ଚାଷୀ ଆତ୍ମବିଶ୍ୱାସ ହରାଇଲେ ମାନବସମାଜ ଭୁଶୁଡ଼ିଯିବ


ଭୁବନେଶ୍ୱର, ୫।୧୨(ବ୍ୟୁରୋ)- ଓଡ଼ିଶା ଧାନ ଉତ୍ପାଦନର ଉତ୍ପତ୍ତି ସ୍ଥଳ। ପାରମ୍ପରିକ କୃଷିକୁ ଦୃଷ୍ଟିରେ ରଖି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଏହା ସହିତ ସମୟ ସହ ତାଳଦେଇ ନୂତନ ଜ୍ଞାନକୌଶଳକୁ ଆପଣାଇବାକୁ ହେବ। ମାଟି, ପାଣି ଓ ପବନକୁ ସୁରକ୍ଷିତ ରଖି କୃଷି ଉପତ୍ାଦନ ବଢ଼ାଇବାକୁ ପଡ଼ିବ। ‘ଚଷା ଲକ୍ଷେ ଜୀବନ ପୋଷା’। କୃଷକ ହେଲେ ସହିଷ୍ଣୁ। ବହୁତ ବାଧା ବିଘ୍ନ ତଥା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରି ନିଜର ପରିବାର ପୋଷଣ କରେ। ସେ ସହଜରେ ଆତ୍ମବିଶ୍ୱାସ ହରାଏନାହିଁ। ଯଦି ଚାଷୀ ଆତ୍ମବିଶ୍ୱାସ ହରାଇବ ତା’ହେଲେ ସାରା ମାନବ ସମାଜ ଭୁଶୁଡ଼ି ପଡ଼ିବ ବୋଲି କୃଷି ମନ୍ତ୍ରୀ ଡ. ଦାମୋଦର ରାଉତ କହିଛନ୍ତି। ମଙ୍ଗଳବାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ଡ. ଏମ୍‌.ଏସ୍‌. ସ୍ବାମୀନାଥନ୍‌ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ‘ବିଶ୍ୱ ମୃତ୍ତିକା ଦିବସ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ରାଉତ ଏହା କହିଥିଲେ। ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ କହିଲେ, ମୃତ୍ତିକାର ଉପର ସ୍ତର ହେଉଛି ପ୍ରକୃତିର ଶହ ଶହ ବର୍ଷର ଅବଦାନ। ମଣିଷ ସମାଜ ପାଇଁ ଏହା ସୀମିତ ସମ୍ବଳ। ମାତ୍ର ମନୁଷ୍ୟ କିଛି ବିଚାର ନ କରି ମନଇଚ୍ଛା ଏହା ଉପରେ କାର୍ଯ୍ୟ କରେ। ଏହାଦ୍ୱାରା ମୃତ୍ତିକା ଉପରେ କୁପ୍ରଭାବ ପଡିଥାଏ। ତେଣୁ ମୃତ୍ତିକାର ସଂରକ୍ଷଣ ଏବଂ ଏହାର ସୁପରିଚାଳନା କରିବା ନିହାତି ଆବଶ୍ୟକ। ଜଳବିଭାଜିକା ଉନ୍ନୟନ ମାଧ୍ୟମରେ ରାଜ୍ୟରେ ଗଠିତ ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକର ୭୦ରୁ ୮୦ ଭାଗ ମହିଳା କୃଷି ପରିବାରର। ତେଣୁ ଏହି ମହିଳାମାନଙ୍କୁ ସଶକ୍ତୀକରଣ କରାଗଲେ କୃଷି ଉପତ୍ାଦନରେ ଶତକଡା ୪% ବୃଦ୍ଧି ପାଇବ। କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପ।ଳକ କହିଲେ, ସବୁଜ ବିପ୍ଳବ ସମୟରେ ଅଧିକ ଅମଳକ୍ଷମ ବିହନ ଏବଂ ରସାୟନିକ ସାର ପ୍ରୟୋଗର ଆବଶ୍ୟକତା ଉପଲବ୍ଧି କରାଯାଇଥିଲା। ମାତ୍ର ଏହାର ଅବିଚାରିତ ପ୍ରୟୋଗ ଦ୍ୱାରା ପରବର୍ତ୍ତୀ ସମୟରେ ମୃତ୍ତିକାର ଉର୍ବରତା ଏବଂ ମାନ ହ୍ରାସ ପାଇଥିଲା। ବର୍ତ୍ତମାନ ପାରମ୍ପରିକ କୃଷିର ଆବଶ୍ୟକତା ପରିଲକ୍ଷିତ ହେଉଛି। ପାରମ୍ପରିକ କୃଷିରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ହେବା ଦରକାର। ଏହି ଅବସରରେ ମନ୍ତ୍ରୀ ରାଉତ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଉଦ୍‌ଘାଟନ କରିଥିଲେ। ଅଗ୍ରଣୀ କୃଷକମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ଜୈବିକ ସାର କିଟ୍‌ ଏବଂ ଏକ ଆମ୍ବ କଲମୀ ଚାରା ପ୍ରଦାନ କରାଯାଇଥିଲା। ସେହିପରି ଜୈବିକ କୃଷି ଏବଂ କୃଷି ଉପକରଣକୁ ନେଇ ଓୟୁଏଟି ପରିସରରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। କୃଷକ ବୈଜ୍ଞାନିକ କର୍ମଶାଳାରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ, ଓୟୁଏଟିର ମୃତ୍ତିକା ବିଶାରଦ ଏବଂ ରାଜ୍ୟର ପ୍ରତ୍ୟେକ ଜିଲାରୁ ୧୦ ଜଣ ଲେଖାଏଁ ୩୦୦ ଅଗ୍ରଣୀ କୃଷକ ଯୋଗଦେଇଥିଲେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri