ଅସୀମ ଦା’ଙ୍କୁ ଝୁରିଲା ଆଇଏଫ୍‌ଏଫ୍‌ଆଇ


ଭୁବନେଶ୍ୱର,୪।୧୨(ବ୍ୟୁରୋ)- ସେ ଆଉ ନାହାନ୍ତି। ହେଲେ ତାଙ୍କୁ ଏବେ ବି ଝୁରୁଛି ରବୀନ୍ଦ୍ରମଣ୍ଡପ ମଞ୍ଚ। କେବଳ ରବୀନ୍ଦ୍ର ମଣ୍ଡପ ନୁହେଁ, ଓଡ଼ିଶା ମଞ୍ଚ ଓ ସିନେ ଜଗତରେ ତାଙ୍କ ଶୂନ୍ୟସ୍ଥାନ ପୂରଣ ହୋଇ ନ ଥିବାବେଳେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ(ଆଇଏଫ୍‌ଏଫ୍‌ଆଇ) ମନେପକାଇଛି ତାଙ୍କୁ। ସେ ଆଉ କେହି ନୁହନ୍ତି। ଓଡ଼ିଆ ମଞ୍ଚ ଜଗତର ଭୀଷ୍ମ ପିତାମହ କୁହାଯାଉଥିବା ନିର୍ଦ୍ଦେଶକ ଓ ଅଭିନେତା ସ୍ବର୍ଗତ ଅସୀମ ବସୁ। ୨୦୧୭ ଫେବୃୟାରୀ ୧ରେ ସେ ଦେହତ୍ୟାଗ କରିଥିବା ବେଳେ ମଞ୍ଚ ଓ ସିନେମାରେ ଅବଦାନ ଲାଗି ତାଙ୍କୁ ସ୍ମରଣ କରିଛି ଆଇଏଫ୍‌ଏଫ୍‌ଆଇ। ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆର ପଣାଜୀରେ ଅନୁଷ୍ଠିତ ହୋଇଥିବା ୪୮ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆରେ ଅସୀମ ଦାଙ୍କୁ ମନେପକାଇଥିଲା ଉତ୍ସବ ମଞ୍ଚ। ଏହି ଅନ୍ତର୍ଜାତୀୟ ଉତ୍ସବରେ ଚଳିତବର୍ଷ ବିୟୋଗ ଘଟିଥିବା ଦେଶର କଳା ଓ ସଙ୍ଗୀତ ଜଗତ ସହ ଜଡିତ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସ୍ମୃତିଚାରଣ କରାଯାଇଥିଲା। ଯେଉଁଥିରେ ଏକମାତ୍ର ଓଡ଼ିଆଭାବେ ଅସୀମ ଦାଙ୍କ ସ୍ମୃତି ରହିଥିବା ଦେଖିବାକୁ ମିଳିଥିଲା। ଏହାସହ ବଲିଉଡ୍‌ ଅଭିନେତା ଓମ୍‌ ପୁରୀ, ବିନୋଦ ଖାନ୍ନା, ଜୟଲଲିଥା, ଟମ୍‌ ଅଲଟର, କର୍ନାଟକୀ ସଙ୍ଗୀତଜ୍ଞ ଏମ୍‌. ବାଲ୍‌ ମୁରଲୀକ୍ରିଷ୍ଣନ୍‌, ନିର୍ଦ୍ଦେଶକ ଦଶାରିନାରାୟଣ ରାଓ, ଅଭିନେତ୍ରୀ ରିମା ଲାଗୋ ଏବଂ ଶକୀଲାଙ୍କ ଭଳି କଳାକାରଙ୍କ ଉଦ୍ଦେଶ୍ୟରେ ମଧ୍ୟ ସ୍ମୃତିଚାରଣ କରିଥିଲା ଆଇଏଫ୍‌ଏଫ୍‌ଆଇ। ବରିଷ୍ଠ ଅଭିନେତ୍ରୀ ଶ୍ରୀଦେବୀ ଏହି ମେମୋରିଆନ୍‌ ସେକ୍ସନକୁ ପରିଚାଳନା କରିଥିବାବେଳେ ଏଥିରେ ଅସୀମ ଦାଙ୍କ ବିରଳ ପ୍ରତିଭାକୁ ବର୍ଣ୍ଣନା କରାଯାଇଥିଲା। ଏହାସହ ଓଡ଼ିଶାରେ ମଞ୍ଚ ଓ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଜାଣିଥିଲେ ଦେଶ ଓ ବିଦେଶରୁ ଆସିଥିବା ଶହ ଶହ ପ୍ରତିନିଧି। ଓଡିଆ ରଙ୍ଗମଞ୍ଚର ଏହି ନିଷ୍ଠାପର କଳାସାଧକ, ତୂଳୀକାର, ମଞ୍ଚଶିଳ୍ପର କୃତି ବିନ୍ଧାଣୀ, କଥାକାର, ଅଭିନେତା ଓ ନିର୍ଦ୍ଦେଶକ ଗତ ଫେବୃୟାରୀ ୧ ତାରିଖରେ ୮୨ବର୍ଷ ବୟସରେ ପ୍ରାଣ ହରାଇଥିଲେ। କଳାକାର, ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ଓ ସାହିତି୍ୟକଭାବେ ଦୀର୍ଘ ୫୦ବର୍ଷରୁ ଊଦ୍ଧର୍‌ବ ସମୟ ଧରି ଓଡିଶାର କଳା, ସଂସ୍କୃତି ଓ ସାହିତ୍ୟ ଜଗତ ସହ ଜଡିତ ରହି ରାଜ୍ୟ ଓ ରାଜ୍ୟ ବାହାରେ ସୁଖ୍ୟାତି ଅର୍ଜନ କରିଥିଲେ। ବିଭିନ୍ନ ନାଟ୍ୟାନୁଷ୍ଠାନ ସହ କାମକରି ଓଡିଆ ମଞ୍ଚ ନାଟକକୁ ଏକ ନୂତନ ପରିଚୟ ଦେଇଥିଲେ। ପ୍ରଶାନ୍ତ ନନ୍ଦଙ୍କ ‘ଜଗାବଳିଆ’ରୁ ତାଙ୍କର ଫିଲ୍ମଜୀବନ ଆରମ୍ଭ ହୋଇଥିଲା। କଳାକ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ୨୦୧୦ ମସିହାରେ ଅସୀମ ବସୁ ରାଜ୍ୟ ଚିତ୍ରକଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପାଇବାକୁ ମନୋନୀତ ହୋଇଥିଲେ ମଧ୍ୟ ପୁରସ୍କାର ପାଇବା ପୂର୍ବରୁ ଦେହତ୍ୟାଗ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri