ଜାଲ୍‌ ସାର୍ଟିଫିକେଟରେ ଚାକିରି: କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜଣାଇବାକୁ ଡିଇଓଙ୍କୁ ଚିଠି


ଭୁବନେଶ୍ୱର, ୨୨।୧୧(ବ୍ୟୁରୋ)- ରାଜ୍ୟରେ ୨୨ ଜଣ ପ୍ରାଥମିକ ଶିକ୍ଷକ ଜାଲ୍‌ ସିଟି ଓ ବି.ଇଡି ପ୍ରମାଣପାତ୍ର ଦେଇ ଚାକିରି କରିଛନ୍ତି। ଏହି ଶିକ୍ଷକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣାଇବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀ(ଡିଇଓ) ଏବଂ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କୁ ଚିଠି ଲେଖିଛନ୍ତି। ଗତ ୧୮ତାରିଖରେ ଏହି ଚିଠି (ନମ୍ବର ୨୨୨୫୨) ପଠାଯାଇଛି। ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାକିରି କରିଥିବା ସମ୍ପୃକ୍ତ ୨୨ ଶିକ୍ଷକଙ୍କ ଶିକ୍ଷାଗତ ସିଟି ଓ ବି.ଇଡି ସାର୍ଟିଫିକେଟ ପୁନଃ ଯାଞ୍ଚ କରିବା ପାଇଁ ୨୦୧୫ ନଭେମ୍ବର ୧୫ରେ ଚିଠି ନମ୍ବର ୨୦୭୧୦ରେ ନିର୍ଦ୍ଦେଶ ଦିଆଯାଇଥିଲା। ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଏହି ଶିକ୍ଷକମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା। ନିର୍ଦ୍ଦେଶନାମାକୁ ୨ବର୍ଷ ବିତିଥିବା ବେଳେ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ବିଷୟରେ ଜଣାଇବାକୁ କୁହାଯାଇଛି। ଯଦି ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଇଛି, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ମୟୂରଭଞ୍ଜ ଜିଲାର ସୁକ୍ରୁଲି, ବାହାଲଦା, ଯାମାଡା, ତିରିଙ୍ଗି, କରଞ୍ଜିଆ ଓ ଯଶୀପୁର ବିଇଓଙ୍କ ସହିତ ଗଞ୍ଜାମ ଜିଲାର କୋଦଳା, ପୁରୁଷୋତ୍ତମପୁର, ଭଦ୍ରକର ତିହିଡି, ବାସୁଦେବପୁର, ଢେଙ୍କାନାଳର ଗଣିଆ, ବାଲେଶ୍ୱରର ବାଲିଆପାଳ, ନୟାଗଡର ଖଣ୍ଡପଡା, ରଣପୁର, ସମ୍ବଲପୁରର ରେଢ଼ାଖୋଲ ଓ କଟକର ବଡମ୍ବା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏହି ଶିକ୍ଷକମାନେ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ମୟୂରଭଞ୍ଜ ଜିଲାରେ ସର୍ବାଧିକ ୧୨ଜଣ ଶିକ୍ଷକ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାପଡ଼ିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri