ଅନାରା ହତ୍ୟା ମାମଲା: ଏତଲା ବଦଳାଇ ଅଭିଯୁକ୍ତଙ୍କୁ ସୁରକ୍ଷା


କଟକ ଅଫିସ, ୪।୧୨(କାହ୍ନୁଚରଣ ଦଳାଇ)- ଅନେକ ଘଟଣାରେ ପୋଲିସର କାର୍ଯ୍ୟ ହତ୍ୟା, ବଳାତ୍କାର ଭଳି ଯନ୍ତ୍ରଣାଠାରୁ ବଳିପଡ଼ୁଛି। ବିଶେଷ କରି ଗରିବ, ଅସହାୟ, ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ପୋଲିସ ଅଭିଯୁକ୍ତଙ୍କ ସୁରକ୍ଷାଦାତା ସାଜି ଏଭଳି କାର୍ଯ୍ୟ କରୁଛି, ଯାହା ପୀଡ଼ିତା, ପୀଡ଼ିତଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଉଛି। ତାହାର ଏକ ଉଦାହରଣ ହେଉଛି ଧର୍ମଶାଳା ଥାନା ଅଧୀନରେ ଘଟିଥିବା ଅନାରା ପରବିନ୍‌ ହତ୍ୟା ମାମଲା। ୨୦୧୧ରେ ଘଟିଥିବା ଏହି ହତ୍ୟାକାଣ୍ଡର ଜଣେ ମଧ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନାହିଁ। ବରଂ ଏତଲାରେ ବଳାତ୍କାର ଅଭିଯୋଗ କରାଯାଇଥିଲେ ମଧ୍ୟ ତାହାକୁ ବଦଳାଇ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ବନ୍ଦୋବସ୍ତ କରିଛି। ପୋଲିସର ଏଭଳି କାର୍ଯ୍ୟ ଜଣେ ଅସହାୟ ମା’ଙ୍କ ପାଇଁ ଯାବତୀୟ ଯାତନା ଆଣିଦେଇଛି। ସୂଚନାଥାଉ କି, ଜଗତ୍‌ସିଂହପୁର ଜିଲାର ତିର୍ତ୍ତୋଲ ଥାନା ପୋଲିସ ୨୦୦୯ରେ ଜଣେ ଯୁବତୀଙ୍କ ଉପରକୁ ହୋଇଥିବା ଏସିଡ୍‌ ମାଡ଼ ଘଟଣାରେ ଅଭିଯୁକ୍ତମାନଙ୍କୁ ସୁହାଇଲା ଭଳି କାର୍ଯ୍ୟ କରି ମାମଲାକୁ ବନ୍ଦ କରିଦେଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତତ୍କାଳୀନ ଇନ୍ସପେକ୍ଟର ଓ ଡିଏସ୍‌ପିଙ୍କୁ ନିଲମ୍ବିତ କରିଥିଲେ। ଅସହାୟ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ଗୁରୁତ୍ୱର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ପୋଲିସ ଅଧିକାରୀମାନେ ଏ ଦିଗରେ ଅବହେଳା କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଥିଲେ। ଏଭଳି କ୍ଷେତ୍ରରେ ଅନାରା ପରବିନ୍‌ ହତ୍ୟା ମାମଲାରେ ବେଆଇନ କାର୍ଯ୍ୟ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ କେବଳ ନିଲମ୍ବନ ନୁହେଁ, ହତ୍ୟା ମାମଲା ରୁଜୁ କରିବାକୁ ଦାବି ହେଉଛି। ପିଡ଼ୀତାଙ୍କ ମା’ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ଡିଜିପିଙ୍କ କାର୍ଯ୍ୟାଳୟରେ ଏଆଇଜି (ପର୍ସନେଲ) କେ.କେ. ଡଙ୍ଗାୟତଙ୍କୁ ଭେଟି ଅନୁରୋଧ କରିଛନ୍ତି। ୨୦ ବର୍ଷ ବୟସ୍କା ଅନାରା ପରବିନ୍‌ ଓରଫ ଚୁମ୍‌କି। ୨୦୧୧ ଏପ୍ରିଲ ୨୦ରେ ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଇସ୍ତମାପଡ଼ିଆ ନିକଟରେ ଥିବା ଗୋଟିକିଆ ଘର ମଧ୍ୟରେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ପୂର୍ବରୁ ତାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗକୁ ପୋଲିସ ଗୁରୁତ୍ୱ ଦେଇ ନ ଥିଲାବେଳେ ଅଭିଯୁକ୍ତଙ୍କୁ ଫେରାର ଦର୍ଶାଇ ଅଦାଲତରେ ଚାର୍ଜଶିଟ ଦାଖଲ କରିଛି। ଏଯାଏ କେହି ଜଣେ ମଧ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନାହିଁ। ଡିଜିପିଙ୍କୁ ଭେଟିବାକୁ ଆସିଥିବା ଅନାରାଙ୍କ ମା’ଙ୍କ କହିବାନୁଯାୟୀ, ଅନାରାଙ୍କ ମୃତଦେହ ନିକଟରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ। ଅନାରାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ତାହାକୁ ପ୍ରତିରୋଧ କରିବାକୁ ଯାଇ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଉଭୟେ ମରିଯାଇଥିବା ଭାବି ହତ୍ୟାକାରୀମାନେ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ଅନାରାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ଏ ସଂକ୍ରାନ୍ତରେ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଆଇପିସି ଦଫା ୩୦୨ ଓ ୩୦୭ ଅନୁଯାୟୀ ଏକ ମାମଲା (୮୭/୨୦୧୧) ରୁଜୁ କରିଥିଲା। କିନ୍ତୁ ଅଭିଯୁକ୍ତମାନଙ୍କୁ ସୁହାଇବା ଭଳି ପୋଲିସ ବଳାତ୍କାର ଅଭିଯୋଗକୁ ଗୁରୁତ୍ୱ ନ ଦେଇ, ଏତଲାକୁ ପରିବର୍ତ୍ତନ କରିଥିବା ଅନାରାଙ୍କ ମା’ ଅଭିଯୋଗ କରିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ଧର୍ମଶାଳା ପୋଲିସର ଭୂମିକା ପଦାକୁ ଆସିବା ସହ ଅଭିଯୁକ୍ତମାନେ ଗିରଫ ହୋଇପାରିବେ ବୋଲି ସେ କହିଛନ୍ତି। ଅନାରାଙ୍କ ମା’ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘର ରାଜ୍ୟ ପ୍ରଭାରୀ ସଞ୍ଜିତ୍‌ ସାମଲ, ରାଜ୍ୟ ମହିଳା ସଭାନେତ୍ରୀ ବନଶ୍ରୀ ମହାପାତ୍ର, ରାଜ୍ୟ ସମ୍ପାଦକ ସୁଧାଂଶୁ ପରିଡ଼ା ପ୍ରମୁଖଙ୍କ ସହ ଡିଜିପିଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଥିବା ଅଭିଯୋଗ ପ୍ରକୋଷ୍ଠରେ ସେ ଉପରୋକ୍ତ ଅଭିଯୋଗ କରିଥିଲେ। ମହାସଂଘର ରାଜ୍ୟ ପ୍ରଭାରୀ ସାମଲ କୁହନ୍ତି, ଥାନା ସ୍ତରରେ ପୋଲିସର କାର୍ଯ୍ୟକଳାପ ଏପରି ହୋଇଗଲାଣି ଯେ ଲୋକମାନେ ନ୍ୟାୟ ପାଇବା ବିରଳ କଥା ହେଲାଣି। କେବଳ ଏହି ଘଟଣା ନୁହେଁ ଅନେକ ମାମଲାରେ ପୋଲିସ ଅଭିଯୁକ୍ତଙ୍କ ପାଇଁ ନିଜେ ଅପରାଧମୂଳକ କାର୍ଯ୍ୟ କରୁଛି। ଏଆଇଜି ଡଙ୍ଗାୟତ କୁହନ୍ତି, ଘଟଣାର ତଦନ୍ତ ପାଇଁ ଯାଜପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଏକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri