଼ାର ବଳଦେବଜୀଉ, ନୟାଗଡ଼ର ନୀଳମାଧବ, ସୋନପୁରର ପାତାଳୀ, ସାଲେପୁର ନେମାଳସ୍ଥିତ ପଦ୍ମକ୍ଷେତ୍ର, ଅଚ୍ୟୁତାନନ୍ଦଙ୍କ ପୀଠ ଓ ଯାଜପୁର ଜିଲା ଛତିଆବଟ ପୀଠର ଉନ୍ନତୀକରଣ ପାଇଁ ରିପୋର୍ଟରେ ଉଲ୍ଲେଖ ହୋଇଛି। ସୂଚନାଥାଉକି, ଗତ ଅଗଷ୍ଟ ୨୩ ଓ ୨୪ରେ ଦୁଇଦିନ ଧରି କମିଶନଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କମିଶନ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ବହୁ ବୁଦ୍ଧିଜୀବୀଙ୍କ ମତାମତ ଲୋଡାଯାଇ ବୈଠକରେ ଆଲୋଚନା ହୋଇଥିଲା। ଆଲୋଚନାରୁ ବାହାରିଥିବା ନିର୍ଯାସକୁ ଉକ୍ତ ଅନ୍ତରୀଣ ରିପୋର୍ଟରେ ଦର୍ଶାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri