ସାଇବର ଫୋରେନସିକ ଲାବରେଟୋରି ଉଦ୍‌ଘାଟିତ


ଭୁବନେଶ୍ୱର, ୨୨।୧୧(ବ୍ୟୁରୋ)- ଭୁବନେଶ୍ୱର ରସୁଲଗଡସ୍ଥିତ ଫୋରେନସିକ ଲାବ୍‌ ପରିସରରେ ପ୍ରତିଷ୍ଠା ହୋଇଥିବା ସାଇବର ଫୋରେନସିକ ଲାବରେଟୋରି ବୁଧବାର ଉଦ୍‌ଘାଟିତ ହୋଇଛି। ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ପୋଲିସ ଇତିହାସରେ ଏହା ଏକ ଐତିହାସିକ ଦିନ ବୋଲି ଡିଜିପି ଶର୍ମା ଏହି ଅବସରରେ କହିଛନ୍ତି। ସାଇବର ଫୋରେନ୍‌ସିକ ଲାବ୍‌ ପ୍ରତିଷ୍ଠା ହେବା ପରେ ସାଇବର ଅପରାଧ ମାମଲାର ତ୍ୱରିତ ତଦନ୍ତ ହୋଇପାରିବ ବୋଲି ସେ କହିଛନ୍ତି। ଡିଜିପି କହିଥିଲେ ଯେ, ୧ କୋଟି ଟଙ୍କା ବ୍ୟୟରେ ଏହି ସାଇବର ଫୋରେନସିକ ଲାବ୍‌ ପ୍ରତିଷ୍ଠା ହୋଇଛି। ଏହା କ୍ରାଇମବ୍ରାଞ୍ଚ ଅଧୀନରେ ରହିବ। ରାଜ୍ୟରେ ଘଟୁଥିବା ସାଇବର ଅପରାଧର ଫୋରେନସିକ ଯାଞ୍ଚ ପାଇଁ ଆଉ ହାଇଦ୍ରାବାଦ୍‌, କଲିକତା ଏବଂ ଚଣ୍ଡୀଗଡ଼ରେ ଥିବା କେନ୍ଦ୍ରୀୟ ଲାବରେଟୋରି ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏ ସମସ୍ତ କାର୍ଯ୍ୟ ଏଠାରେ ସମ୍ପାଦିତ ହେବ। ଏଥିପାଇଁ ୯୦ ପୋଲିସ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ସେମାନେ ବିଭିନ୍ନ ମେଟ୍ରୋ ସହରକୁ ଯାଇ ସାଇବର ଅପରାଧର କିପରି ତଦନ୍ତ କରାଯାଉଛି ସେ ବିଷୟରେ ଅନୁଧ୍ୟାନ କରିବା ସହ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି। ସାଇବର ଅପରାଧ ସମ୍ପର୍କିତ ସମସ୍ତ ସିଡୀ, ମୋବାଇଲ ଫୋନ୍‌, ହାର୍ଡଡିସ୍କ ଯାଞ୍ଚ କରାଯାଇ ତୁରନ୍ତ ତଥ୍ୟ ପ୍ରଦାନ କରାଯିବ। ଏସବୁରୁ ଡିଲିଟ୍‌ କରାଯାଇଥିବା ତଥ୍ୟ ମଧ୍ୟ ପୁନରୁଦ୍ଧାର କରାଯାଇପାରିବ। ଏଟିଏମ୍‌ ଠକେଇ, ସୋସିଆଲ ମିଡିଆରେ ଘଟୁଥିବା ବିଭିନ୍ନ ଅପରାଧ ସମେତ ଅନେକ ସମ୍ବେଦନଶୀଳ ଘଟଣାର ତଦନ୍ତରେ ଏହା ସହାୟକ ହେବ। ଉଦ୍‌ଘାଟନୀ ଉତ୍ସବରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଉଛି। ୨୦୧୬ରେ କଟକ ସାଇବର ଥାନାରେ ୩୭୮ଟି ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ଅକ୍ଟୋବର ସୁଦ୍ଧା ୬୬୯ ମାମଲା ରୁଜୁ ହୋଇସାରିଛି। ଅନେକ ସାଇବର ମାମଲାରେ ଫୋରେନ୍‌ସିକ ଯାଞ୍ଚ ଦରକାର ପଡ଼ୁଥିଲେ ହେଁ ପୂର୍ବରୁ ରାଜ୍ୟରେ ତାହା ଉପଲବ୍ଧ ନ ଥିବାରୁ ତଦନ୍ତରେ ବିଳମ୍ବ ହେଉଥିଲା। ବର୍ତ୍ତମାନ ସାଇବର ଫୋରେନ୍‌ସିକ ଲାବ୍‌ ପ୍ରତିଷ୍ଠା ହେବା ପରେ ଏହି ସମସ୍ୟା ରହିବ ନାହିଁ। ସାଇବର ଅପରାଧ ବୃଦ୍ଧିକୁ ନଜରରେ ରଖି ଖୁବଶୀଘ୍ର ବାଲେଶ୍ୱର ଏବଂ ଜୟପୁରରେ ଦୁଇଟି ସାଇବର ଡିଭିଜନ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦିଆଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri