କନଷ୍ଟେବଳ, ସିପାହୀ ନିଯୁକ୍ତି ମାମଲା: ମେଧା ଉପରେ ଆଇନଗତ ପ୍ରତିବନ୍ଧକ ନାହିଁ


କଟକ ଅଫିସ, ୫।୧୨- ଜଣେ ସଂରକ୍ଷିତ ବର୍ଗର ପ୍ରାର୍ଥୀ ତାଙ୍କ ମେଧା ବଳରେ ଯଦି ଅଣସଂରକ୍ଷିତ ବର୍ଗ ତାଲିକାରେ ସ୍ଥାନ ପାଆନ୍ତି, ତେବେ ଏଥିରେ ଆଇନଗତ ପ୍ରତିବନ୍ଧକ ନାହିଁ। ୨୦୦୬ କନଷ୍ଟେବଳ ଓ ସିପାହୀ ନିଯୁକ୍ତିକୁ ନେଇ ରୁଜୁ ଅଦାଲତ ଅବମାନନା ମାମଲାରେ ମଙ୍ଗଳବାର ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ନିଯୁକ୍ତିକୁ ନେଇ ଗୃହ ସଚିବ ଓ ଡିଜିପିଙ୍କ ବିରୋଧରେ ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ୭୭୩ ଜଣ କନଷ୍ଟେବଳ ଓ ସିପାହୀଙ୍କ ପୁନଃ ତାଲିକା ପ୍ରସ୍ତୁତ କରାଯାଇଛି। ଉକ୍ତ ପଦାଧିକାରୀଙ୍କ ବିରୋଧରେ କୌଣସି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇନାହିଁ। ଏଭଳି କ୍ଷେତ୍ରରେ ଅଦାଲତ ଅବମାନନା ମାମଲା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟ ମାମଲାଟିକୁ ଅନ୍ତ ଘଟାଇଛନ୍ତି। ବିଚାରପତି ବି.କେ. ନାୟକ ଓ ବିଚାରପତି ଡି.ପି. ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂରକ୍ଷିତ ରଖିଥିବା ତାଙ୍କ ରାୟକୁ ପ୍ରକାଶ କରି ଏହା ଦର୍ଶାଇଛନ୍ତି। ୨୦୦୬ ମସିହାରେ ରାଜ୍ୟ ସରକାର ୧୯୮୨ଟି କନଷ୍ଟେବଳ ଓ ୨୦୨୪ଟି ସିପାହୀ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଥିଲେ। ବିଜ୍ଞାପନ ଅନୁଯାୟୀ, ସରକାରଙ୍କ ଦ୍ୱାରା ପ୍ରସ୍ତୁତ ମେଧା ତାଲିକାକୁ ଚ୍ୟାଲେଞ୍ଜ କରି ୧୩୫ଜଣ ଆବେଦନକାରୀ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସ୍‌ଇବିସିଙ୍କ ୨୭ ପ୍ରତିଶତ ସଂରକ୍ଷଣ ସୁପ୍ରିମକୋର୍ଟ ନିର୍ଦ୍ଦେଶର ବିରୁଦ୍ଧାଚରଣ କରୁଛି ଆବେଦନକାରୀମାନେ ଦର୍ଶାଇଥିଲେ। ୨୦୦୬ ଡିସେମ୍ବର ୧୫ରେ ଗୃହ ବିଭାଗ ସ୍ପଷ୍ଟୀକରଣ ଦେଇଥିଲା। ବିଭାଗ ଦର୍ଶାଇଥିଲା ଯେ, ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ଛାତି ଚଉଡା ଓ ବୟସ ସୀମା କୋହଳ ସୁବିଧା ହାସଲ କରିଥିଲେ ମଧ୍ୟ ଅଣସଂରକ୍ଷିତ ତାଲିକାରେ ସେମାନଙ୍କ ନାମକୁ ବିଚାରକୁ ନିଆଯାଇ ପାରିବ। ୨୦୦୭ ସେପ୍ଟେମ୍ବର ୧୩ରେ ଆଉଥରେ ପୁନଃ ତାଲିକା ପ୍ରସ୍ତୁତ କରିବା ପାଇଁ ସ୍ୟାଟ୍‌ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ସ୍ୟାଟ୍‌ଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ ବାଦ୍‌ ପଡ଼ିଥିବା ୭୭୩ ଜଣ ମଧ୍ୟ ଉକ୍ତ ମାମଲାରେ ପକ୍ଷଭୁକ୍ତ ହୋଇଥିଲେ। ହାଇକୋର୍ଟ ତାଙ୍କୁ ଅଲଗା କ୍ୟାଡରଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଉକ୍ତ ଆଦେଶକୁ ବିରୋଧ କରି ସରକାର ସୁପ୍ରିମକୋର୍ଟ ଯାଇଥିଲେ। ମାତ୍ର ସୁପ୍ରିମକୋର୍ଟରେ ସରକାରଙ୍କ ଆବେଦନ ଖାରଜ ହୋଇଯାଇଥିଲା। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଆଦେଶକୁ ସରକାର ପାଳନ କରି ନ ଥିବାରୁ ଗୃହ ବିଭାଗ ସଚିବ ଓ ଡିଜିପିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ସାନି ତାଲିକା ପ୍ରସ୍ତୁତ କ୍ଷେତ୍ରରେ ସରକାର ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ଆବେଦନକାରୀମାନେ ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି କରି ଉକ୍ତ ଖଣ୍ଡପୀଠ ଗତ ନଭେମ୍ବର ୧ ତାରିଖରେ ତାଙ୍କ ରାୟକୁ ସଂରକ୍ଷିତ ରଖିଥିଲେ। ସରକାରଙ୍କ ପକ୍ଷରୁ ଏଜିଏ ବିଭୁପ୍ରସାଦ ତ୍ରିପାଠୀ ଏହି ମାମଲା ପରିଚାଳନା କରୁଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri