ଚାଷୀଙ୍କ ଧାନ ସୁରକ୍ଷିତ ରଖିବାକୁ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ


ଭୁବନେଶ୍ୱର, ୫।୧୨(ବ୍ୟୁରୋ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି। ଆସନ୍ତା ୧୨ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଲଘୁଚାପ ବର୍ଷା ଦ୍ୱାରା ଯେପରି ଚାଷୀଙ୍କ ଫସଲ କ୍ଷତି ନ ହୁଏ ତା’ଉପରେ ଧ୍ୟାନ ଦେବାକୁ ସରକାର ତତ୍ପର ହୋଇପଡିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜିଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ବର୍ଷା ଯୋଗୁ ଚାଷୀଙ୍କ ଫସଲ ଯେଭଳି ନଷ୍ଟ ନ ହେବ ସେ ଦିଗରେ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କ ଧାନ ଖଳାରେ କିଭଳି ନଷ୍ଟ ନ ହେବ ତା’ଉପରେ ନଜର ରଖାଯିବ। ଧାନକୁ ମଣ୍ଡିରେ କିଭଳି ସୁରକ୍ଷିତ ରଖାଯାଇ ପାରିବ ସେ ନେଇ ଅଧିକାରୀମାନେ ସତର୍କ ରହିବେ। ଖଳା ଏବଂ ମଣ୍ଡିରେ ଧାନକୁ ସୁରକ୍ଷିତ ରଖିବା ଲାଗି ଯାହାସବୁ ପଦକ୍ଷେପ ନିଆଯିବା ଦରକାର ସେସବୁ କରାଯିବ। ଏଥିପାଇଁ ଆର୍‌ଏମ୍‌ସି ଅର୍ଥ ଖର୍ଚ୍ଚ କରିପାରିବ। ଏହା ବ୍ୟତୀତ ପୂର୍ବରୁ ମରୁଡି, ରୋଗପୋକ ଏବଂ ଅଦିନିଆ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଇନ୍‌ପୁଟ ସବ୍‌ସିଡି ଯୋଗାଇଦେବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ସୋମବାର ମଧ୍ୟ ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ଏଭଳି ତତ୍ପରତା ଗୋଟିଏ କଥା ସ୍ପଷ୍ଟ କରୁଛି ଯେ, ଚାଷୀ ପ୍ରସଙ୍ଗରେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ରାଜ୍ୟ ସରକାର ପ୍ରସ୍ତୁତ ନାହାନ୍ତି। ସେଥିପାଇଁ ବର୍ଷା ଦାଉରୁ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବା ସହିତ ସେମାନଙ୍କ ସୁବିଧା ଲାଗି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତା ୭ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଥିବା ବର୍ଷା ପାଇଁ ଚାଷୀଙ୍କୁ ସତର୍କ କରାଇବା ଲାଗି ଗାଁ ଗାଁରେ ପ୍ରଚାର ଗାଡି ବୁଲିବା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟର ୧୮ଟି ଜିଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହାର ଗତି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ରହିବ। ୭ ଏବଂ ୮ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ହେବ। ୯ ଓ ୧୦ତାରିଖରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କୁହାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri