ଆଶ୍ରମକୁ ଫେରିଲେ ସୁର ବାବା: ଅନୁଗାମୀଙ୍କୁ ପ୍ରବଚନ ଶୁଣାଇଲେ


ଭୁବନେଶ୍ୱର, ୨।୧୨(ବ୍ୟୁରୋ)- ଝିଣ୍ଟି ଶାସନର ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବା ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଝାରପଡା ଜେଲରୁ ମୁକୁଳିଛନ୍ତି। ଜେଲ୍‌ରୁ ବାହାରିବା ପରେ ସୁର ବାବା ସିଧାସଳଖ ନିଜ ସମର୍ଥକଙ୍କ ସହିତ ତ୍ରାହି ଅଚ୍ୟୁତ ଆଶ୍ରମକୁ ଫେରିଛନ୍ତି। ଶନିବାର ସକାଳେ ଆଶ୍ରମ ପରିସରରେ ତାଙ୍କ ଅନୁଗାମୀମାନେ ସୁରବାବାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଫୁଲମାଳ ଦେଇ ସ୍ବାଗତ କରିଥିବା ଦେଖାଯାଇଥିଲା। ପରେ ଆଶ୍ରମ ପରିସରରେ ସେ ଭକ୍ତମାନଙ୍କୁ ପ୍ରବଚନ ଶୁଣାଇଥିଲେ। ସୂଚନାଯୋଗ୍ୟ, ଜମି ହଡପ, ଠକେଇ, ଦଳିତ ଓ ମହିଳାଙ୍କୁ ଅସଦାଚରଣ, ଘରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ପରି ଜଘନ୍ୟ ମାମଲାରେ ଛନ୍ଦି ହୋଇ ୨୦୧୫ ଅଗଷ୍ଟ ୩୦ରେ ସୁରବାବା ଗିରଫ ହୋଇ ଜେଲ ଯାଇଥିଲେ। ସୁର ବାବାଙ୍କ ବିରୋଧରେ ପ୍ରଥମେ ଜୟନ୍ତ ଭୋଇ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଅଭିଯୋଗ କରିଥିଲେ। ସୁର ବାବା ତାଙ୍କୁ ଜାତିଗତ ଆକ୍ଷେପ କରିଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଅଭିଯୋଗକୁ ଭିତ୍ତିକରି ବାଲିଅନ୍ତା ଥାନାରେ ଦଫା ୩୪୧, ୩୪୨, ୩୨୩, ୨୯୪, ୫୦୬, ୩୪ ଆଇପିସିରେ ମାମଲା(୧୮୭/୧୫) ରୁଜୁ ହୋଇଥିଲା। ସେହିପରି ସୁରଙ୍କ ଘରୁ ବନ୍ଧୁକ ଜବତ ହେବା ଘଟଣାରେ ୨୫(ଏ) ଆମର୍‌ସ ଆକ୍ଟରେ ଏକ ମାମଲା(୧୮୮/୧୫) ରୁଜୁ ହୋଇଥିଲା। ଏହାବ୍ୟତୀତ ଜଣେ ମହିଳା ଏବଂ ତାଙ୍କ ପୁଅକୁ ଅସଦାଚାରଣ କରିବା ଅଭିଯୋଗରେ ଅନ୍ୟ ଏକ ମାମଲା(୧୮୯/୧୫) ରୁଜୁ ହୋଇଥିଲା। ଏହାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ଉତ୍ତ୍ୟେକ୍ତ ହୋଇ ଆଶ୍ରମ ଭିତରେ ଭଙ୍ଗାରୁଜା କରିବା ସହିତ ୨୦ରୁ ଊର୍ଦ୍ଧ୍ୱ ଗାଡି ପୋଡି ଦେଇଥିଲେ। ୨୦୧୫ ଅଗଷ୍ଟ ୩୦ ବିଳମ୍ବିତ ରାତିରେ କମିଶନରେଟ ପୋଲିସ ସୁର ବାବା ତାଙ୍କର ଦୁଇପୁଅ ବିରଞ୍ଚି ଓ ତ୍ରିଲୋଚନଙ୍କୁ ଗିରଫ କରିଥିଲା। ପୁନର୍ବାର ସୁରବାବା ଆଶ୍ରମକୁ ଫେରିଥିବାରୁ ପୋଲିସ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଉଚିତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri