ବମିଖାଲ ଫ୍ଲାଏ ଓଭରବ୍ରିଜ ଭୁଶୁଡ଼ିବା ଘଟଣା: ୨ମାସ ପରେ କାମ ଆରମ୍ଭ


ଭୁବନେଶ୍ୱର,୧୦। ୧୧(ବ୍ୟୁରୋ)- ବମିଖାଲ ସ୍ଥିତ ପ୍ଲାଏ ଓଭରବ୍ରିଜ ଭୁଶୁଡ଼ିବା ଘଟଣାକୁ ୨ ମାସ ଅତିକ୍ରମ କରିଛି। ଶୁକ୍ରବାର ଠାରୁ ପ୍ଲାଏ ଓଭରବ୍ରିଜ କାମ ଆରମ୍ଭ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ପୁଣିଥରେ ପ୍ଲାଏ ଓଭରବ୍ରିଜର କାମ ପଣ୍ଡା ଇନ୍‌ଫ୍ରାକୁ ହସ୍ତାନ୍ତର କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା କଳାତାଲିକାଭୁକ୍ତ ସଂସ୍ଥା ଭାବେ ଘୋଷଣା ହୋଇଥିବା ପଣ୍ଡା ଇନ୍‌ଫ୍ରା ଉପରେ ପୁଣିଥରେ ପୂର୍ତ୍ତ ବିଭାଗର ଭରସାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଶୁକ୍ରବାର ସକାଳୁ କାମ ଆରମ୍ଭ କରିବା ପୂର୍ବରୁ ପଣ୍ଡା ଇନ୍‌ଫ୍ରାର ବରିଷ୍ଠ ଅଧିକାରୀମାନେ ଓଭରବ୍ରିଜର ସ୍ଲାପ ଯେଉଁ ସ୍ଥାନରେ ଭୁଶୁଡ଼ିଥିଲା ସେଠାରେ ହିଁ ଏକ ପୂଜାପାଠ କରାଯାଇଥିଲା। ଅନ୍ୟପକ୍ଷରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅର୍ଥାତ୍‌ ୨୦୧୯ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ଲାଏ ଓଭରବ୍ରିଜ କାମ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ପୂର୍ତ୍ତ ବିଭାଗର ଅଧିକାରୀମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ, ବମିଖାଲ ଫ୍ଲାଏ ଓଭରବ୍ରିଜର ସ୍ଲାପ ଭୁଶୁଡ଼ିବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଠାରେ କାର୍ଯ୍ୟରତ ୧୧ ଜଣ ଶ୍ରମିକ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କର ପୂର୍ତ୍ତ ବିଭାଗ ଉକ୍ତ ବ୍ରିଜର କାମ ନେଇଥିବା ପଣ୍ଡା ଇନ୍‌ଫ୍ରାକୁ କଳା ତାଲିକା ଭୁକ୍ତ କରିଥିଲେ। ଅର୍ଥାତ୍‌ ଆଗାମୀ ଦିନରେ ପଣ୍ଡା ଇନ୍‌ଫ୍ରା ରାଜ୍ୟର କୌଣସି ବି ସରକାରୀ କାମ ନିମନ୍ତେ ଟେଣ୍ଡର ପକାଇ ନ ପାରିବା କଥା। କିନ୍ତୁ ପଣ୍ଡା ଇନ୍‌ଫ୍ରା ନିକଟରୁ ଅହେତୁକ ଅନୁକମ୍ପା ପାଇଥିବା ପୂର୍ତ୍ତ ବିଭାଗର କର୍ମଚାରୀମାନେ ପୁଣିଥରେ ଏହି କାମ ପାଇଁ ଉକ୍ତ ଠିକା ସଂସ୍ଥାକୁ ହିଁ କାମ ଦେଇଥିଲେ। ଗୋଟାଏ ପଟରେ କମିଶନରେଟ୍‌ ପୋଲିସ ଆଜି ପର୍ଯ୍ୟନ୍ତ ଏହି ଘଟଣାରେ ଅଭିଯୁକ୍ତ ଥିବା ପଣ୍ଡା ଇନ୍‌ଫ୍ରାର ୨ ଜଣ ସଦସ୍ୟଙ୍କୁ ଗିରଫ ନ କରିବା ସେମାନଙ୍କ ପ୍ରତି ପୋଲିସର ଦରଦପଣିଆ ସ୍ପଷ୍ଟ କରି ଆସୁଥିଲା। ଏହା ପରେ ପୁଣିଥରେ ବମିଖାଲ କାମ ପଣ୍ଡା ଇନ୍‌ଫ୍ରା କରିବା ପାଇଁ ପୂର୍ତ୍ତ ବିଭାଗର ଅନୁମତି କମ୍ପାନୀ ମୁଖ୍ୟ ପ୍ରତାପ ପଣ୍ଡାଙ୍କର ରାଜନୈତିକ ଲିଙ୍କ୍‌ ଓ ବିଭାଗରେ ତାଙ୍କର ଦୀର୍ଘଦିନ ଧରି ରହିଥିବା ଆଧିପତ୍ୟକୁ ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri