ସ୍ବାସ୍ଥ୍ୟସେବାକୁ ନେଇ ୨୦ ମାମଲାର ଶୁଣାଣି: ସ୍ବାସ୍ଥ୍ୟ ସଚିବ, ନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ


କଟକ ଅଫିସ, ୫।୧୨- ରାଜ୍ୟରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଏରିଆ ହସ୍ପିଟାଲ୍‌ଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିଗିଡିଯାଇଛି। ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହନ୍ତି। ଏନେଇ ଆଗତ ମାମଲାର ଶୁଣାଣି କରି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛନ୍ତି। ଉକ୍ତ ଚିକିତ୍ସାଳୟଗୁଡ଼ିକର ସମସ୍ୟା ସୁଧାରିବା ଲାଗି ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି, ସେ ବିଷୟରେ ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ସିଭିଲ୍‌ ସୋସାଇଟି ଫୋରମ୍‌ ଅନ୍‌ ହ୍ୟୁମାନ୍‌ ରାଇଟ୍ସ (ସିଏସ୍‌ଏଫ୍‌ଏଚ୍‌ଆର୍‌) ପକ୍ଷରୁ ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଫୋରମ୍‌ର ୱାର୍କିଂ ଗ୍ରୁପ୍‌ ସଦସ୍ୟ ତଥା ମାନବାଧିକାର କର୍ମୀ ଅଖଣ୍ଡ ଏନ୍‌ଏଚଆରସିଙ୍କ ନିକଟରେ ୧୪୦୦ରୁ ଅଧିକ ପିଟିଶନ୍‌ ଦାଖଲ କରିଥିଲେ। ସେଥିରେ ରାଜ୍ୟର ସମସ୍ତ ଜିଲାରେ ଥିବା ୧୪୭୫ଟି ହସ୍ପିଟାଲ୍‌ର ସ୍ଥିତି ଓ ସ୍ବାସ୍ଥ୍ୟସେବା ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ। ଏନ୍‌ଏଚ୍‌ଆର୍‌ସି ୩୧୬ଟି ମାମଲା ରୁଜୁ କରି ଏହାର ବିଚାର ପାଇଁ ଓଏଚ୍‌ଆର୍‌ସିଙ୍କ ନିକଟକୁ ପଠାଇଥିଲେ। ପିଟିଶନ୍‌ରେ ଆବେଦନକାରୀ ଦର୍ଶାଇଥିଲେ, ଡାକ୍ତରଖାନାଗୁଡିକ ଦୈନିକ ୬ ଘଣ୍ଟା ଓପିଡି ଖୋଲିବା କଥା। କିନ୍ତୁ ପ୍ରାୟ ଡାକ୍ତରଖାନାରେ ତାହା ହେଉନାହିଁ ା ପୁଣି ଆଦିବାସୀ ଓ ଦୁର୍ଗମ ଜିଲାଗୁଡିକରେ ତ ସପ୍ତାହରେ ଅଧିକ ଦିନ ଓପିଡି ବନ୍ଦ ରହୁଛି ା ପ୍ରସୂତି ମହିଳା ଓ ନବଜାତ ଶିଶୁଙ୍କ ଯତ୍ନ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ ା ସେହିଭଳି ବିଶୁଦ୍ଧ ପାନୀୟଜଳ, ପରିମଳ ଓ ପାରିପାର୍ଶିକ ଅବସ୍ଥା ଶୋଚନୀୟ। ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁ ରୋଗୀ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ରୋଗୀଙ୍କୁ ମାଗଣା ଔଷଧ ଓ ଖାଦ୍ୟ ମଧ୍ୟ ନାହିଁ। ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ଜିଲାରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାନ୍ତି। କଟକ, ବ୍ରହ୍ମପୁର ଓ ବୁର୍ଲା ବଡ଼ ଡାକ୍ତରଖାନା ଉପରେ ରୋଗୀମାନଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଡାକ୍ତରଖାନାଗୁଡିକର କାର୍ଯ୍ୟଶୈଳୀକୁ ନିୟମିତ ତଦାରଖ କରିବା ଓ ସମସ୍ୟାଗୁଡିକ ସମାଧାନ କରିବା ସହିତ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ କମିଶନଙ୍କ ନିକଟରେ ନିବେଦନ କରିଥିଲେ ା ଏ ସମ୍ପର୍କିତ ୨୦ଟି ମାମଲାର ଏକତ୍ର ଶୁଣାଣି କରି ଓଏଚ୍‌ଆର୍‌ସି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଅନ୍ୟ ମାମଲାଗୁଡିକ ବିଚାରାଧୀନ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri