୨୪ ସାହିତି୍ୟକଙ୍କୁ ଏକାଡେମୀ ପୁରସ୍କାର


-୨୦୧୩ ପାଇଁ ୧୩, ୨୦୧୪ ଲାଗି ୧୧ ସାହିତି୍ୟକ ପୁରସ୍କୃତ

ଭୁବନେଶ୍ୱର, ୧।୧୨(ବ୍ୟୁରୋ)- ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୩ ଏବଂ ୨୦୧୪ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଶୁକ୍ରବାର ପ୍ରଦାନ କରାଯାଇଛି। ୨୦୧୩ ପାଇଁ ୯ଟି ବିଭାଗରେ ୧୩ ସାହିତି୍ୟକଙ୍କୁ ଏବଂ ୨୦୧୪ ଲାଗି ୧୧ ସାହିତି୍ୟକଙ୍କୁ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯାଇଛି। ୨୦୧୩ ଲାଗି ଉପନ୍ୟାସ ବିଭାଗରେ ପୁସ୍ତକ ‘ଢେଉ’ ପାଇଁ ସ୍ବର୍ଗତ ସାହିତି୍ୟକ ବିଭୂତି ଭୂଷଣ ପ୍ରଧାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରେମଲତା ରାଉତ ଏହାକୁ ଗ୍ରହଣ କରିଥିଲେ। କ୍ଷୁଦ୍ରଗଳ୍ପରେ ଦୀପ୍ତିରଞ୍ଜନ ପଟ୍ଟନାୟକ(ସନ୍ଦିଗ୍ଧ ଶୈଶବ), କାବ୍ୟ କବିତାରେ ବିମଳ ଜେନା(ନିବୃତ୍ତ ନିଷାଦ), ସୁଚେତା ମିଶ୍ର(ଅଜନ୍ମା) ଓ ରକ୍ଷକ ନାୟକ(ଅସରନ୍ତି ଅନ୍ତାକ୍ଷରୀ), ନାଟକ ଓ ଏକାଙ୍କିକାରେ ରମେଶ ଦାସ(ବରଂ ନିବାସ ଭଲ ରଣକ୍ଷେତ୍ରରେ), ପ୍ରବନ୍ଧ ଓ ସମାଲୋଚନାରେ କୃଷ୍ଣଚନ୍ଦ୍ର ପ୍ରଧାନ(ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ), ଅନୁବାଦରେ ବିଜୟ କୁମାର ପ୍ରଧାନ(ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ) ଓ ଗୀତିକବିତାରେ ଦେବେନ୍ଦ୍ର ଦାସ(ପଦ୍ମଅଁ ପାପୁଲି) ଏକାଡେମୀ ପୁରସ୍କାର ପାଇଛନ୍ତି। ଜୀବନୀ ଓ ଭ୍ରମଣ ସାହିତ୍ୟରେ ରାସବିହାରୀ ବେହେରା (ଅନନ୍ୟ ସୃଷ୍ଟି କାନାଡା), ପ୍ରଭାତୀ ମିଶ୍ର (ଭ୍ରମଣରୁ ଶିକ୍ଷା), ଶିଶୁ ସାହିତ୍ୟରେ ସୂର୍ଯ୍ୟମଣି ସାମନ୍ତରାୟ (ଟିଂ କୁଡୁକୁଡୁ ଟିକି ଚଢେଇ), ରବୀନ୍ଦ୍ରନାଥ ମାଝି (ନୀଳ ଠେକୁଆ) ମିଳିତଭାବେ ୨୦୧୩ ପାଇଁ ଏକାଡେମୀ ପୁରସ୍କାର ପାଇଛନ୍ତି। ସେହିଭଳି ୨୦୧୪ ପାଇଁ ଉପନ୍ୟାସରେ ଇନ୍ଦିରା ଦାଶ(ନିର୍ବାଣ ଅଭିସାର), କ୍ଷୁଦ୍ରଗଳ୍ପରେ ଅଭୟ ବାରିକ(ମହାଗାନ), ନାଟକ ଓ ଏକାଙ୍କିକାରେ ବିଜୟ କୁମାର ନନ୍ଦ(ନାଟକ ସଂଗ୍ରହ), ପ୍ରବନ୍ଧ ଓ ସମାଲୋଚନାରେ ଅରବିନ୍ଦ ପଟ୍ଟନାୟକ(ଓଡ଼ିଶାରେ ଲୋକଧର୍ମର ପରମ୍ପରା), ଅନୁବାଦରେ ସୁଭାଷ ଶତପଥୀ(ନରଗୀସ୍‌ ଓ ଅନ୍ୟାନ୍ୟ ଗଳ୍ପ), ଶିଶୁ ସାହିତ୍ୟରେ ବସନ୍ତ କିଶୋର ସାହୁ(ଓସ୍ତ ପତର ପାନିଆ), ଗୀତିକବିତାରେ ହୃଦାନନ୍ଦ ପାଣିଗ୍ରାହୀ(ଜହ୍ନ ଝିଲିମିଲି) ଏକାଡେମୀ ପୁରସ୍କାର ପାଇଲେ। କାବ୍ୟ କବିତାରେ ବିପିନ୍‌ ନାୟକ(ସ୍ବରଚିତ୍ର), ବାସୁଦେବ ସୁନାନୀ(ବୋଧହୁଏ ଭଲପାଇବା ମୋତେ ଜଣାନାହିଁ) ମିଳିତଭାବେ ଏବଂ ଜୀବନୀ ଓ ଭ୍ରମଣ ସାହିତ୍ୟରେ ପ୍ରିୟବ୍ରତ ପାତ୍ର(ଆଭିଯାତ୍ରିକ-୨) ଏବଂ ଗଣେଶରାମ ନାହାକ(ପଶ୍ଚିମ ଓଡ଼ିଶାର ବରପୁତ୍ର) ଏକାଡେମୀ ପୁରସ୍କାର ପାଇଛନ୍ତି। ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇଥିଲେ। ସଚିବ ପାଣିଗ୍ରାହୀ ପୁରସ୍କୃତ ସାହିତି୍ୟକଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ, ପୁରସ୍କାର ଏକ ସାରସ୍ବତ ସ୍ବୀକୃତି। ଭଲ ସାହିତ୍ୟ ସୃଷ୍ଟି ପାଇଁ ସାହିତି୍ୟକ ପାଣିପାଗ ରହିବା ଆବଶ୍ୟକ। ନବୀନଙ୍କଠାରୁ ପ୍ରବୀଣମାନେ ନ ଶିଖିଲେ ଏବଂ ସାହିତି୍ୟକଙ୍କ ମଧ୍ୟରେ ସହନଶକ୍ତି ନ ରହିଲେ ସାହିତି୍ୟକ ପାଣିପାଗ ବିଗିଡିଯିବ। ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ଗାୟତ୍ରୀ ସରାଫ୍‌ ଉପସଂହାର ଓ ସଚିବ ଅଶ୍ୱିନୀ ମିଶ୍ର ସ୍ବାଗତଭାଷଣ ଦେଇଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri