ଡିଏଭି ଛାତ୍ରୀ ଆତ୍ମହତ୍ୟା ମାମଲାର ନୂଆମୋଡ଼


ଭୁବନେଶ୍ୱର,୬।୧୨(ବ୍ୟୁରୋ)- ୟୁନିଟ୍‌-୮ ଡିଏଭି ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ ସ୍କୁଲ ଯୁକ୍ତ ୩ ବାଣିଜ୍ୟ ଦ୍ୱିତୀୟ ବର୍ଷ ଛାତ୍ରୀ ତାନିଆ ବାନାର୍ଜୀ ଆତ୍ମହତ୍ୟା ଘଟଣା ନୂଆମୋଡ଼ ନେଇଛି। ତାନିଆଙ୍କ ଆତ୍ମହତ୍ୟା ପଛରେ ତାଙ୍କର ଜଣେ ସହପାଠୀଙ୍କ ସମ୍ପୃକ୍ତି ରହିଛି। ସେହି ସହପାଠୀ ଜଣକ ଜଣେ ଆଇଏଏସ୍‌ ଅଧିକାରୀଙ୍କ ଝିଅ ବୋଲି ତାନିଆଙ୍କ ମା’ କୋୟା ବାନାର୍ଜୀ ବୁଧବାର ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ପୋଲିସ ଚାପରେ ପଡ଼ି ମାମଲାର ଠିକ୍‌ ତଦନ୍ତ କରୁନାହିଁ ବୋଲି ତାନିଆଙ୍କ ବାପା ଟିକଲ ବାନାର୍ଜୀ କହିଛନ୍ତି। ଦରକାର ପଡ଼ିଲେ ସେ କ୍ରାଇମବ୍ରାଞ୍ଚ ଦ୍ୱାରସ୍ଥ ହେବେ ବୋଲି ଟିକଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମଙ୍ଗଳବାର ତାନିଆଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଥିଲା। ଶ୍ୱାସରୁଦ୍ଧ ହୋଇ ତାନିଆଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଥିଲା। ତାନିଆଙ୍କ ବାପା ଏହି ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର କ୍ୟାପିଟାଲ ଥାନା ପୋଲିସ ତାନିଆଙ୍କ ବାପା, ମା’ଙ୍କୁ ପଚରାଉଚରା କରିବା ଲାଗି ଥାନାକୁ ଡକାଇଥିଲା। ଜେରା ପରେ ଉଭୟେ ବାହାରକୁ ଆସି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଝିଅ ମୃତ୍ୟୁ ପଛର କାରଣ ସମ୍ପର୍କରେ କେତେକ ଅଭିଯୋଗ ଆଣିଥିଲେ। ତାନିଆଙ୍କ ମା’ କହିଥିଲେ, ତାଙ୍କ ଝିଅ ମୃତ୍ୟୁ ପଛରେ ସ୍କୁଲର ଜଣେ ଛାତ୍ରୀଙ୍କ ହାତ ରହିଛି। ସମ୍ପୃକ୍ତ ଛାତ୍ରୀ ଜଣକ ତାଙ୍କ ଝିଅକୁ ମାନସିକ ନିର୍ଯାତନା ଦେଇଛନ୍ତି। ସେ ଜଣେ ଆଇଏଏସ୍‌ ଅଫିସରଙ୍କ ଝିଅ ହୋଇଥିବାରୁ ପୋଲିସ ମାମଲାକୁ ଚାପିବାକୁ ଉଦ୍ୟମ କରୁଛି। ତାନିଆଙ୍କ ବାପା କହିଥିଲେ, ସେମାନେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି। ଯେଉଁ ରୁମ୍‌ରେ ତାନିଆଙ୍କ ମୃତ୍ୟୁ ଘଟିଥିଲା ପୋଲିସ ଆସିବା ପୂର୍ବରୁ କ’ଣ ପାଇଁ ସେହି ରୁମ୍‌କୁ ଭଙ୍ଗାଗଲା। ମୋ ଝିଅ ଆମତ୍ହତ୍ୟା କରିନାହିଁ, ତାକୁ ମାରି ଦିଆଯାଇଛି। ପୋଲିସ ଚାପରେ ପଡ଼ି ଜାଣିଶୁଣି ମାମଲାକୁ ଚାପିଦେବାକୁ ଉଦ୍ୟମ କରୁଛି। ତାନିଆଙ୍କ ମାମୁ ତଥା ଓକିଲ ମୌସୁମୀ କୁମାର ଚକ୍ରବର୍ତ୍ତୀ କହିଥିଲେ, ପୋଲିସ ତାନିଆଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଦଫା ୩୦୬ରେ ଏକ ମାମଲା ରୁଜୁ କରି ଚୁପ୍‌ ବସିପଡିଛି। କ’ଣ ପାଇଁ ଏପରି ଘଟିଲା ତା’ର ତଦନ୍ତ କରୁନାହିଁ। ଯଦିଓ ତାନିଆ ଆମତ୍ହତ୍ୟା କରିଛି, କାହା ଚାପରେ ସେ ଏପରି କରିଛି ତାହା ପଦାକୁ ଆସିବା ଦରକାର। ଏ ନେଇ ଡିସିପି ସତ୍ୟବ୍ରତ ଭୋଇ କୁହନ୍ତି, ପୋଲିସ ଘଟଣାର ତଦନ୍ତ ଚଳାଇଛି। ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁଯାୟୀ ତାନିଆ ଆମତ୍ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଆଗକୁ ତଦନ୍ତ ଚାଲୁ ରହିବ। ଯିଏ ଦୋଷୀ ସେ ନିଶ୍ଚିତ ଦଣ୍ଡ ପାଇବ। ତାନିଆଙ୍କ ବାପା କରିଥିବା ଅଭିଯୋଗ ଉପରେ ସେ କହିଲେ, ତାନିଆଙ୍କ ବାପା କହିଥିବା ଦିଗ ଉପରେ ତଦନ୍ତ କରାଯିବ। ସୂଚନାଯୋଗ୍ୟ, ଗତମାସ ୨୮ ତାରିଖରେ ତାନିଆଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri