କର୍ମୀ ସମ୍ମିଳନୀ: ବିଜେଡ଼ିରେ ମିଶିଲେ ନାରାୟଣ


ବରଗଡ଼ ଅଫିସ୍‌/ବିଜେପୁର,୩।୧୨ ବରଗଡ଼ ଜିଲା ବିଜେପୁର ହାଇସ୍କୁଲ ପଡ଼ିଆରେ ରବିବାର ପୂର୍ବାହ୍ନରେ ବିଜେଡ଼ିର କର୍ମୀ ସମ୍ମିଳନୀ ତଥା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ହସ୍ତତନ୍ତ ଓ ବୟନ ଶିଳ୍ପମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଏମ୍‌ପି ଡଃ ପ୍ରଭାସ ସିଂ, ପୂର୍ବତନ ବିଧାୟକ ସୁଧୀର ସାମଲ, ଦଳୀୟ ପ୍ରାର୍ଥିନୀ ରୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଦଳର ଏହି ତୁଙ୍ଗନେତାଙ୍କ ଉପସ୍ଥିତିରେ ଭାଜପାର ପୂର୍ବତନ ଜିଲା ସଭାପତି ନାରାୟଣ ସାହୁ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ମିଶିଥିଲେ। ପୂର୍ବତନ ବରପାଲି ବିଡ଼ିଓ ପ୍ରଫୁଲ୍ଲ ଦଫାଦାର, ଭାଜପା ଓବିସି ମୋର୍ଚ୍ଚାର ପୂର୍ବତନ ଜିଲା ସଭାପତି କଂଗ୍ରେସ ସାହୁଙ୍କ ସମେତ ମୀନକେତନ ସାହୁ, ଯଦୁମଣି ସାହୁ, ଅଭି ସାହୁ, ହର୍ଷ ଭିତିରିଆ, ପ୍ରହ୍ଲାଦ ସାହୁ, ରୋହିତ ସାହୁ, ଆଲୋକ ସାହୁ, ବଲରାମ ସାହୁ, ଚୂଡ଼ାମଣି ସାହୁ ଗୁରୁଦେବ ସାହୁ ପ୍ରମୁଖ ଶତାଧିକ ଭାଜପା କର୍ମୀ ମଧ୍ୟ ବିଜେଡ଼ିରେ ସାମିଲ୍‌ ହୋଇଥିଲେ। ମାତ୍ର ଉକ୍ତ ସମ୍ମିଳନୀରେ ଜିଲାର ଅନ୍ୟ କେତେକ ଦଳୀୟ ନେତାଙ୍କ ଅନୁପସ୍ଥିତି ଦଳରେ ରହିଥିବା ଅସନ୍ତୋଷ, ଅନ୍ତର୍ଦ୍ୱନ୍ଦ୍ୱକୁ ପଦାରେ ପକାଇ ଦେଇଥିଲା। ବିଜେଡିର ପୂର୍ବତନ ଜିଲା ସଭାପତି ପ୍ରଭାତାଦିତ୍ୟ ମିଶ୍ରଙ୍କୁ ଏହି ସମ୍ମିଳନୀରେ ଦେଖିବାକୁ ମିଳି ନ ଥିଲା। ତେବେ ତାଙ୍କ ଅନୁପସ୍ଥିତି ସମ୍ପର୍କରେ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ବିଧିବଦ୍ଧ ଭାବେ ଦାୟିତ୍ୱ ଦିଆଯାଇ ନ ଥିଲେ ମଧ୍ୟ ମନ୍ତ୍ରୀ ସୁଶାନ୍ତ ସିଂ ଓ ପ୍ରଫୁଲ୍ଲ ମଲ୍ଲିକ ବିଜେପୁର କାର୍ଯ୍ୟ ତୁଲାଉଛନ୍ତି । ତାଙ୍କୁ କର୍ମୀ ସମ୍ମିଳନୀ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିବାରୁ ଅନୁପସ୍ଥିତ ଥିଲେ ବୋଲି ମିଶ୍ର କହିଛନ୍ତି। ସେହିପରି ଦଳର ଜିଲା ସଭାପତି ବିଜୟ ରଞ୍ଜନ ସିଂ ବରିହା, ନିକଟରେ ପଦ ଛାଡ଼ିଥିବା ବିଜେପୁର ବ୍ଲକ ସଭାପତି ରାଧେଶ୍ୟାମ ମହାପାତ୍ର ମଧ୍ୟ ଅନୁପସ୍ଥିତ ଥିଲେ। ଏ ନେଇ ଜିଲା ସଭାପତି ବରିହାଙ୍କ ପ୍ରତିକ୍ରିୟା ମିଳି ନ ଥିବାବେଳେ ତାଙ୍କୁ ମଧ୍ୟ ସମ୍ମିଳନୀ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲା ବୋଲି ମହାପାତ୍ର କହିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ସିଂଙ୍କୁ ପଚାରିବାରୁ ସେ କହିଥିଲେ, ଗତ ୧୫ ଦିନ ତଳୁ କର୍ମୀ ସମ୍ମିଳନୀ କରିବା ପାଇଁ ସ୍ଥିର ହୋଇଥିଲା। ଏ ନେଇ ପ୍ରଭାତାଦିତ୍ୟ ମିଶ୍ରଙ୍କୁ ଖବର ଦିଆଯାଇଥିଲା। ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଅଛି ଏବଂ ଏହି ସମ୍ମିଳନୀରେ ଅନୁପସ୍ଥିତ ରହିବି ବୋଲି ମିଶ୍ର ନିଜ ଆଡୁ ସୂଚନା ଦେଇଥିଲେ। ଉପନିର୍ବାଚନରେ ତାଙ୍କୁ ବରପାଲି ବ୍ଲକ ଦାୟିତ୍ୱ ଦେବାର ଯୋଜନା ରହିଛି। ସେହିପରି ଜିଲା ସଭାପତି ବରିହାଙ୍କ ଜଣେ ନିକଟ ସମ୍ପର୍କୀୟଙ୍କ ପରଲୋକ ଘଟିଥିବାରୁ ସେ ସମ୍ମିଳନୀରେ ଯୋଗଦେଇ ପାରି ନ ଥିବା ସିଂ କହିଥିଲେ। କିନ୍ତୁ ମହାପାତ୍ର ନିଜ ପଦରୁ ଇସ୍ତଫା ଦେଇ ସମ୍ମିଳନୀରେ ଯୋଗଦେବା ପାଇଁ ନିଜେ ଅନିଚ୍ଛା ପ୍ରକାଶ କରିଥିଲେ ବୋଲି ମନ୍ତ୍ରୀ ସିଂ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri