ଦେଖିଲେ ଆଖି ଲାଖିଯାଏ


କେନ୍ଦୁଝର, ୧୦।୧୧(ସ୍ବ.ପ୍ର.)କେନ୍ଦୁଝର ଜିଲାରେ ରହିଛି ବହୁ ଅନାଲୋଚିତ ଜଳପ୍ରପାତ। ତନ୍ମଧ୍ୟରୁ ବାଂଶପାଳ ବ୍ଲକ ତଳବାଲି ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ବିଲାରୀଗୋଠ ପାହାଡ଼ରେ ରହିଛି ଏକ ମନୋରମ ଜଳପ୍ରପାତ, ଯାହାର ନାମ ସ୍ଥାନୀୟ ଲୋକେ ଦେଇଛନ୍ତି ଘାଗରା। ପାହାଡ଼ ଓ ଜଙ୍ଗଲ ଘେରା ଅଞ୍ଚଳରେ ବୋହି ଯାଇଥିବା କାନଝରି ନାଳରେ ଏହି ଜଳପ୍ରପାତ ରହିଛି। କାନଝରି ନାଳ ଜାମୁଦଲକ ପାହାଡ଼ରୁ ବାହାରି ଜଙ୍ଗଲ ଓ ପ୍ରସ୍ତର ଖୋଲ ଦେଇ କାନଝରି ଡ୍ୟାମରେ ପଡୁଛି। ସେଠାରୁ ବୈତରଣୀ ନଦୀରେ ମିଶି ଭଦ୍ରକ ଦେଇ ସମୁଦ୍ରରେ ମିଶିଛି। ଏହି ଜଳପ୍ରପାତକୁ ପ୍ରଥମେ ଧରିତ୍ରୀ ଲୋକଲୋଚନକୁ ଆଣିବା ପରେ ସେତେବେଳେ ବନ ବିଭାଗ ପକ୍ଷରୁ ଏହାର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା। ସେହି ନାଳର ପାଣି ପ୍ରାୟ ୪୦ ଫୁଟ ଉପରୁ ପ୍ରସ୍ତର ଉପରେ ଖସୁଥିବାର ମନୋରମ ଦୃଶ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥାଏ। ଏହି ନାଳ ତଳକୁ ତଳକୁ ପ୍ରାୟ ଏଭଳି ଆଉ ୫ ମନୋରମ ଜଳପ୍ରପାତ ସୃଷ୍ଟି କରିଥିବା ସ୍ଥାନୀୟ ଲୋକ କୁହନ୍ତି। ସେହିପରି ନାଳର ଉପର ପାର୍ଶ୍ୱରୁ ତଳକୁ ଏକ ଗଣ୍ଡ ଦେଇ ପ୍ରବାହିତ ହେଉଥିବା ଦେଖିବାକୁ ମିଳେ। ଘଞ୍ଚ ଜଙ୍ଗଲାଞ୍ଚଳ ହୋଇଥିବାରୁ ଏବଂ ବୃହତ ପାହାଡ଼ ଓ ଚଟାଣ ପରିବେଷ୍ଟିତ ଅଞ୍ଚଳ ହୋଇଥିବାରୁ ସୂର୍ଯ୍ୟାଲୋକ ପଡେ ନାହିଁ। ତୀର୍ଯ୍ୟକ ସୂର୍ଯ୍ୟାଲୋକ କାଚକେନ୍ଦୁ ଭଳି ପାଣିରେ ପଡ଼ିଲେ ଚିକ୍‌ ଚିକ୍‌ ଦିଶେ। ଚାରିପଟେ ପ୍ରସ୍ତରର ଚଟାଣ ରହିଥିବାରୁ ଏଠାରେ ବସି ଏହି ଦୃଶ୍ୟ ଉପଭୋଗ କରିବା ସମ୍ପୂର୍ଣ୍ଣ ନିଆରା। ସେଠାରେ ଭୋଜିଭାତ ଲୋକେ କରିଥାନ୍ତି। ଏହା ଜିଲାର ମାନ୍ୟତାପ୍ରାପ୍ତ ତଥା ପ୍ରସିଦ୍ଧ ସାନଘାଗରା ଜଳପ୍ରପାତଠାରୁ ଅଧିକ ଆକର୍ଷଣୀୟ ଓ ମନୋରମ ହୋଇଛି। ଜୁଆଙ୍ଗ ଜନଜାତି ଅଞ୍ଚଳରେ ଥିବା ଏହି ଜଳ ପ୍ରପାତକୁ ମାନ୍ୟତା ମିଳିଲେ ଏବଂ ବିକାଶ କରାଗଲେ ଏହା ଟ୍ରାଇବାଲ ଟୁରିଜମ୍‌କୁ ପ୍ରୋତ୍ସାହିତ କରିବ। ଏହି ଅଞ୍ଚଳର ବିକାଶରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ ପାଉଛି। ଏହାଛଡା ଏହି ରାସ୍ତା ଦେଇ ହାତୀଶୀଳା, ବାରାଗଡ ଆଦି ଜୁଆଙ୍ଗ ଗ୍ରାମକୁ ଗଲେ ରାସ୍ତା କଡରେ ପାହାଡ ଉପରୁ ତଳକୁ ଦେଖିଲେ ଶିମଲା, ଦାର୍ଜିଲିଂ ଭଳି ଦୃଶ୍ୟ ଦେଖିବାକୁ ମିଳେ। ଏଠାରେ ପାହାଡ଼ ଦେହରେ ବାଦଲର ସ୍ପର୍ଶ ଏବଂ ସନ୍ଧ୍ୟା ହେଲେ ଜୁଆଙ୍ଗମାନଙ୍କ ଚାଙ୍ଗୁ ବାଦ୍ୟର ନୃତ୍ୟଗୀତ ଏକ ନିଆରା ପରିବେଶ ସୃଷ୍ଟି କରିଥାଏ। ଏହା ନିକଟରେ ରହିଛି ପୁଣ୍ୟତୋୟା ବୈତରଣୀର ଉପତ୍ତ୍ତି ସ୍ଥଳ ଗୋନାସିକା। ଏଣୁ ଗୋନାସିକାରୁ ଜୁଙ୍ଗା ରାସ୍ତା ଦେଇ ବାରାଗଡକୁ ଯିବା ବାଟରେ ରାସ୍ତା କଡରେ ଏହି ଜଳପ୍ରପାତ ରହିଛି। କେନ୍ଦୁଝରଠାରୁ ଏହା ପ୍ରାୟ ୫୫ କି.ମି. ଦୂର ହେବ। ପ୍ରାକୃତିକ ଜଙ୍ଗଲ ଓ ପାହାଡ଼ ଦେଇ ଏହି ସ୍ଥାନକୁ ଯିବା ଅନୁଭୂତି ନିଆରା। ଏ ନେଇ ପୂର୍ବତନ ସରପଞ୍ଚ ପୀତାମ୍ବର ଜୁଆଙ୍ଗ କହିଛନ୍ତି ଯେ, ଏଠାକୁ ବହୁ ଲୋକ ଭୋଜିଭାତ କରିବା ସହ ବୁଲିବାକୁ ଆସିଥାନ୍ତି। ଆଗରୁ ଜିଲାର ମନ୍ତ୍ରୀଙ୍କୁ ମଧ୍ୟ ଏହି ସ୍ଥାନକୁ ଆଣି ଦେଖାଇଛୁ। ଏହି ଜଳପ୍ରପାତକୁ ଦେଖି ସେ ଖୁସି ବ୍ୟକ୍ତ କରି ପର୍ଯ୍ୟଟନ ମାନ୍ୟତା ଦେବାକୁ ପଦକ୍ଷେପ ନେବେ ବୋଲି କହିଯାଇଛନ୍ତି। ଏ ନେଇ ପ୍ରଶାସନକୁ ଜଣାଇଛି। ନିଜେ ଏଠାରେ ରାସ୍ତା ନିର୍ମାଣ କରିବା ପାଇଁ ପଦକ୍ଷେପ ନେଉଛୁ। ଏହି ପ୍ରାକୃତିକ ଜଳପ୍ରପାତର ବିକାଶ ହୋଇପାରିଲେ ସରକାରଙ୍କ ଇକୋ ଟୁରିଜମ ବ୍ୟବସ୍ଥାର ସଫଳ ରୂପାୟନ ହୋଇପାରିବ। ଏହି ଅଞ୍ଚଳରେ ବହୁ ମୂଲ୍ୟବାନ ଜଟିବୁଟି ବୃକ୍ଷଲତା ରହିଛି। ଏହା ସାନଘାଗରା ଓ ଅନ୍ୟ ଜଳପ୍ରପାତଠାରୁ ବହୁ ଗୁଣରେ ଭଲ। ଏହି ଜଳପ୍ରପାତକୁ ମାନ୍ୟତା ଦେଇ ଏଠାରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବାକୁ ଡିଏଫ୍‌ଓଙ୍କୁ ଜଣାଇଯାଇଥିବା ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri