କେନ୍ଦ୍ର ନ କଲେ ରାଜ୍ୟ ଗଢିବ


ଭୁବନେଶ୍ୱର,୪।୧୨(ବ୍ୟୁରୋ)ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ୨ୟ ବ୍ରାହ୍ମଣୀ ସେତୁକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗକୁ ନେଇ ଭାଜପା ବିଧାୟକ ଦିଲୀପ ରାୟ ଓ କେନ୍ଦ୍ର ମଧ୍ୟରେ ମୁହାଁମୁହଁି ପରିସ୍ଥିତି ଉପୁଜିଥିଲା। ଏବେ ବ୍ରାହ୍ମଣୀକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ସମ୍ପୂର୍ଣ୍ଣ ଘଟଣାକୁ ନୂଆ ମୋଡ ଦେଇଛି। ସୋମବାର ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ରାଉରକେଲାର ପାନପୋଷ ନିକଟସ୍ଥ ଜାତୀୟ ରାଜପଥ ନଂ ୧୪୩ ବୀରମିତ୍ରପୁର ଏବଂ ବାରକୋଟକୁ ସଂଯୋଗ କରିଛି ବ୍ରାହ୍ମଣୀ ସେତୁ । ଏହି ସେତୁ ସ୍ଥାନୀୟ ଅଞ୍ଚଳର ଜୀବନରେଖା। ଭାରି ଖଣିଜ ପଦାର୍ଥ ପରିବହନ ଓ ବାଣିଜି୍ୟକ କାମରେ ବ୍ୟବହୃତ ଏହି ସେତୁ ଦୁର୍ବଳ ହୋଇ ପଡିଲାଣି। ବାରମ୍ବାର ଅନୁରୋଧ ସତ୍ତ୍ୱେ ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାମ ଆରମ୍ଭ କରିନାହାନ୍ତି । ଅସ୍ବାଭାବିକ ଭାବେ ହେଉଥିବା ଏହି ବିଳମ୍ବ ପ୍ରକ୍ରିୟା ବିପର୍ଯ୍ୟୟ ଆଣିଦେଇପାରେ ବୋଲି ନବୀନ ନିଜ ଚିଠି ମାଧ୍ୟମରେ ଚେତାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ପୂର୍ବରୁ ଏ ପ୍ରସଙ୍ଗରେ ୨ ଡିସେମ୍ବର ୨୦୧୪ ଓ ୨୪ ମେ ୨୦୧୭ରେ ଦେଇଥିବା ଚିଠି କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ସୋମବାର ପୂର୍ବାହ୍ନରେ ବିଜେଡି ବିଧାୟକ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦ୍ୱିତୀୟ ସେତୁ ନେଇ ଆଲୋଚନା କରିଥିଲେ। ଏହାପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ, ବ୍ରାହ୍ନଣୀ ନଦୀ ଉପରେ ସେତୁ ନିର୍ମାଣର ଆବଶ୍ୟକତା ସରକାର ଉପଲବ୍ଧ କରୁଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ ନେଇ ରାଜ୍ୟ ସରକାର କେନ୍ଦ୍ର ସହ ଆଲୋଚନା କରିବେ। ଯଦି ଆବଶ୍ୟକତା ପଡେ, ତେବେ ରାଜ୍ୟ ସରକାର ନିଜ ପାଣ୍ଠିରୁ ୬ ଲେନ୍‌ ବିଶିଷ୍ଟ ଏହି ସେତୁ ନିର୍ମାଣ କାମ ହାତକୁ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରତିନିଧି ଦଳ ସହ ଆଲୋଚନା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରକାଶ ଯେ, ଦିଲୀପ ରାୟ ଭାଜପାର ବିଧାୟକ । ସେ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ବାରମ୍ବାର ସମାଲୋଚନା କରିଥିବାରୁ ଦଳ ପାଇଁ ଅଡୁଆ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୋମବାର ଦେଇଥିବା ମନ୍ତବ୍ୟ ଓ ଚିଠି ନେଇ ଭାଜପାର ୨ କେନ୍ଦ୍ରମନ୍ତ୍ରୀ ମତାମତ ରଖିଛନ୍ତି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ କହିଛନ୍ତି ଯେ, ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ଏନ୍‌ଏଚ୍‌ଏଆଇ ଟଙ୍କା ମଞ୍ଜୁର କରିଥିଲା। ଏପରିକି ଗେମନ ଇଣ୍ଡିଆ ଟେଣ୍ଡର ନେଇଥିଲା। ସେ ସମୟରେ କେନ୍ଦ୍ରରେ କଂଗ୍ରେସ ଓ ରାଜ୍ୟରେ ବିଜେଡି ସରକାର ଥିଲା । ସେତେବେଳେ କ’ଣ ପାଇଁ ସେତୁ ସକାଶେ ଆନ୍ଦୋଳନ କି ଜମି ଅଧିଗ୍ରହଣ କଲେନାହିଁ ବୋଲି ଜୁଏଲ୍‌ ପାଲଟା ପ୍ରଶ୍ନ କରିଛନ୍ତି। ସେତୁ ନିର୍ମାଣକୁ ନେଇ ରାଜ୍ୟ ସରକାର ରାଜନୀତି କରୁଛନ୍ତି। ମୁଖ୍ୟମନ୍ତ୍ରୀ ଜାଣିଶୁଣି ସୁନ୍ଦରଗଡ ଜିଲାରେ କୌଣସି କେନ୍ଦ୍ରୀୟ ପ୍ରକଳ୍ପ କରିବାରେ ସହଯୋଗ କରୁନାହାନ୍ତି। ଏହି ଅସହଯୋଗ ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେ ଆପତ୍ତି କରିବେ ବୋଲି ଜୁଏଲ୍‌ କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆରେ ୩ଟି ଟୁଇଟ୍‌ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସେତୁ ନିର୍ମାଣ ପାଇଁ ଥିବା ବୈଧାନିକ ଅନୁମତି ରାଜ୍ୟ ସରକାର ପ୍ରଦାନ କରିବା କଥା, ତାହା କରିନାହାନ୍ତି। ରାଜ୍ୟ ଜଙ୍ଗଲ ବିଭାଗର ଅନୁମତି ମିଳିନାହିଁ। ଗତ ୨୫ ଅକ୍ଟୋବରରେ ଦେବଗଡ ଜିଲା ବନ ଅଧିକାରୀ ଦ୍ୱାରା ଏ ପ୍ରସଙ୍ଗ ଉଠାଯାଇଥିଲେ ବି ଉତ୍ତର ମିଳି ନ ଥିବା ଧର୍ମେନ୍ଦ୍ର କହିଛନ୍ତି। ସେହିପରି ବଣାଇ ଡିଏଫ୍‌ଓଙ୍କ ଦ୍ୱାରା ବାରମ୍ବାର ଉତ୍ତର ମଗାଯାଇଛି। ଗତ ସେପ୍ଟେମ୍ବର ୧୮ରେ ଆପତ୍ତି ଉଠାଯାଇଛି। ତେଣୁ ବ୍ରାହ୍ମଣୀ ନଦୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦିବା ବଦଳରେ ରାଜ୍ୟ ସରକାର ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri