ନୂଆପଡାରେ ବଣ୍ଟି ଅଗ୍ରୱାଲଙ୍କ ପରିବାର: ୫ ଜିଲାରେ ୧୮ଟି ମାମଲା


ନୂଆପଡା ଅଫିସ,୧୪।୧୧- ବହୁ ଚର୍ଚ୍ଚିତ ଟିଡିଆର ଘୋଟାଲା କରି ଚମ୍ପଟ ମାରିଥିବା ମୁଖ୍ୟ ଅଭିଯୁକ୍ତ ବଣ୍ଟି ଅଗ୍ରୱାଲ ଏବଂ ତାଙ୍କ ସ୍ତ୍ରୀ ସାବିତ୍ରୀ, ବାପା ରାଜେନ୍ଦ୍ରଙ୍କୁ ପୋଲିସ ହରିୟାଣାରୁ ଗିରଫ କରି ମଙ୍ଗଳବାର ନୂଆପଡାକୁ ଆଣିଛି। ସେ ନୂଆପଡା ସମେତ କଳାହାଣ୍ଡି, ବରଗଡ଼, ବଲାଙ୍ଗୀର ଏବଂ ନବରଙ୍ଗପୁର ଜିଲାରେ ମୋଟ ୧୮ଟି ମାମଲାରେ ସମ୍ପୃକ୍ତ ଅଛନ୍ତି। ସେ ମୋଟ ୨୫ କୋଟି ୩୬ ଲକ୍ଷ ୯୧ହଜାର ୨୦୦ ଟଙ୍କାର ମିଥ୍ୟା ଟିଡିଆର ଜମା କରିଥିବା ନୂଆପଡା ଏସ୍‌ପି ପରମାର ସ୍ମିତ ଏକ ଖବରଦାତା ସମ୍ମିଳନୀରେ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ଅପରାହ୍ନ ୫ଟାବେଳେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆହୂତ ଖବରଦାତା ସମ୍ମିଳନୀରେ ଏସ୍‌ପି କହିଛନ୍ତି, ମୁଖ୍ୟ ସୂତ୍ରଧର ବଣ୍ଟି ଏବଂ ତାଙ୍କ ସ୍ତ୍ରୀ, ବାପାଙ୍କ ନାମରେ ଗତ ମାସ ୧୮ତାରିଖରେ ଅଭିଯୋଗ ହୋଇଥିଲା। ଏହି ତିନିଜଣଙ୍କ ନାମରେ ନୂଆପଡା ଜିଲାରେ ୧୨କୋଟି ୧୪ଲକ୍ଷ ୫୮ହଜାର ୭୦୦ଟଙ୍କାର ମିଥ୍ୟା ଟିଡିଆର ଜମା କରିଥିବା ହେତୁ ୮ଟି ମାମଲା ରୁଜୁ ହୋଇଥିବାବେଳେ କଳାହାଣ୍ଡି ଜିଲାରେ ୫କୋଟି ୧୭ଲକ୍ଷ ୧୪ହଜାର ୫୦୦ଟଙ୍କାର ଟିଡିଆର ପାଇଁ ୬ଟି ମାମଲା, ବଲାଙ୍ଗୀର ଜିଲାରେ ୧କୋଟି ୩୫ଲକ୍ଷ ୩୦ହଜାର ଟଙ୍କାର ମିଥ୍ୟା ଟିଡିଆର ଜମା କରିଥିବା ହେତୁ ଗୋଟିଏ ଏବଂ ନବରଙ୍ଗପୁର ଜିଲାରେ ୨ଟି ମାମଲା ରୁଜୁ ହୋଇଛି। ଏହି ଜିଲାରେ ବିଭିନ୍ନ କାମରେ ୩କୋଟି ୭୪ଲକ୍ଷ ୮ହଜାର ଟଙ୍କାର ଜାଲ ଟିଡିଆର ଜମା କରିଥିବା ଅଭିଯୋଗ ହୋଇଥିଲା। ସେସବୁକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିଥିଲା। ସେଦିନଠାରୁ ଚମ୍ପଟ ମାରିଥିଲେ ବଣ୍ଟିଙ୍କ ପରିବାର। ଏହାକୁ ନେଇ ନୂଆପଡା ଏସ୍‌ପି ପରମାର ସ୍ମିତ ଖରିଆରରୋଡ ଜୋଙ୍କ ଥାନାଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଛାନ୍‌ଭିନ୍‌ କରୁଥିଲେ। ଶେଷରେ ତାଙ୍କୁ ସୋମବାର ହରିୟାଣାରୁ ଗିରଫ କରି ମଙ୍ଗଳବାର ନୂଆପଡାକୁ ଆଣିଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ ଏସ୍‌ପି ଏକ ଖବରଦାତା ସମ୍ମିଳନୀରେ ହାଜର କରିଥିଲେ। ବୁଧବାର ସମସ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ପରମାର ସୂଚନା ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri