ଏଣିକି ଭାଗ ହେବନି ଏକାଡେମୀ ପୁରସ୍କାର ରାଶି


-୨୦୧୯ରୁ ନିୟମିତ ଦିଆଯିବ ସମ୍ମାନ

-ଓଡ଼ିଶା ବାହାରେ ହେବ ଫକୀରମୋହନ ସାହିତ୍ୟର ପ୍ରସାର

ଭୁବନେଶ୍ୱର, ୧।୧୨(ବ୍ୟୁରୋ)- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁ ଏଣିକି ଆଉ ଭାଗ ଭାଗ କରାଯିବ ନାହିଁ। ପୁରସ୍କାର ପାଉଥିବା ପ୍ରତ୍ୟେକ ପ୍ରତିଭାଙ୍କୁ ସମାନ ସମ୍ମାନ ଦିଆଯିବ। ଗୋଟିଏ ବିଭାଗରେ ଯେତେଜଣ ସାହିତି୍ୟକ ପୁରସ୍କୃତ ହେଲେ ବି ପୁରସ୍କାର ସମ୍ମାନ ରାଶିସ୍ବରୂପ ସମସ୍ତଙ୍କୁ ସମାନ ଅର୍ଥ ପ୍ରଦାନ କରାଯିବ। ଏ ନେଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଘୋଷଣା କରିଛନ୍ତି। ୨୦୧୩ ଏବଂ ୨୦୧୪ ମସିହା ପାଇଁ ଶୁକ୍ରବାର ରବୀନ୍ଦ୍ରମଣ୍ଡପଠାରେ ଅନୁଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କହିଥିଲେ, ଏକାଡେମୀ ପୁରସ୍କାର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମାନ। ୯ଟି ବିଭାଗରେ ପ୍ରଦାନ କରାଯାଉଥିବା ଏହି ସମ୍ମାନକୁ ଯେତେଜଣ ସାହିତି୍ୟକ ପାଇଲେ ବି ସମସ୍ତଙ୍କୁ ୩୦ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ପୂର୍ବରୁ ଗୋଟିଏ ବିଭାଗରେ ଦୁଇ କି ତିନି ସାହିତି୍ୟକ ପୁରସ୍କାର ପାଇଲେ ସେମାନଙ୍କ ଅର୍ଥରାଶି ଭାଗ କରିବାକୁ ପଡୁଥିଲା। ଏଣିକି ଆଉ ସେଭଳି ନ ହୋଇ ଚଳିତବର୍ଷଠାରୁ ସମସ୍ତଙ୍କୁ ସମାନ ପୁରସ୍କାର ରାଶି ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ। ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁ ଏକ ନିର୍ଦ୍ଦିଷ୍ଟ ମାସରେ ଘୋଷଣା କରିବାକୁ ପଦକ୍ଷେପ ନିଆଯିବ। ୨୦୧୫ ଏବଂ ୨୦୧୬ ପାଇଁ ଖୁବ୍‌ଶୀଘ୍ର ଆବେଦନ ଆହ୍ବାନ କରାଯିବ। ୨୦୧୯ରୁ ନିୟମିତଭାବେ ପ୍ରତିବର୍ଷ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ବିଭାଗୀୟ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ କହିଲେ, ଅନୁବାଦ ସାହିତ୍ୟ ଓ ପୁରାତନ ସାହିତ୍ୟର ପୁନଃପ୍ରକାଶନୀ ଉପରେ ଓଡ଼ିଶା ସାହିତ୍ୟ ଏକାଡେମୀ ଗୁରୁତ୍ୱ ଦେଉଛି। ରାଜ୍ୟ ବାହାରେ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୭୫ତମ ଜୟନ୍ତୀ ଅବସରରେ ସାହିତ୍ୟ ଏକାଡେମୀ ପକ୍ଷରୁ ଜାମଶେଦ୍‌ପୁର ଓ ଛତିଶଗଡର ବିଭିନ୍ନ ସ୍କୁଲ୍‌, କଲେଜରେ ଫକୀରମୋହନ ସାହିତ୍ୟ ଉପରେ ଆଲୋଚନା କରିବାକୁ ସ୍ଥିର ହୋଇଛି। ଏହାସହ ବମ୍ବେ, ଦିଲ୍ଲୀ ଓ କଲିକତାର ଶାନ୍ତିନିକେତନରେ ମଧ୍ୟ ଆଲୋଚନାଚକ୍ର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ସହଯୋଗ ଯୋଗାଇଦେବ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri