ଲୋକକଳାର ପୁନରୁଦ୍ଧାର ଉପରେ ଗୁରୁତ୍ୱ


ଭୁବନେଶ୍ୱର, ୭।୧୨(ବ୍ୟୁରୋ)-ଲୋକକଳାର ବିକାଶ ଉପରେ ଗୁରୁତ୍ୱ ଦେଇଛି ରାଜ୍ୟ ସଂସ୍କୃତି ବିଭାଗ। ବିଭାଗ ଅଧୀନରେ ଥିବା ରାଜ୍ୟର ବିଭିନ୍ନ ବ୍ଲକ, ଜିଲା ଓ ସହରାଞ୍ଚଳରେ କାର୍ଯ୍ୟରତ ଲୋକକଳା ସଂସ୍କୃତି ସଂଘଗୁଡ଼ିକୁ ଅଧିକ ସଶକ୍ତ କରିବା ଲାଗି ପଦକ୍ଷେପ ନିଆଯିବ। ବୁଧବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଏ ନେଇ ଜିଲା ସଂସ୍କୃତି ଅଧିକାରୀ ଓ ସଂଘଗୁଡ଼ିକ ସହ ଆଲୋଚନା କରିଥିଲେ। ଏହି ଅବସରରେ ଜିଲାସ୍ତରୀୟ ଲୋକକଳା ମହୋତ୍ସବ ଆୟୋଜନ ସହ କଳା ସଂସ୍କୃତି ସଂଘର କର୍ମକର୍ତ୍ତାମାନଙ୍କୁ ତାଲିମ ପ୍ରଦାନ, ରାଜ୍ୟର ସବୁ ଜିଲାରେ ଗୋଟିଏ ଗୋଟିଏ ଲୋକକଳା ଗ୍ରାମ ଗଠନ, ବ୍ଲକ୍‌ କଳାସଂସ୍କୃତି ସଂଘର ଦକ୍ଷତା ବୃଦ୍ଧି ଏବଂ ନଗର କଳା ସଂସ୍କୃତି ସଂଘ ଗଠନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଲୋକକଳାରେ ପ୍ରଶିକ୍ଷଣ ଦେବାପାଇଁ ଏଣିକି ବିଭିନ୍ନ ଜିଲାରେ ଜିଲାସ୍ତରୀୟ ଶିଳ୍ପୀ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବ। ଆସନ୍ତା ଜାନୁୟାରୀ ସୁଦ୍ଧା ମାଲକାନାଗିରି, ଗଜପତି, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ବଲାଙ୍ଗୀର, ଜଗତ୍‌ସିଂହପୁର, ଭଦ୍ରକ, ବୌଦ୍ଧ, ଦେବଗଡ଼, ସୋନପୁର, ନୂଆପଡା ଓ ନୟାଗଡ଼ ଜିଲାରେ ତାଲିମ କାର୍ଯ୍ୟକ୍ରମ ଶେଷ କରିବାକୁ ବୈଠକରେ କୁହାଯାଇଛି। ସେହିଭଳି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ରାଜ୍ୟର ୩୦ ଜିଲାରେ ଗୋଟିଏ ଲେଖାଏ ଲୋକକଳା ଗ୍ରାମ ସୃଷ୍ଟି କରାଯିବ। ଏହା ମାଧ୍ୟମରେ ଲୋକକଳାର ପ୍ରଚାର ପ୍ରସାର କରାଯିବ। ସେହିଭଳି ସହରାଞ୍ଚଳରେ ଗତ ଏପ୍ରିଲରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ନଗରକଳା ସଂସ୍କୃତି ସଂଘଗୁଡ଼ିକୁ ତତ୍ପର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ୯ଟି ସହରାଞ୍ଚଳ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ବାରିପଦା, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ ଓ ପୁରୀରେ ଖୁବଶୀଘ୍ର ନଗରକଳା ସଂସ୍କୃତି ସଂଘର ଶୁଭାରମ୍ଭ ହେବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହାସହ ପ୍ରତି ଜିଲାରେ ଏଣିକି ଲୋକକଳା ମହୋତ୍ସବର ଆୟୋଜନ କରାଯିବ। ଆସନ୍ତା ମାର୍ଚ୍ଚ ସୁଦ୍ଧା ୧୦ଟି ଜିଲା ଯଥା ଖୋର୍ଦ୍ଧା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମ, କୋରାପୁଟ, ନୂଆପଡ଼ା, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର ଓ କଳାହାଣ୍ଡିରେ ଲୋକକଳା ମହୋତ୍ସବ ଆୟୋଜନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଲୋକକଳା କଳାକାରମାନେ ଉପକୃତ ହେବାସହ ଲୁପ୍ତପ୍ରାୟ ଲୋକକଳାଗୁଡିକର ପୁନରୁଦ୍ଧାର ହୋଇପାରିବ ବୋଲି କୁହାଯାଇଛି। ଏହାବ୍ୟତୀତ ବ୍ଲକ୍‌ସ୍ତରରେ ଲୋକକଳା ଶିଳ୍ପୀଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଏଥିଲାଗି ବ୍ଲକ୍‌ସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଏ ନେଇ ନିର୍ଦ୍ଦେଶକ ପଟ୍ଟନାୟକ କହିଛନ୍ତି, ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକକଳା ସଂସ୍କୃତି ସଂଘ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ଲୁପ୍ତପ୍ରାୟ ଲୋକକଳାର ସଂରକ୍ଷଣ ଓ ପ୍ରସାର ସାଙ୍ଗକୁ ପାରମ୍ପରିକ ଲୋକଶିଳ୍ପୀଙ୍କୁ ଜୀବିକାର୍ଜନ ସହଯୋଗ ମିଳିପାରୁଛି। ଏହାସହ ସରକାରଙ୍କ ଲୋକକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ବାବଦରେ ମଧ୍ୟ ପ୍ରଚାର କରାଯାଇପାରିବ। ବର୍ତ୍ତମାନ ରାଜ୍ୟର ୩୦ ଜିଲା ଓ ୩୧୪ ବ୍ଲକ୍‌ରେ କଳା ସଂସ୍କୃତି ସଂଘ କାର୍ଯ୍ୟ କରୁଛି। ୪୭୧ଟି ଲୋକକଳା ଓ ପ୍ରାୟ ୧ ଲକ୍ଷ ପାରମ୍ପରିକ ଲୋକଶିଳ୍ପୀଙ୍କୁ ନେଇ ୭୪୮୨ଟି ଦଳ ଗଠିତ ହୋଇଛି। ରାଜ୍ୟ ସରକାର କଳା ସଂସ୍କୃତି ସଂଘର ପରିଚାଳନା ନିମନ୍ତେ ୮.୦୫ କୋଟିର ଆବର୍ତ୍ତନ ପାଣ୍ଠି ଯୋଗାଇ ଦେଇଥିବା ସେ କହିଛନ୍ତି। ଏହି ଭିଡିଓ କନଫରେନ୍ସିଂ ଆଲୋଚନାରେ ଲୋକକଳା ସଂସ୍କୃତି ସଂଘର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋୟୀ ମଧ୍ୟ ଉପସ୍ଥିତ ଥିଲେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri