ରସଗୋଲା ଗଲା: ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟ୍ୟାଗ୍‌


ଭୁବନେଶ୍ୱର, ୧୪।୧୧(ବ୍ୟୁରୋ)- ଓଡ଼ିଶା ହାତରୁ ଖସିଗଲା ରସଗୋଲା। ଦୁଇବର୍ଷ ହେଲା ରସଗୋଲାର ଭୌଗୋଳିକ ଉତ୍ପତି(ଜିଆଇ) ମାନ୍ୟତାକୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଲାଗିରହିଥିବା ଟଣାଓଟରା ଭିତରେ ଶେଷରେ ବାଜିମାରିଲା ପଶ୍ଚିମବଙ୍ଗ। ବଙ୍ଗଳାର ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍‌, ଯାହାକୁ ନେଇ ସାରା ଓଡ଼ିଶାରେ ଏବେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ଅନ୍ୟପକ୍ଷରେ ରସଗୋଲା ଓଡ଼ିଶା ହାତରୁ ଖସିଯାଇଥିବା ଘଟଣା ସମ୍ପୂର୍ଣ୍ଣ ଭୁଲ୍‌ ବୋଲି ରାଜ୍ୟ ସରକାର ଯୁକ୍ତି ବାଢିଛନ୍ତି। ଏବେ ବି ଓଡ଼ିଶା ଜିଆଇ ମାନ୍ୟତା ପାଇଁ ଆବେଦନ କରିପାରିବ। ବାଙ୍ଗ୍‌ଲାର ରସଗୋଲାକୁ ଯେପରି ଜିଆଇ ଟ୍ୟାଗ୍‌ ମିଳିଛି ସେମିତି ଓଡ଼ିଶା ରସଗୋଲାକୁ ମଧ୍ୟ ଜିଆଇ ଟ୍ୟାଗ୍‌ ମିଳିପାରିବ। ଏ ନେଇ ଖୁବ୍‌ଶୀଘ୍ର ଦାବି କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରସଗୋଲାକୁ ନେଇ ଗତ କିଛିଦିନ ଧରି ଚାଲିଥିବା ଜୋରଦାର ରାଜନୀତି ଓ ତର୍କବିତର୍କ କେବଳ ଲୋକଦେଖାଣିଆ ଥିଲା। ରସଗୋଲା ଦିବସ ପାଳନରୁ ଆରମ୍ଭକରି ଜିଆଇ ଟ୍ୟାଗ୍‌ ପାଇଁ ବାଡିଆପିଟା ସବୁକିଛି ଉପରଠାଉରିଆ ଥିଲା। ବାସ୍ତବରେ ଜିଆଇ ମାନ୍ୟତା ପାଇଁ ଆବେଦନ କରି ନ ଥିଲା ଓଡ଼ିଶା। ରସଗୋଲାକୁ ଜିଆଇ ମାନ୍ୟତା ଦେବାକୁ କେତେକ ଅନୁଷ୍ଠାନ, ସଂସ୍କୃତି ବିଶେଷଜ୍ଞ ଓ ରସଗୋଲା ବ୍ୟବସାୟୀମାନେ ଦାବି କରିଆସୁଥିଲେ। ଏନେଇ ରାଜ୍ୟ ସରକାରଙ୍କ ଉପରେ ବାରମ୍ବାର ଚାପ ପଡିବା ପରେ ଆଇଟି ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇ ଜିଆଇ ମାନ୍ୟତା ଲାଗି ତଥ୍ୟ ଯୋଗାଡ କରିବାକୁ କୁହାଯାଇଥିଲା। ଉକ୍ତ କମିଟି ଗତବର୍ଷ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲା। ହେଲେ ତାହାକୁ ନେଇ ଜିଆଇ ରେଜିଷ୍ଟ୍ରି ଅଫିସ ନିକଟରେ ଆବେଦନ କରିବା ପରିବର୍ତ୍ତେ ସରକାରୀ ଅଧିକାରୀମାନେ ଚାପି ରଖିଥିଲେ ବୋଲି ଅଭିଯୋଗ ଉଠିଛି। ଅନ୍ୟପକ୍ଷରେ କେତେଜଣ ବୁଦ୍ଧିଜୀବୀ କହିଛନ୍ତି, ରସଗୋଲାକୁ ଜିଆଇ ମାନ୍ୟତା ଏକ ପ୍ରସଙ୍ଗ ନୁହେଁ। ଏହା ଦ୍ୱାରା କୌଣସି ଜାତୀୟ ସ୍ବାର୍ଥ ହାସଲ ହୋଇପାରିବ ନାହିଁ। ଅନ୍ୟପଟେ ପଶ୍ଚିମବଙ୍ଗକୁ ମାନ୍ୟତା ମିଳିବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ପଶ୍ଚିମବଙ୍ଗର ରସଗୋଲାକୁ ଜିଆଇ ମାନ୍ୟତା ମିଳିଛି। ଓଡ଼ିଶା ଆବେଦନ କଲେ ତାହାକୁ ମଧ୍ୟ ତର୍ଜମା କରାଯିବ। ଆମପାଖରେ ଯେଉଁସବୁ ତଥ୍ୟ ଅଛି, ତାହାକୁ ନେଇ ଆବେଦନ କରିବା ପରେ ଜିଆଇ କର୍ତ୍ତୃପକ୍ଷ ଓଡ଼ିଶାର ରସଗୋଲାକୁ ମଧ୍ୟ ଜିଆଇ ମାନ୍ୟତା ପ୍ରଦାନ କରିବେ ବୋଲି ସେ କହିଛନ୍ତି। ମାଡ୍ରାସସ୍ଥିତ ଜିଆଇ ଅଫିସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେବଳ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ରସଗୋଲାର ଉତ୍ପତ୍ତି ଓ ପୃଷ୍ଠଭୂମି ସମ୍ପର୍କିତ ତଥ୍ୟ ଦିଆଯାଇଥିଲା। ତାହାକୁ ଅନୁଧ୍ୟାନ କରାଯାଇ ପଶ୍ଚିମବଙ୍ଗକୁ ମାନ୍ୟତା ଦିଆଗଲା। ଓଡ଼ିଶା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆବେଦନ ହୋଇନାହିଁ। ଓଡ଼ିଶା ଆବେଦନ କରିବା ପରେ ତାହାକୁ ଅନୁଧ୍ୟାନ କରାଯିବ ବୋଲି ଅଧିକାରୀ କହିଛନ୍ତି। ଅପରପକ୍ଷରେ ଓଡ଼ିଶାର ଗବେଷକଙ୍କ ମତରେ ରସଗୋଲା କେଉଁକାଳରୁ ଜଗନ୍ନାଥ ସଂସ୍କୃତି ସହ ଜଡିତ ରହିଛି। ୮୦୦ ବର୍ଷ ପୂର୍ବରୁ ଓଡ଼ିଶାରେ ରସଗୋଲା ଥିଲା। ରଥଯାତ୍ରା ସମୟରେ ରସଗୋଲା ଭୋଗଲାଗିର ପରମ୍ପରା ରହିଛି। ମାଦଳା ପାଞ୍ଜିରେ ମଧ୍ୟ ଏହା ସମ୍ପର୍କରେ ଉଲ୍ଲେଖ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri