ଲୋୟର ପିଏମ୍‌ଜିରେ ଗର୍ଜିଲେ ପାଚିକା ସହାୟିକା


ଭୁବନେଶ୍ୱର, ୪।୧୨ (ବ୍ୟୁରୋ)-ପାଚିକା ସହାୟିକାମାନଙ୍କୁ ସରକାରୀ ମାନ୍ୟତା ସହ ମାସିକ ୧୮ହଜାର ଟଙ୍କା ଦରମା ଆଦି ୧୨ ଦଫା ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସମନ୍ବୟ ସମିିତି ଆନ୍ଦୋଳନକୁ ଓହ୍ଲାଇଛି। ସୋମବାର ୮ହଜାରରୁ ଅଧିକ ପାଚିକା ଓ ସହାୟିକା ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଲୋୟର ପିଏମ୍‌ଜିରେ ଦାବି ପୂରଣ ନେଇ ଗର୍ଜିଥିଲେ। ଏଆଇଟିୟୁସି, ସିଆଇଟିୟୁ ଓ ଏଆଇୟୁଟିୟୁସିକୁ ନେଇ ଗଠିତ ସମନ୍ବୟ ସମିତିର ମିଳିତ ଆହ୍ବାନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ପାଚିକା ସହାୟିକା ମାଷ୍ଟରକ୍ୟାଣ୍ଟିନ ଛକରେ ଏକତ୍ରିତ ହୋଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ଏଆଇଟିୟୁସି ସାଧାରଣ ସମ୍ପାଦକ ସୌରୀବନ୍ଧୁ କର, ସିଆଇଟିୟୁର ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଓ ଏଆଇୟୁଟିୟୁସିର ସାଧାରଣ ସମ୍ପାଦକ ଜୟସେନ୍‌ ମେହେର ନେତୃତ୍ୱ ନେଇଥିଲେ। ସମନ୍ବୟ ସମିତି ସଭାପତି ଦେବାଶିଷ ଘୋଷ କହିଲେ, ଉଚ୍ଚବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀକୁ ପୃଥକ୍‌ କରାଯିବା ପରେ ଅନେକ ପାଚିକା ସହାୟିକା ଛଟେଇ ହୋଇଛନ୍ତି। ସେମାନଙ୍କୁ ସରକାର ଅନ୍ୟତ୍ର ନିଯୁକ୍ତି ଦିଅନ୍ତୁ। ପାଚିକା ସାହାୟିକା ବର୍ଷକୁ ୧୦ମାସ ପାଉଥିବାବଳେ ଏହାକୁ ପରିବର୍ତ୍ତନ କରି ୧୨ମାସର ଦରମା ଦେବା, ମଧ୍ୟାହ୍ନ ଭୋଜନ ଯୋଗାଣରେ ଘରୋଇ କମ୍ପାନୀର ଚୁକ୍ତିନାମାକୁ ରଦ୍ଦ କରିବା, ବକେୟା ୨୮ମାସର ବର୍ଦ୍ଧିତ ପାରିଶ୍ରମିକ ଦେବା ଆଦି ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ଘୋଷ କହିଥିଲେ। ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ସହସାଧାରଣ ସମ୍ପାଦକ ବିଜୟ ଜେନା, ଇଷାନି ଷଢଙ୍ଗୀ, କ୍ଷୀରମଣି ମହନ୍ତ, କମଳ ଷଣ୍ଢ, ପି. ରେଣୁକା ଦୋରା, ରାଜକିଶୋର ମଲ୍ଲିକ୍‌, ପ୍ରଦୀପ ରାମ, ବ୍ରଜବନ୍ଧୁ ନାୟକ, ରଜନୀ ବିଶି, ସୁନିତା ପଣ୍ଡା, ମୀନା ମହାନ୍ତି, ଲକ୍ଷ୍ମୀ ପ୍ରିୟା ପାଣ୍ଡବ ଭୋଇ, ରଞ୍ଜିତା ମହାକୁଡ, ପୀତବାସ ବେହେରା, ଉତ୍ତମ ମଲ୍ଲିକ୍‌, ରବି ରଥ, ଉପେନ୍ଦ୍ର ଶର୍ମା, ପ୍ରତିମା ତରାଇ ଓ ପ୍ରବୀଣ ଦାସ ପ୍ରମୁଖ ପରିଚାଳନା କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri