ଘରେ ପଶିବ ମହାନଦୀ


କଟକ ଅଫିସ, ୬।୧୨(ନିର୍ମଳ ପଣ୍ଡା)- ବାଲି ବ୍ୟବସାୟୀଙ୍କ ସହିତ ପ୍ରଶାସନର ଅସାଧୁ ମେଣ୍ଟ ଯୋଗୁ ବିପୁଳ ପରିମାଣର ରାଜସ୍ବ ଲୁଟ୍‌ ହେଉଛି। ପୂର୍ବରୁ ଏନେଇ ଅନେକ ନଜିର ରହିଛି। ଏବେ ବାଲି ବ୍ୟବସାୟୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଇ କଟକ ଜିଲା ପ୍ରଶାସନ ଏକ ମହାବିପତ୍ତିକୁ ଆମନ୍ତ୍ରଣ କରିଛି। ଯେଉଁଥିପାଇଁ ମହାନଦୀ ଗତିପଥ ପରିବର୍ତ୍ତନ କରି ଜନବସତି ଅଞ୍ଚଳରେ ପଶିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ସାଲେପୁର ତହସିଲ ଅଧୀନ ବାରବୋଡିଆ ବାଲିଘାଟକୁ ନେଇ, ଯେଉଁଠି ପ୍ରଶାସନ ପୂର୍ବ ନିଷ୍ପତ୍ତିକୁ ବଦଳାଇ ବାଲି ଉଠାଣ ନିଲାମ ନିମନ୍ତେ ଅନୁମତି ଦେଇଛି। ଏନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ବାରବୋଡିଆ ବାଲିଘାଟରୁ ବାଲିଉଠାଣ ଫଳରେ ମହାନଦୀ କୂଳ ଖାଇ ପାର୍ଶ୍ୱବର୍ତ୍ତୀ ଗ୍ରାମ ପ୍ରତି ବିପଦ ଆଶଙ୍କା ଦେଖାଦେଇଥିଲା। ଫଳରେ ଉକ୍ତ ବାଲିଘାଟ ନିଲାମକୁ ଗ୍ରାମବାସୀ ପୂର୍ବରୁ ବିରୋଧ କରିଥିଲେ। ଏହାପରେ ତତ୍କାଳୀନ ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଉକ୍ତ ବାଲିଘାଟ ଉପରେ ଜଳସମ୍ପଦ ଓ ରାଜସ୍ବ ବିଭାଗ ମିଳିତ ଭାବେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କହିଥିଲେ। ଜଳସମ୍ପଦ ବିଭାଗର ମହାନଦୀ ଉତ୍ତର ଡିଭିଜନ ପକ୍ଷରୁ ଅନୁଧ୍ୟାନ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଯଦି ବାରବୋଡିଆ ଘାଟରୁ ବାଲି ଉଠେ ତେବେ ମହାନଦୀ ତାର ଗତିପଥରେ ପରିବର୍ତ୍ତନ କରିବା ସମ୍ଭାବନା ରହିଛି। ଏହି ରିପୋର୍ଟ ପାଇବା ପରେ ଜିଲାପାଳ ଉକ୍ତ ବାଲିଘାଟ ନିଲାମକୁ ବାତିଲ କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନିକ ନିଷ୍ପତ୍ତି ବଦଳିଯାଇଛି। ଉକ୍ତ ବାଲିଘାଟକୁ ନିଲାମ ଦିଆଯାଇଛି, ଯାହାକୁ ନେଇ ବାରବୋଡିଆ, ଆତୋଡା, ସାତବାଟିଆ, ପାଟପୁର, ଜଳହରି, ତେନ୍ତୋଳୋ ପ୍ରଭୃତି ଅଞ୍ଚଳବାସୀ ଆଶଙ୍କିତ ହେବା ସହ କ୍ଷୋଭ ପ୍ରକାଶ କରୁଛନ୍ତି। କଟକ ସହରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି ବାରବୋଡିଆ ବାଲିଘାଟ। ଏହି ସ୍ଥାନ ଭୌଗୋଳିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ବାରବୋଡିଆର ଠିକ୍‌ ଉପରମୁଣ୍ଡରେ ମହାନଦୀରୁ ଚିତ୍ରୋତ୍ପଳା ନଦୀ ବାହାରିଛି। ତେଣୁ ଏଠାରେ ନଦୀ ସ୍ରୋତ ଅତ୍ୟନ୍ତ ପ୍ରଖର ଥାଏ। ଏଭଳି ସ୍ଥିତିରେ ତଳମୁଣ୍ଡରୁ ବାଲି ଖନନ କରାଗଲେ ନଦୀସ୍ରୋତ ଅଧିକ ପ୍ରଖର ହେବା ସହିତ କୂଳକ୍ଷୟ କରିବାର ଆଶଙ୍କା ରହିଛି। ସେହିପରି ବାଲି ଉତ୍ତୋଳନ ପରେ ବହୁସଂଖ୍ୟକ ଗାଡ଼ି ନଦୀପଠା ଦେଇ ଯାତାୟାତ କରିବା ଫଳରେ ପଠା ମଧ୍ୟ କ୍ଷତିଗ୍ରସ୍ତ ହୋଇ ନଦୀର ଗତିପଥକୁ ବଦଳାଇବାରେ ସାହାଯ୍ୟ କରିବ ବୋଲି ସ୍ଥାନୀୟ ଅଞ୍ଚଳ ଲୋକେ ଜିଲାପାଳଙ୍କୁ ଜଣାଇଥିଲେ। ଜଳସମ୍ପଦ ବିଭାଗ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଉକ୍ତ ସ୍ଥାନରୁ ବାଲି ଉଠିଲେ ମହାନଦୀ ପଠା କ୍ଷୟ କରି ଚାଷଜମିକୁ ଖାଇଯିବ। ଏହାଦ୍ୱାରା ନଦୀପଠା ସଂଲଗ୍ନ ଅଞ୍ଚଳ ଦେଇ ଯାଇଥିବା ଲିଙ୍କ୍‌ କେନାଲ ମଧ୍ୟ କ୍ଷତିଗ୍ରସ୍ତ ହେବ। ସ୍ଥାନୀୟ ଅଞ୍ଚଳର ସରପଞ୍ଚ ସୋଫିଆ ରାଉତରାୟ କୁହନ୍ତି, ଏଭଳି ବିପଦକୁ ଜାଣିଶୁଣି ଡକାଯାଉଛି। ବାରବୋଡିଆରୁ ବାଲି ଉଠିଲେ ମହାନଦୀର ଏକ ଧାର ସିଧାସଳଖ ଲିଙ୍କ୍‌ କେନାଲ ଭାଙ୍ଗି କେନ୍ଦ୍ରାପଡ଼ା କେନାଲରେ ପଡ଼ିବ। ଏହା ପରେ ଉକ୍ତ ଧାର ବିରୂପା ସହିତ ମିଶି ଏକାକାର ପରିସ୍ଥିତି ଉପୁଯାଇବ। ସ୍ଥାନୀୟ ଅଞ୍ଚଳର ଯୁବକ ଲିପକ ଜେନା କୁହନ୍ତି, ବାରବୋଡିଆ ଘାଟ ନିଲାମ ହେବା କଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ୱ ନ ଦେଇ ପ୍ରଶାସନ ବାଲିମାଫିଆଙ୍କ ପାଖରେ ବିକ୍ରି ହୋଇଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସାଲେପୁର ତହସିଲଦାର ମହେନ୍ଦ୍ର ମହାନ୍ତି କୁହନ୍ତି, ଆମେ କେତେକ ସର୍ତ୍ତ ରଖି ଉକ୍ତ ଘାଟକୁ ନିଲାମ ଦେଇଛୁ। ଯଦି ସେଭଳି କିଛି ପରିସ୍ଥିତି ଉପୁଜେ ତେବେ ତୁରନ୍ତ ବାଲି ଉତ୍ତୋଳନ ବନ୍ଦ ରଖାଯିବ। ତହସିଲଦାରଙ୍କ ଏଭଳି ମତାମତ ଉପରେ ପ୍ରତିକ୍ରିୟା ଦେଇ ସ୍ଥାନୀୟ ଅଞ୍ଚଳର ରଞ୍ଜିତା ନାୟକ କୁହନ୍ତି, ତେବେ ଆମକୁ ଧରିନେବାକୁ ପଡ଼ିବ ର୍ଯ୍ୟେମହାନଦୀ ଆମ ଘରେ ପଶିବା ପରେ ପ୍ରଶାସନର ଚେତା ପଶିବ। ମହାନଦୀ ଉତ୍ତର ଡିଭିଜନ ନିର୍ବାହୀ ଯନ୍ତ୍ରୀ ସାଗର ମହାନ୍ତି କୁହନ୍ତି, ଗତବର୍ଷ ଉକ୍ତ ଘାଟକୁ ନେଇ କ’ଣ ହୋଇଥିଲା ତାହା ମୁଁ କହିପାରିବି ନାହିଁ। ସେ ସମୟରେ ମୁଁ ଦାୟିତ୍ୱରେ ନ ଥିବାରୁ ମୋତେ ପୁରୁଣା ଫାଇଲ ଦେଖିବାକୁ ପଡ଼ିବ। ଜିଲାପାଳ ସୁଶାନ୍ତ ମହାପାତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ମଧ୍ୟ ଘାଟର ସମ୍ବେଦନଶୀଳତା ସମ୍ପର୍କରେ ଜାଣି ନ ଥିବା କହିଥିଲେ। ଯଦି ଏପରି ହୋଇଥାଏ ତେବେ ତୁରନ୍ତ ଉକ୍ତ ଘାଟରୁ ବାଲି ଉଠିବା ଉପରେ ଅଙ୍କୁଶ ଲଗାଯିବ ବୋଲି ସେ କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri