ରବିବାର ଆକାଶରେ ‘ସୁପରମୁନ୍‌’


ଭୁବନେଶ୍ୱର,୩।୧୨(ବ୍ୟୁରୋ): ରବିବାର ଆକାଶରେ ସୁପରମୁନ୍‌ ଦେଖିବାକୁ ମିଳିଛି। ଚନ୍ଦ୍ର ପୃଥିବୀର ନିକଟବର୍ତ୍ତୀ ହେବା ସଙ୍ଗକୁ ଏହା ଅପେକ୍ଷାକୃତ ଅଧିକ ଉଜ୍ଜ୍ୱଳ ଏବଂ ବଡ଼ ଦେଖାଯାଇଥିଲା। ଏହା ସ୍ବାଭାବିକ ପୂର୍ଣ୍ଣଚନ୍ଦ୍ର ଅପେକ୍ଷା ୭% ବଡ଼ ଏବଂ ୧୫% ଅଧିକ ଉଜ୍ଜ୍ୱଳ ପ୍ରତୀୟମାନ ହୋଇଥିଲା। ଡିସେମ୍ବର ମାସରେ ଏଭଳି ଅପେକ୍ଷାକୃତ ବଡ଼ ଓ ଉଜ୍ଜ୍ୱଳ ଚନ୍ଦ୍ର ଦେଖାଯିବା ଘଟଣାକୁ ପାରମ୍ପରିକ ଭାବରେ ‘କୋଲ୍ଡ ମୁନ୍‌’ ବା ‘ଶୀତଳ ଚନ୍ଦ୍ରମା’ ବୋଲି କୁହାଯାଏ। ରବିବାରର ପୂର୍ଣ୍ଣିମା ରାତ୍ରିରେ ଦୃଶ୍ୟମାନ ଏହା ଏକ ମହାଜାଗତିକ ଘଟଣା ଏବଂ ୨୦୧୭ର ପ୍ରଥମ ସୁପର ମୁନ୍‌। ମହାକାଶ ବିଜ୍ଞାନୀଙ୍କ ମତ ଅନୁଯାୟୀ, ସୁପରମୁନ୍‌ ସେହିଦିନ ହୁଏ ଯେଉଁଦିନ ଚନ୍ଦ୍ର ପୃଥିବୀ ଚାରିପାଖରେ ଘୂରୁଥିବା ବେଳେ ଏହାର ଅତି ନିକଟତମ ଦୂରତାରେ ଅବସ୍ଥାନ କରେ। ଚନ୍ଦ୍ରର କକ୍ଷପଥ ଅଣ୍ଡାକାର ହୋଇଥିବାରୁ ପୃଥିବୀଠାରୁ ନିକଟତମ ସ୍ଥାନ (ପେରିଜି) ଅପେକ୍ଷା ଦୂରତମ ସ୍ଥାନ (ଆପୋଜି) ୫୦,୦୦୦ କିଲୋମିଟର ଅଧିକ। କିନ୍ତୁ ଏହି କକ୍ଷପଥରେ ଆଉ କିଛି ପରିବର୍ତ୍ତନ ସୂର୍ଯ୍ୟ ଚାରିପାଖରେ ପୃଥିବୀର ପରିକ୍ରମଣ ହେତୁ ମଧ୍ୟ ଘଟିଥାଏ। ସବୁ ପୂର୍ଣ୍ଣିମାରେ ଚନ୍ଦ୍ର ପୃଥିବୀର ନିକଟବର୍ତ୍ତୀ ହୋଇ ନ ଥାଏ। କିନ୍ତୁ ବେଳେବେଳେ ପୂର୍ଣ୍ଣିମା ତିଥିରେ ଚନ୍ଦ୍ର ପୃଥିବୀର ଅତି ନିକଟବର୍ତ୍ତୀ ହେଲେ ଏହିଦିନ ସୁପରମୁନ୍‌ ହୋଇଥାଏ। ରବିବାର ରାତ୍ରି ଆକାଶରେ ଦୃଶ୍ୟମାନ ସୁପରମୁନ୍‌ ୩-ସୁପରମୁନ୍‌ ସିରିଜ୍‌ର ପ୍ରଥମ। ପରବର୍ତ୍ତୀ ଦୁଇଟି ସୁପରମୁନ୍‌ ୨୦୧୮ ଜାନୁୟାରୀ ୧ ଏବଂ ୩୧ରେ ଦେଖାଯିବ। ୧୯୪୮ ପରଠାରୁ ଶେଷଥର ଲାଗି ୨୦୧୬ରେ ଆକାଶରେ ସୁପରମୁନ୍‌ ଦେଖିବାକୁ ମିଳିଥିଲା। ପୁନର୍ବାର ଏଭଳି ଏକ ସୁପରମୁନ୍‌ ୨୦୩୪ ନଭେମ୍ବର ୨୫ରେ ଦେଖିବାକୁ ମିଳିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri