ଟ୍ରେନ୍‌ ବନ୍ଦ ଯୋଗୁ ଜୀବିକା ପ୍ରଭାବିତ


ପବନ ପାଣିଗ୍ରାହୀ ଜୟପୁର,୧୦।୧୧ (ନି.ପ୍ର.) ତତ୍‌କାଳୀନ ମଧ୍ୟପ୍ରଦେଶ (ବର୍ତ୍ତମାନର ଛତିଶଗଡ଼)ର କିରଣ୍ଡୁଲଠାରୁ ଆନ୍ଧ୍ରପ୍ରଦେଶର କୋଟାଭାଲସା ପର୍ଯ୍ୟନ୍ତ ଲମ୍ବିଥିବା କେ.କେ. ରେଳଲାଇନ ପ୍ରତିଏବେ ବିପଦ ସୃଷ୍ଟି ହୋଇଛି । ଏହି ରେଳ ଲାଇନଟି ଓଡିଶାର କୋରାପୁଟ ଜିଲା ମଧ୍ୟଦେଇ ଗତି କରିଛି । ପାହାଡିଆ ଅଞ୍ଚଳ ଦେଇ ଏହି ଟ୍ରାକ୍‌ ରହିଥିବା କାରଣରୁ ବର୍ଷାଋତୁରେ ଅଧିକାଂଶ ଦିନ ରେଳ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି ରେଳଲାଇନ୍‌ କୋରାପୁଟ ଜିଲାର ଦାର୍ଲିପୁଟ, ପାଡ଼ୁଆ, ଭେଜା, ମାଛକୁଣ୍ଡ ରୋଡ଼, ପାଲିବା, ସୁକୁ ଭଳି ଉପାନ୍ତ ଅଞ୍ଚଳ ଦେଇ ଗତିକରୁଛି। ଗତ ଅକ୍ଟୋବର ମାସରେ ଉକ୍ତ ରେଳଲାଇନରେ ଥିବା ପୋଲ ପଥର ପଡ଼ି କ୍ଷତିଗସ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁ ମାଟି ଅତଡା ଏବଂ ଏକ ବିରାଟ ପଥର ଖସି ୫୦ ବର୍ଷର ଏହି ପୋଲ ଭାଙ୍ଗିଯାଇଛି। ଫଳରେ ବିଶାଖାପାଟଣା-ଜୟପୁର ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ପୋଲଟି ମରାମତି ପାଇଁ ଅତି କମରେ ୨ ମାସ ସମୟ ଲାଗିବ ବୋଲି ରେଳ ବିଭାଗ ପ୍ରକାଶ କରିଛି । ରେଳଚଳାଚଳ ବ୍ୟାହତ ହୋଇଥିବା କାରଣରୁ ଅନ୍ୟପରିବହନ ସୁବିଧା ନ ଥିବା ଏହି ଅଞ୍ଚଳର ଜୀବନ ଜୀବିକା ପ୍ରଭାବିତ ହୋଇଛି । ପ୍ରକାଶ ଯେ, କିରଣ୍ଡୁଲ-କୋଟାଭାଲସା (କେ.କେ.) ରେଳପଥର ନିର୍ମାଣ ୧୯୬୦ରେ ଆରମ୍ଭ ହୋଇ ୧୯୬୭ରେ ଶେଷ ହୋଇଥିଲା । ଜାପାନ ସରକାରଙ୍କ ସହାୟତାରେ ନିର୍ମାଣ ହୋଇଥିବା ଏହି ଲାଇନ୍‌ରେ କେବଳ ତତ୍କାଳୀନ ମଧ୍ୟପ୍ରଦେଶ ଏବଂ ବର୍ତ୍ତମାନର ଛତିଶଗଡ଼ରେ ଥିବା ବୈଲାଡିଲାରୁ ଲୁହାପଥର ବୋଝେଇ ଟ୍ରେନ୍‌ ଯାତାୟାତ କରୁଥିଲା। ପରବର୍ତ୍ତୀ ସମୟରେ ଏକମାତ୍ର ପାସେଞ୍ଜର ଟ୍ରେନ ଭାବେ କିରଣ୍ଡୁଲ୍‌-ବିଶାଖାପାଟଣା ପାସେଞ୍ଜର ଯାତାୟାତ କରୁଛି । ଏହି ରେଳପଥରେ ୫୮ଟି ଟନେଲ୍‌ ରହିଥିବା ବେଳେ ୮୪ଟି ପୋଲ ରହିଛି । ପାହାଡ଼ ପାଦଦେଶର ଯାଇଥିବା ଏହି ରେଳଲାଇନରେ କେବେ ପଥର ଖସୁଛି ତ କେବେ ମାଟି ଅତଡା ଖସୁଛି । ଫଳରେ ଯାତ୍ରୀ ଅସୁରକ୍ଷିତ ମନେକରୁଛନ୍ତି। ଏହି ଲାଇନ୍‌ରେ ଆରାକୁ ଗୁମ୍ଫା ଭଳି ଦର୍ଶନୀୟ ସ୍ଥାନ ରହିଥିବା ବେଳେ ଜୟପୁର ନିକଟରେ ରହିଛି ମାଳିଗୁଡ଼ା ବ୍ରିଜ୍‌ । ୪୫ ଷ୍ଟେଶନ୍‌ ରହିଥିବା ଏହି ଲାଇନ୍‌ରୁ ରେଳ ବିଭାଗ ବାର୍ଷିକ ୩ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ବ ପାଉଛି । ରେଳପଥଟି ବିଶାଖାପାଟଣା-କିରଣ୍ଡୁଲ୍‌-ଆରାକୁ-କୋରାପୁଟ-ଜୟପୁର-ଜଗଦଲପୁର-କିରଣ୍ଡୁଲ୍‌ ଦେଇ ବିଛା ହୋଇଛି । କୋଟାଭାଲସା-କିରଣ୍ଡୁଲ କେକେ ଲାଇନରେ ଆରାକୁ-ପାଡୁଆ ଷ୍ଟେଶନ ମଧ୍ୟରେ ଥିବା ଚିମିଡିପାଲି ନିକଟରେ ୨ଟି ଟନେଲରେ ଥିବା ବ୍ରିଜ୍‌ ୧୯୬୭ରେ ତିଆରି ହୋଇଥିଲା । ଏହାର ରକ୍ଷଣାବେକ୍ଷଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ନ ଦେବାରୁ ବର୍ଷାରେ ମାଟି ଅତଡ଼ା ଓ ପଥର ପଡି ବ୍ରିଜ୍‌ର ଫାଉଣ୍ଡେଶନ ସହ ପିଲର ଭାଙ୍ଗିଯାଇଛି । ଏହି ଲାଇନରେ ଦୈନିକ କୋଟାଭାଲସା -କିରଣ୍ଡୁଲ, କିରଣ୍ଡୁଲ-କୋଟାଭାଲସା ପାସେଞ୍ଜର, ବିଶାଖାପାଟଣା-ଜଗଦଲପୁର, ଜଗଦଲପୁର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ବ୍ୟତୀତ ୨୨ଟି ମାଲବାହୀ ଟ୍ରେନ ବୈଲାଡିଲାରୁ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟ ଓ ବନ୍ଦରକୁ ମାଙ୍ଗାନିଜ ପରିବହନ କରିଥାଏ । ପୋଲର ମରାମତି କାର୍ଯ୍ୟ ପାଇଁ ଟ୍ରେନଗୁଡିକର ଗତିପଥରେ ପରିବର୍ତ୍ତନ କରାଯାଇଥିବା ବିଭାଗ ସୂତ୍ରରୁ କୁହାଯାଇଛି । ବିଶାଖାପାଟଣା-ଜଗଦଲପୁର ମଧ୍ୟରେ ଏହି ରାସ୍ତା ଦେଇ ଚାଲୁଥିବା ରାତ୍ରିକାଳୀନ ସ୍ବତନ୍ତ୍ର ଟ୍ରେନକୁ କେବେ କେବେ ବିଜୟନଗରମ୍‌ ଏବଂ ରାୟଗଡା ଦେଇ ଚଲାଯାଉଛି। ଏଥିସହ ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗର ଜିଲାକୁ ବାଦ୍‌ ଦେଲେ ଓଡ଼ିଶାର କୋରାପୁଟ, ଛତିଶଗଡ଼ର ବସ୍ତର ଓ ଦାନ୍ତେୱାଡ଼ା ଭଳି ମାଓବାଦୀ ପ୍ରବଣ ଜିଲା ଦେଇ ଏହି ରେଳଲାଇନ୍‌ ଯାଇଛି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳବାସୀ ଟ୍ରେନ୍‌ ଉପରେ ସବୁବେଳେ ନିର୍ଭର କରନ୍ତି । ଓଡ଼ିଶାର ଦାର୍ଲିପୁଟ, ପାଡ଼ୁଆ, ଭେଜା, ମାଛକୁଣ୍ଡ ରୋଡ଼, ପାଲିବା, ସୁକୁ ଭଳି ଉପାନ୍ତ ଅଞ୍ଚଳକୁ ପ୍ରାୟ ବସ୍‌ ସେବା ନ ଥିବାରୁ ଉକ୍ତ ଅଞ୍ଚଳର ଲୋକଙ୍କର ଏହି ପାସେଞ୍ଜର ଟ୍ରେନ ହିଁ ଯାତାୟାତର ମାଧ୍ୟମ । ସେମାନେ ଏହି ଟ୍ରେନ୍‌ ଯୋଗେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ନିକଟବର୍ତ୍ତୀ ବଜାରକୁ ନେଇ ବିକ୍ରିକରି ଜୀବିକା ନିର୍ବାହ କରିଥାଆନ୍ତି । ଟ୍ରେନ ବନ୍ଦ ଯୋଗୁ ସେମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଉଛି । କେନ୍ଦ୍ର ସରକାର ଏବଂ ସ୍ଥାନୀୟ ଅଞ୍ଚଳର ରାଜନେତାଙ୍କ ଆନ୍ତରିକତାର ଅଭାବରୁ ଏହି ଅଞ୍ଚଳବାସୀ ରେଳ ସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି । ଏହି ରେଳଲାଇନ୍‌ରେ ଦୈନିକ ୨୦ରୁ ଅଧିକ ଲୁହାପଥର ବୋଝେଇ ଟ୍ରେନ୍‌ ଯିବା ଆସିବା କରି କୋଟି କୋଟି ଟଙ୍କା ରେଳ ବିଭାଗକୁ ଦେଇ ଚାଲିଥିବା ବେଳେ ପୂର୍ବତଟ ରେଳପଥ କିନ୍ତୁ ଏହାକୁ ଅବହେଳା କରୁଛି । ୫୦ ବର୍ଷ ତଳର ଏହି କେକେ ଲାଇନକୁ ଗୁରୁତ୍ୱ ଦେଇ ମରାମତି ସହ ନୂତନ ଲାଇନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଦାବି ହେଉଛି । ଏ ସମ୍ପର୍କରେ ଜୟପୁର ରେଳ ଷ୍ଟେଶନ ମାଷ୍ଟର ଲକ୍ଷ୍ମୀଧର ଦାସଙ୍କୁ ପଚାରିବାରୁ ସେ କହିଥିଲେ, ବିଭାଗ ତରଫରୁ ପ୍ରତ୍ୟେକ ଦିନ ସୁରକ୍ଷା ପ୍ରତି ଧ୍ୟାନ ଦେଉଛୁ ।ଭୟଭୀତ ହେବାର କିଛି କାରଣ ନାହିଁ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri