ଖଣିଜ ସମୃଦ୍ଧ ଅଞ୍ଚଳର ଅନ୍ଧାରି ମୁଲକ


ଯୋଡ଼ା,୩।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅସେଇଁକଳା ଗ୍ରାମ ପଞ୍ଚାୟତ ଜଙ୍କସାହିର ଗ୍ରାମବାସୀ ସ୍ବାଧୀନତାର ୭୦ବର୍ଷ ପରେ ବି ଅନ୍ଧାରୀମୁଲକର ବାସିନ୍ଦା ହୋଇରହିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ ଅପହଞ୍ଚ ହୋଇଛି। ବ୍ଲକ ସଦରମହକୁମାଠାରୁ ମାତ୍ର ପ୍ରାୟ ୧୨ କି.ମି ଦୂରରେ ଅବସ୍ଥିତ ଅସେଇଁକଳା ପଞ୍ଚାୟତର ଜଙ୍କସାହି। ଏହି ଗ୍ରାମରେ ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ଖଣି ଓ ଶିଳ୍ପ ସମୃଦ୍ଧ ପାରିପାର୍ଶ୍ୱିକ ଅଞ୍ଚଳ ହୋଇଥିଲେ ହେଁ ଏହି ଆଦିବାସୀ ବହୁଳ ଗ୍ରାମର ଲୋକଙ୍କ କୌଳିକ ବୃତ୍ତି ଚାଷ, ପଶୁପାଳନ ଓ ଦିନ ମଜୁରିଆ ଶ୍ରମିକ ଭାବେ କାମ କରନ୍ତି। ଏହି ଗ୍ରାମର ଭୋଟର ସଂଖ୍ୟା ୩ଶହରୁ ଊର୍ଦ୍ଧ୍ୱ। ସମ୍ପୃକ୍ତ ଗ୍ରାମରେ ବସବାସ କରୁଥିବା ସମସ୍ତ ଲୋକେ ଆଦିବାସୀ ସମ୍ପ୍ରଦାୟର। ସେମାନେ ଅବହେଳିତ ଓ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଜଙ୍କସାହିକୁ ଯିବା ପାଇଁ ରାସ୍ତା ଟିଏ ନାହିଁ। ଗ୍ରାମବାସୀ ନିଜେ ଗ୍ରାମ ରାସ୍ତାକୁ ନିର୍ମାଣ କରିଥିବା ଗ୍ରାମର ମଧୁ ମୁଣ୍ଡା, କାଳିଚରଣ ମୁଣ୍ଡା, ବାସିଙ୍ଗା ମୁଣ୍ଡା କହିଛନ୍ତି। ବର୍ଷା ଦିନେ ଆମ୍ବ୍‌ୁଲାନ୍ସ ଗ୍ରାମକୁ ଆସି ପାରେ ନାହିଁ। ଗ୍ରାମବାସୀ ରୋଗୀଙ୍କୁ ଦଉଡ଼ିଆ ଖଟରେ ଚାରି କାନ୍ଧରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥାନ୍ତି। ବିକାଶଠାରୁ ବହୁ ପଛରେ ଏହି ଗ୍ରାମ ରହିଛି। ଶିଳ୍ପ ଓ ଖଣି କମ୍ପାନୀର ଉଚ୍ଚଶକ୍ତି ସମ୍ପନ୍ନ ଆଲୋକର ଛାଇ ଆଲୁଅ ପଡୁଥିବା ବେଳେ ଗ୍ରାମର ଲୋକମାନେ ଡିବିରି ଓ ଲଣ୍ଠନ ଆଲୁଅ ଜଳାଇବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ସରଳ ଆଦିବାସୀ ଏହି ଗ୍ରାମ ଲୋକେ ବିକାଶର ଅର୍ଥ କ’ଣ ଜାଣିନାହାନ୍ତି। ଦୀର୍ଘ ୧୦ବର୍ଷ ତଳେ ଗ୍ରାମରେ ସରକାରଙ୍କ ପକ୍ଷରୁ ବିଦ୍ୟୁତ ସଂଯୋଗ ପାଇଁ ସର୍ଭେ କରାଯାଇ ଘରଗୁଡିକରେ ବିଦ୍ୟୁତ ସରଞ୍ଜାମ ଲଗାଯାଇଥିଲା। ମାତ୍ର ବିଦ୍ୟୁତ୍‌ ସଂଯୋଗ ନ ହେବାରୁ ତାହା ନଷ୍ଟ ହୋଇଯାଇଛି। ଗ୍ରାମର ଛାତ୍ରୀ ସୁମିତ୍ରା ମୁଣ୍ଡା, ଜାବାନୀ ମୁଣ୍ଡା, ଫୁଲମତୀ ମୁଣ୍ଡା କହନ୍ତି ଯେ, ଏଠାରେ ବିଜୁଳି ନ ଥିବାରୁ ସେମାନଙ୍କୁ ଡିବିରି ଆଲୁଅରେ ପାଠ ପଢ଼ିବାକୁ ପଡୁଛି। ଡିବିରିବତିର କିରୋସିନ ଗନ୍ଧରେ ସେମାନେ ଅସହ୍ୟ ହେଉଛି। ରାତିରେ ପାଠ ପଢି ପାରନ୍ତିନି। ଗ୍ରାମର ଶିକ୍ଷିତ ମହିଳା ପଦ୍ମିନୀ ମୁଣ୍ଡା କହିଛନ୍ତି ଯେ, ସେ ଗ୍ରାମ ନିକଟସ୍ଥ ଦେଓଝର ସ୍କୁଲକୁ ଯାଇ ପାଠ ପଢିଛନ୍ତି। ଅଧିକ ପଢିବା ପାଇଁ ଇଚ୍ଛା ଥିଲେ ହେଁ ବାଧକ ସାଜିଛି ଅନ୍ଧକାର। ଗ୍ରାମର ଆଶା କର୍ମୀ ସୁମିତ୍ରା ମୁଣ୍ଡା କହିଛନ୍ତି, ଗ୍ରାମର ଗର୍ଭବତୀ ମହିଳାମାନଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରାତ୍ରି ବେଳା ନେବା ପାଇଁ ବହୁ ଅସୁବିଧା ର ସମ୍ମୁଖିନ ହେଉଛୁ। ଜରୁରୀ ସମୟରେ ଡିବିରି ଆଲୁଅରେ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଯାଇଥାଏ। ରାତି ହେଲେ ପୁଣି ହାତୀ ଭୟ ରହିଛି। ଲୋକେ ଆତଙ୍କିତ ହୋଇ ରହିଥାନ୍ତି। ଗ୍ରାମରେ ବିଦ୍ୟୁତ ସଂଯୋଗ ପାଇଁ ଯୋଡା ବ୍ଲକରେ ବାରମ୍ବାର ଜଣାଇଛି। ୨ ମାସ ତଳେ କେନ୍ଦୁଝର ଜିଲାପାଳଙ୍କୁ ଏ ନେଇ ଗ୍ରାମବାସୀ ଜଣାଇଥିଲେ ହେଁ କୌଣସି ସୁଫଳ ମିଳି ପାରି ନାହିଁ ବୋଲି ଗ୍ରାମର କାଳିଚରଣ ମୁଣ୍ଡା କହିଛନ୍ତି। ଖାଲି ପ୍ରତିଶ୍ରୁତି ମିଳୁଛି ବିକାଶ ଶୂନ। ଗ୍ରାମରେ କାହାରିକୁ ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କା ଘର ମିଳି ପାରି ନାହିଁ। ଲୋକଙ୍କୁ ସ୍ଥାନୀୟ ଖଣି ଓ ଶିଳ୍ପରେ ଶ୍ରମିକ ଭାବେ ମଧ୍ୟ ନିଯୁକ୍ତି ମିଳୁନାହିଁ। ଲୋକେ ଅଧିକ ମୂଲ୍ୟ ଦେଇ ବାହାର ବଜାରରୁ କିରୋସିନ କିଣୁଛନ୍ତି। ଏହି ଗ୍ରାମ ନିକଟରେ ଏକ ଶିଳ୍ପ କମ୍ପାନୀ ରହିଛି। ଉକ୍ତ ଶିଳ୍ପ କମ୍ପାନୀର ଉଜ୍ଜ୍ୱଳ ଲାଇଟ ଦେଖାଯାଏ ମାତ୍ର ତାଙ୍କ ଗ୍ରାମକୁ କମ୍ପାନୀ ପକ୍ଷରୁ ବିଦ୍ୟୁତ ସଂଯୋଗ ଦିଆଯାଇନି ବୋଲି ଗ୍ରାମବାସୀ ଗୁରା ମୁଣ୍ଡା କହିଛନ୍ତି। ଏ ସମ୍ପର୍କରେ ଯୋଡ଼ା ବିଡିଓଙ୍କ ସହିତ ଯୋଗାଯୋଗ ହୋଇ ପାରି ନ ଥିବା ବେଳେ କେନ୍ଦୁଝର ଜିଲାପାଳ ଏନ୍‌. ତିରୁମାଲା ନାୟକ କହିଛନ୍ତି ଯେ, ଜିଲାରେ ଥିବା ୪୫ ବିଦ୍ୟୁତ ନ ଥିବା ରାଜସ୍ବ ଗ୍ରାମରେ ବିଦ୍ୟୁତ ସଂଯୋଗୀକରଣ ଶେଷ ହୋଇଛି। ୨୦୧୬ ମସିହା ସେପ୍ଟେମ୍ବରରୁ ଏକ ଠିକା କମ୍ପାନୀକୁ ଏହି କାର୍ଯ୍ୟ ଦିଆଯାଇ ଜିଲାରେ ଥିବା ୬ହଜାର ସାହି (ହାମଲେଟ) ମଧ୍ୟରୁ ମାତ୍ର ୨ଶହ ସାହିକୁ ବିଦ୍ୟୁତ ସଂଯୋଗ କରାଯାଇଛି। କାର୍ଯ୍ୟ କରୁଥିବା ଠିକା ସଂସ୍ଥା କମ ଲୋକଙ୍କୁ ନେଇ ଏହି କାର୍ଯ୍ୟ କରୁଥିବାରୁ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଛି। ଏଥିପାଇଁ ଉକ୍ତ ଠିକା ସଂସ୍ଥାକୁ ତାଗିଦ କରି ଦିଆଯାଇଛି। ଖୁବ ଶୀଘ୍ର ଜିଲାର ବିଦ୍ୟୁତ ନ ଥିବା ରାଜସ୍ବ ଗ୍ରାମଗୁଡିକରେ ଆଲୋକର ବ୍ୟବସ୍ଥା କରାଯିବ। -ରିପୋର୍ଟ: ମାନସ ମହାନ୍ତି

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri