ଏଏସ୍‌ଆଇ-ମନ୍ଦିର ପ୍ରଶାସନ ସମନ୍ବୟ ନାହିଁ


କଟକ ଅଫିସ, ୬।୧୨-ଶ୍ରୀମନ୍ଦିର ଓ ପରିସରରେ ଥିବା ଅନ୍ୟ ମନ୍ଦିରଗୁଡ଼ିକର ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ସେହିପରି ଆମିକସ୍‌କ୍ୟୁରୀ ଏନ.କେ. ମହାନ୍ତିଙ୍କ ପକ୍ଷରୁ ମଧ୍ୟ ମରାମତି କାର୍ଯ୍ୟ ସମ୍ପର୍କିତ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ଉକ୍ତ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଭାରତୀୟ ପ୍ରନତ୍ତାତ୍ତି୍ବକ ସର୍ବେକ୍ଷଣ (ଏଏସ୍‌ଆଇ) ସହଯୋଗ କରୁ ନ ଥିବା ମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ କରାଯାଇଛି। ସତ୍ୟପାଠରେ ହୋଇଥିବା ଅଭିଯୋଗକୁ ନେଇ ଏଏସ୍‌ଆଇ ଓ ମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ବୟ ରହୁ ନ ଥିବା ସ୍ପଷ୍ଟ ହେବା ସହ ଏନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ମନ୍ଦିର ପ୍ରଶାସନର ଉକ୍ତ ଅଭିଯୋଗ ଉପରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୨କୁ ଦିନଧାର୍ଯ୍ୟ ହୋଇଛି। ବିଚାରପତି ବିଶ୍ୱଜିତ ମହାନ୍ତି ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ବେଳେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିର୍ବାହୀ ଯନ୍ତ୍ରୀ (ସିଭିଲ) ବି. ଆଶିଷ କୁମାର ସୁବୁଦ୍ଧିଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ସେଥିରେ ଦର୍ଶାଯାଇଛି ଯେ, ଗରୁଡ଼ସ୍ତମ୍ଭ ଓ ଜୟବିଜୟ ଦ୍ୱାର ନିକଟରେ ପ୍ରସ୍ତାବିତ ମରାମତି ପାଇଁ ଚିହ୍ନଟ କରାଯାଇଥିବା ସ୍ଥାନ ହସ୍ତାନ୍ତର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଏଏସ୍‌ଆଇ ଏ ସଂକ୍ରାନ୍ତରେ ମନ୍ଦିର ପ୍ରଶାସନକୁ କିଛି ଜଣାଇ ନାହିଁ। ଜଗମୋହନ ଓ ନାଟମଣ୍ଡପର ସଂଯୋଗସ୍ଥଳ ଛାତ(ଜୟବିଜୟ ଦ୍ୱାର ନିକଟ) ଦୁର୍ବଳ ହୋଇପଡ଼ିଥିବାବେଳେ ତାହାର ମରାମତି ଜରୁରୀ। ଏଥିନିମନ୍ତେ କ’ଣ ଯୋଜନା ରହିଛି ତାହା ଜଣାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ୨୦୧୭ ନଭେମ୍ବର ୨୦ ଓ ୨୮ରେ ଦୁଇଥର ପତ୍ର ଲେଖାଯାଇଥିଲା। ଉକ୍ତ ପ୍ରସଙ୍ଗରେ ଛତିଶା ନିଯୋଗ ସହିତ ଆଲୋଚନା ପାଇଁ ନଭେମ୍ବର ୨ ତାରିଖ ଧାର୍ଯ୍ୟ କରାଯାଇଥିଲା। ଜୟବିଜୟ ଦ୍ୱାର ନିକଟରେ ହେବାକୁ ଥିବା ଏହି ମରାମତି କାର୍ଯ୍ୟ ସମ୍ପର୍କରେ ଉକ୍ତ ବୈଠକରେ ଆଲୋଚନା ପାଇଁ ସ୍ଥିର ହୋଇଥିଲା। ଏଏସ୍‌ଆଇ ପକ୍ଷରୁ କୌଣସି ଅଧିକାରୀ ବୈଠକକୁ ଆସି ନ ଥିଲେ କି ମନ୍ଦିର ପ୍ରଶାସନର ଚିଠି ଉପରେ କୌଣସି ଜବାବ ଦିଆଯାଇ ନ ଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଗର୍ଭଗୃହ ଓ ଜଗମୋହନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ଘଟଣାରେ ମନ୍ଦିର ପ୍ରଶାସନ ଏଏସ୍‌ଆଇକୁ ଦାୟୀ କରିଛି। ଉକ୍ତ ପ୍ରସଙ୍ଗରେ ସତ୍ୟପାଠରେ ଦର୍ଶାଯାଇଛି ଯେ, ଶ୍ରୀଜଗନ୍ନାଥ ମନ୍ଦିରର ଭିତର ଫଟୋ ନେବା ପାଇଁ କେବଳ ଏଏସ୍‌ଆଇକୁ ଅନୁମତି ଦିଆଯାଇଛି। ସଂରକ୍ଷଣ ଓ ମରାମତି କାର୍ଯ୍ୟ ନିମନ୍ତେ ଏଏସ୍‌ଆଇ ଫଟୋ ଉତ୍ତୋଳନ କରିପାରିବ। କିନ୍ତୁ ଏହି ଫଟୋ ସର୍ବସାଧାରଣରେ ପ୍ରକାଶ କରାଯାଇ ପାରିବ ନାହିଁ। କିନ୍ତୁ ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ ପାଇଁ ଏଏସ୍‌ଆଇ ଦ୍ୱାରା ଗଠିତ ଟିମ୍‌ରେ ସଦସ୍ୟ ଥିବା ଧାନବାଦସ୍ଥିତ ସିଆଇଏମ୍‌ଏଫ୍‌ଆଇ ବିଶେଷଜ୍ଞ ଏପରି ଫଟୋ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଉକ୍ତ ବିଶେଷଜ୍ଞ ମଧ୍ୟ କ୍ଷମାପ୍ରାର୍ଥନା କରିଛନ୍ତି। ଏ ପ୍ରସଙ୍ଗରେ ଏଏସ୍‌ଆଇର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କୁ କାରଣ ଦର୍ଶାଇବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନଭେମ୍ବର ୨୨ରେ ଚିଠି ଲେଖିଥିଲା। ଏଏସ୍‌ଆଇ ପକ୍ଷରୁ ଏହି ଚିଠିର ଉତ୍ତରରେ ନଭେମ୍ବର ୨୪ରେ ଦର୍ଶାଯାଇଛି ଯେ, କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ସମ୍ପୃକ୍ତ ବିଶେଷଜ୍ଞ ଜଣକ ଉକ୍ତ ଫଟୋ ସୋସିଆଲ ମିଡିଆରେ ଛାଡ଼ି ନ ଥିଲେ। ସମ୍ପୃକ୍ତ ଫଟୋକୁ ଡିଲିଟ୍‌ କରାଯାଇଛି। ଏପରି ଘଟଣାର ପୁନରାବୃତ୍ତି ଯେଭଳି ନ ଘଟେ ସେନେଇ ଶ୍ରୀମନ୍ଦିର ଭିତରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀଙ୍କୁ ଏଏସ୍‌ଆଇ ପକ୍ଷରୁ ଚେତାବନୀ ଦିଆଯାଇଛି। ଅପରପକ୍ଷରେ ଆମିକସ୍‌କ୍ୟୁରୀ ଏନ୍‌.କେ. ମହାନ୍ତି ଓ ଏଏସ୍‌ଆଇ ମଧ୍ୟ ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି। ଏଏସ୍‌ଆଇ ଧାର୍ଯ୍ୟ କରିଥିବା କାର୍ଯ୍ୟର ସମୟସୀମା ସଂକ୍ରାନ୍ତରେ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ଆଗତ ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟପ୍ରକାଶ ଆର୍ତ୍ତ,ବିଦ୍ୟାଧର ମଙ୍ଗରାଜ ପରିଚାଳନା କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri