ଡାକ୍ତର ଆର.କେ. ଜେନାଙ୍କ ଘରେ ଭିଜିଲାନ୍ସ ଯାଞ୍ଚ


କଟକ ଅଫିସ, ୨୨।୧୧-ଭିଜିଲାନ୍ସ ଜାଲରେ ପଡିଛନ୍ତି ଏସ୍‌ସିବି ମେଡିକାଲ ରକ୍ତରୋଗ ବିଭାଗ(ହେମାଟୋଲୋଜି)ର ମୁଖ୍ୟ ପ୍ରଫେସର ଡା. ରବୀନ୍ଦ୍ର କୁମାର ଜେନା। ବୁଧବାର ଭିଜିଲାନ୍ସ ସେଲ୍‌ ପକ୍ଷରୁ ଡାକ୍ତର ଜେନାଙ୍କ ସହ ସମ୍ପର୍କ ଥିବା ୧୨ ସ୍ଥାନରେ ଏକକାଳୀନ ଯାଞ୍ଚ ହୋଇଛି। ଯାଞ୍ଚ ସ୍ଥାନଗୁଡିକ ହେଉଛି ଏସସିବି ମେଡିକାଲ କ୍ୟାମ୍ପସରେ ଥିବା ଡାକ୍ତର ଜେନାଙ୍କ ସରକାରୀ କ୍ବାର୍ଟର୍ସ, ସିଡିଏ ସେକ୍ଟର-୬ରେ ଥିବା ୧୧୪ ନମ୍ବର ଘର, ମହାନଦୀବିହାରଠାରେ ୩୦୨ ନମ୍ବର ଫ୍ଲାଟ, ମଙ୍ଗଳାବାଗଠାରେ ଥିବା ମାଜେଷ୍ଟି ଟାୱାର ସହିତ ଏସସିବି ମେଡିକାଲ କଲେଜ ପ୍ରିନ୍ସିପାଲ ଓ ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ସେଣ୍ଟ୍ରାଲ ଷ୍ଟୋର୍‌ ଓ ଡାକ୍ତର ଜେନାଙ୍କ ଚ୍ୟାମ୍ବର ରହିଛି। ସେହିପରି ଜେନାଙ୍କ ପୈତୃକ ଗ୍ରାମ କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅଧୀନ ବିଜୟନଗରଠାରେ ଥିବା ଘର, କଟକ ରାଣୀହାଟରେ ଥିବା ଓମ୍‌ ମା ଡାଇଗ୍ନୋଷ୍ଟିକ ସେଣ୍ଟର ଓ ସରକାରଙ୍କ ସହିତ ସହବନ୍ଧିତ ଥିବା ଏଚଏଲଏଲ ଲାଇଫକେୟାର ମେଡିସିନ୍‌ ଷ୍ଟୋରକୁ ଭିଜିଲାନ୍ସ ଯାଞ୍ଚ କରିଛି। ଅନ୍ୟ ଏକ ଔଷଧ ଦୋକାନରୁ କିଣାଯାଇଥିବା ମେଡିସିନ୍‌ ସମ୍ବନ୍ଧିତ କାଗଜପତ୍ରକୁ ଭିଜିଲାନ୍ସ ଜବତ କରିଛି। ଉପରୋକ୍ତ ସ୍ଥାନଗୁଡିକୁ ଯାଞ୍ଚ କରାଯିବା ପରେ ଡାକ୍ତର ଜେନାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୨୩ ଲକ୍ଷ ୪୪ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଭିଜିଲାନ୍ସ ଠାବ କରିଥିବା ସମ୍ପତ୍ତିଗୁଡ଼ିକ ମଧ୍ୟରେ ସିଡିଏ ସେକ୍ଟର-୬ରେ ୧ କୋଟି ୨୬ ଲକ୍ଷ ୮୧ହଜାର ଟଙ୍କାର ଗୋଟିଏ ୪ ମହଲା କୋଠା, ମହାନଦୀବିହାରରେ ୨୧ ଲକ୍ଷ ୯୯ହଜାର ୮୯୮ ଟଙ୍କାର ଗୋଟିଏ ଦୁଇ ମହଲା କୋଠା, ପୈତୃକ ଗ୍ରାମ ବିଜୟନଗରଠାରେ ୬ ଲକ୍ଷ ଟଙ୍କା ମୂଲ୍ୟର ଏକ ମହଲା କୋଠା, ୭ ଲକ୍ଷ ୮୬ ହଜାର ୬୦୦ ଟଙ୍କାର ଗୋଟିଏ ଫ୍ଲାଟ୍‌ (ମାଜେଷ୍ଟି ଟାୱାର) ସହିତ ମଙ୍ଗଳାବାଗର ହରେକୃଷ୍ଣ ଆର୍କେଡ୍‌ଠାରେ ତାଙ୍କର ୩ଟି ଦୋକାନ ଘର ରହିଛି। ଉକ୍ତ ଦୋକାନ ଘରର ମୂଲ୍ୟ ୩୨ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ସେହିପରି ଡାକ୍ତର ଜେନାଙ୍କ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ୩ ଲକ୍ଷ ୪୫ ହଜାର ୫୦୩ ଟଙ୍କାର ଗୋଟିଏ ପ୍ଲଟ ଥିବାବେଳେ କଟକର ସିଡିଏ ସେକ୍ଟର-୬ରେ ୧୪ ଲକ୍ଷ ଟଙ୍କାର ଗୋଟିଏ ପ୍ଲଟ ରହିଛି। ଏହାବାଦ୍‌ କଟକ ଗଣ୍ଡରପୁରଠାରେ ୩୦ହଜାର ଟଙ୍କାର ଗୋଟିଏ ପ୍ଲଟ, ପାରାଦୀପଠାରେ ୭ ଲକ୍ଷ ୪ହଜାର ୫୦୦ ଟଙ୍କାର ଗୋଟିଏ ପ୍ଲଟ, ଭୁବନେଶ୍ୱର ଘାଟିକିଆଠାରେ ୪୪ହଜାର ଟଙ୍କାର ଗୋଟିଏ ପ୍ଲଟ ଥିବା ଭିଜିଲାନ୍ସ ସୂଚନା ଦେଇଛି। ଡାକ୍ତର ଜେନାଙ୍କ ଘରୁ ୮ ଲକ୍ଷ ୧୧ହଜାର ଟଙ୍କାର ଆସବାବପତ୍ର, ୩ ଲକ୍ଷ ୨୪ହଜାର ୮୦୦ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୨୬ହଜାର ୯୮୫ ଟଙ୍କା ଓ ୧୫ ହଜାର ଟଙ୍କାର ପୁରୁଣା ନୋଟ ଠାବ ହୋଇଛି। ବିଭିନ୍ନ ବ୍ୟାଙ୍କରେ ଡାକ୍ତର ଜେନାଙ୍କ ୭୩ ଲକ୍ଷ ୭୧ହଜାର ୩୪୧ ଟଙ୍କା ଜମା ଥିବା ଭିଜିଲାନ୍ସ ସୂଚନା ଦେଇଛି। ଏହାବାଦ ତାଙ୍କର ୮ ଲକ୍ଷ ଟଙ୍କାର ଗୋଟିଏ କାର୍‌ (ଓଡି୦୫ଏଡି-୦୫୭୨) ଓ ୪୦ ହଜାର ଟଙ୍କାର ଗୋଟିଏ ମୋଟରସାଇକେଲ (ଓଆଇୟୁ-୬୮୬୯) ଠାବ ହୋଇଛି। ଜେନାଙ୍କର ବ୍ୟାଙ୍କ ଲକର୍‌ ଯାଞ୍ଚ ହେବାକୁ ଥିବା ଭିଜିଲାନ୍ସ ସୂଚନା ଦେଇଛି। ଭିତିରି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜ୍ୟ ସରକାରଙ୍କ ରୋଗୀ କଲ୍ୟାଣ ପାଣ୍ଠି(ଓଏସଟିଏଫ)ର ବ୍ୟାପକ ଦୁରୁପଯୋଗ କରାଯାଇଥିବା କଥା ମଧ୍ୟ ଭିଜିଲାନ୍ସ ତଦନ୍ତରୁ ସାମ୍ନାକୁ ଆସିଛି। ଇତିମଧ୍ୟରେ ଡାକ୍ତର ଜେନା ଆମେରିକା, ସ୍ପେନ୍‌, ୟୁରୋପ, ଆମଷ୍ଟରଡାମ, ସିଙ୍ଗାପୁର ପ୍ରଭୃତି ରାଷ୍ଟ୍ର ବୁଲିବାକୁ ଯାଇଛନ୍ତି। ଉକ୍ତ ରାଷ୍ଟ୍ରଗସ୍ତ ସମ୍ପର୍କିତ କାଗଜପତ୍ର ସମେତ ଡାକ୍ତର ଜେନାଙ୍କ ପାସପୋର୍ଟ, ସେ ଲେଖିଥିବା ରୋଗୀଙ୍କ ପ୍ରେସ୍‌କ୍ରିପ୍‌ଶନ ଓ ୨୦୧୩ରୁ ଅଦ୍ୟାବଧି ତାଙ୍କ ମାଧ୍ୟମରେ ମଞ୍ଜୁର କରାଯାଇଥିବା ଓଏସଟିଏଫ ପାଣ୍ଠି ସମ୍ପର୍କିତ କାଗଜପତ୍ରକୁ ଭିଜିଲାନ୍ସ ଜବତ କରିଛି। ମିଳିଥିବା ଖବର ଅନୁଯାୟୀ,୨୦୧୪-୧୫ରେ ଡାକ୍ତର ଜେନାଙ୍କ ମାଧ୍ୟମରେ ଓଏସଟିଏଫରୁ ୧୭୧ଜଣ ରୋଗୀଙ୍କ ନିମନ୍ତେ ପାଣ୍ଠି ମଞ୍ଜୁର ହୋଇଛି। ଏଥିପାଇଁ ଓଏସଟିଏଫରୁ ୨କୋଟି ୨୫ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡିଛି। ଏହି ହାରରେ ଦେଖିଲେ ୪ଟି ଆର୍ଥିକ ବର୍ଷରେ ଓଏସଟିଏଫରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରାଯାଇଛି। ଉଲ୍ଲେଖଥାଉକି, ଗତ ଅଗଷ୍ଟରେ ଡାକ୍ତର ଜେନା ସ୍ପେନ୍‌ ଗସ୍ତ କରିଥିଲେ। ଏଥିପାଇଁ ସେ ସରକାରଙ୍କଠାରୁ ଅନୁମତି ମାଗିଥିଲେ। ମାତ୍ର ସରକାର ଅନୁମତି ନ ଦେବାରୁ ସେ ବେଆଇନଭାବେ ସେଠାକୁ ଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି। ଅନ୍ୟପକ୍ଷରେ ଏସ୍‌ସିବି ମେଡିକାଲର ଜଣେ ମହିଳା ଡାକ୍ତରଙ୍କ ଘରେ ଭିଜିଲାନ୍ସ ତଲାସି କରିଥିବା ଜଣାପଡ଼ିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri