ଆସୁଛି ବର୍ଷା: ଜିଲାପାଳଙ୍କୁ ସତର୍କ କଲେ ମନ୍ତ୍ରୀ


ଭୁବନେଶ୍ୱର, ୪।୧୨(ବ୍ୟୁରୋ) ବଙ୍ଗୋପସାଗରରେ ଓ୍ବେଲମାର୍କ ଲଘୁଚାପ ସୃଷ୍ଟି ହେବା କାରଣରୁ ଚଳିତ ମାସ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଫସଲ କ୍ଷତିକୁ ଏଡାଇବା ସକାଶେ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି। ଏହାର ପ୍ରତିକାର ବ୍ୟବସ୍ଥା ଦେଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୋମବାର ସଚିବାଳୟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଭିଡ଼ିଓ କନଫରେନ୍ସିଂ ଜରିଆରେ ଜିଲାପାଳମାନଙ୍କ ସହ ଆଲୋଚନା କରିଥିଲେ। ବର୍ଷା ଫଳରେ ଫସଲହାନି ଯେପରି ନ ଘଟେ ସେ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି। ଏହାସହ ମରୁଡି, ରୋଗ ପୋକ ଆକ୍ରମଣ ଏବଂ ଅଦିନିଆ ବର୍ଷା ଯୋଗୁ ଫସଲହାନି ପରିପ୍ରେକ୍ଷୀରେ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ଇନ୍‌ପୁଟ ସବ୍‌ସିଡି ବଣ୍ଟନ କେତେ ମାତ୍ରାରେ ଅଗ୍ରଗତି ହୋଇଛି ସେ ସମ୍ପର୍କରେ ଆଲୋଚନା ହୋଇଛି। ଡିସେମ୍ବର ୧୫ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କାରଣରୁ ୭ତାରିଖରେ ଦକ୍ଷିଣ ଓଡିଶାର କୋରାପୁଟ, ମାଲକାନାଗିରି, ଗଜପତି, ରାୟଗଡା ଏବଂ ଗଞ୍ଜାମ ଜିଲା ଆଦିରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୮ ଏବଂ ୯ ତାରିଖରେ ଉପକୂଳବର୍ତ୍ତୀ ଜିଲାରେ ବର୍ଷା ହେବ। ୧୦ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳବର୍ତ୍ତୀ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଯେଉଁସବୁ ଚାଷ ଜମିରେ ଫସଲ କଟାଯାଇ ରଖାହୋଇଛି ତାକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ସହିତ ଯେଉଁଠାରେ ଫସଲ ଅମଳ ହୋଇନି ସେଠାରେ ଯଥାଶୀଘ୍ର ଫସଲ ଅମଳ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଏଥି ନିମନ୍ତେ ଜିଲା ପ୍ରଶାସନ ଓ କୃଷି ଅଧିକାରୀମାନଙ୍କ ପକ୍ଷରୁ ଚାଷୀଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଇକ ଯୋଗେ ପ୍ରଚାର ଓ ଗ୍ରାମମାନଙ୍କରେ ସଭା କରି ବର୍ଷା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇବାକୁ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ୧୬ ରୁ ୧୮ଟି ଜିଲା ବର୍ଷା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଫସଲ କ୍ଷତିକୁ ଏଡାଇବା ପାଇଁ ପ୍ରସ୍ତୁତ ରହିବା ଲାଗି ଜିଲାପାଳଙ୍କୁ କୁହାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri