ଫେସ୍‌ବୁକ୍‌ରେ କାରଣ ଜଣାଇ ଆତ୍ମହତ୍ୟା


ପୁରୀ ଅଫିସ, ୯।୧୧: ସୋସିଆଲ ମିଡିଆ ଖୋଲିଲେ ବିଭିନ୍ନ ଖବର ଓ ଅଜବ ଗଜବ ପୋଷ୍ଟ ନଜରକୁ ଆସୁଛି। ହେଲେ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ଚରମ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଏକ ଭିଡିଓ ବୁଧବାର ଫେସ୍‌ବୁକ୍‌ରେ ଆପ୍‌ଲୋଡ୍‌ କରିବା ଏବଂ ଗୁରୁବାର ସତକୁ ସତ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଯୁବକଜଣକ ହେଉଛନ୍ତି ପୁରୀ ଜିଲା ସଦର ଥାନା ଅଞ୍ଚଳର। ପାରିବାରିକ ଅଶାନ୍ତି ଏବଂ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ସମ୍ପର୍କିତ ଭିଡିଓ ସେ ପୂର୍ବରୁ ଅପ୍‌ଲୋଡ କରିଥିଲେ। ସେଥିରେ ସେ ଜୀବନ ହାରିବାର କାରଣ ବର୍ଣ୍ଣନା କରିଥିଲେ। ଗୁରୁବାର ପୁରୀ ସଦର ପୋଲିସ ଯୁବକଙ୍କ ଝୁଲନ୍ତା ମୃତଦେହ ତାଙ୍କ ଗ୍ରାମର ଏକ ଆମ୍ବଗଛରୁ ଉଦ୍ଧାର କରିଛି। ପୋଲିସ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଯୁବକ ଜଣକ ବାଙ୍ଗାଲୋରରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଫେସ୍‌ବୁକ୍‌ରେ ଅପଲୋଡ ହୋଇଥିବା ଭିଡିଓରେ ଯୁବକଙ୍କ କହିବା ଅନୁଯାୟୀ, ସେ ଗତ ମାର୍ଚ୍ଚ ୨ତାରିଖରେ ସତ୍ୟବାଦୀ ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ କଟକର ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାମ କରୁଥିଲେ। ଯିଏ କି ବିବାହ ପୂର୍ବରୁ ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ଥିବା ପରିବାର ଲୋକେ ଜାଣିଥିଲେ। ତଥାପି ପରିବାର ଲୋକଙ୍କ କଥାରେ ରାଜି ହୋଇ ସେ ବିବାହ କରିଥିଲେ। ବିବାହ ପରେ ସ୍ତ୍ରୀଙ୍କୁ ସେ ନର୍ସିଂ ଡ୍ୟୁଟି କରିବାକୁ ବାରଣ କରିଥିଲେ। ଏହାପରେ ସେ ବାଙ୍ଗାଲୋର ଚାଲି ଯାଇଥିଲେ। ପରେ ସେ ଶୁଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ପୁଣିଥରେ କଟକର ସେହି ନର୍ସିଂହୋମରେ ଯୋଗ ଦେଇଛନ୍ତି। ବାଙ୍ଗାଲୋରରୁ ଫେରି ସେ ତାଙ୍କୁ ସାଙ୍ଗରେ ନେଇଯାଇଥିଲେ। ସେଠାରେ ହଠାତ୍‌ ଦିନେ ସେ ମୋବାଇଲ ଫୋନ ହ୍ବାଟ୍‌ସଆପ୍‌ରେ ସ୍ତ୍ରୀଙ୍କ ସହ ଜଣେ ଯୁବକଙ୍କ ଆପତ୍ତିଜନକ ଫଟୋ ଦେଖିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ସମ୍ପୃକ୍ତ ଯୁବକ(ସ୍ତ୍ରୀଙ୍କ ପ୍ରେମିକ)ଙ୍କ ନଁାରେ ସତ୍ୟବାଦୀ ଥାନାରେ ମାମଲା ରୁଜୁ କରିବା ଲାଗି ଯୁବକଜଣକ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ। କିନ୍ତୁ ସମ୍ମାନ ହାନି କାରଣ ଦର୍ଶାଇ ସ୍ତ୍ରୀଙ୍କ ପରିବାର ଲୋକେ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ। ପରେ ଗତ ଜୁଲାଇରେ ସଦର ଥାନାରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଆପୋସ ମିଳାମିଶା ହୋଇଥିଲା। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କୁ ଘରେ ଛାଡି ବାଙ୍ଗାଲୋର ଚାଲିଯାଇଥିଲେ। ଏହାର ୧୦ ଦିନ ପରେ ବାଲିଘାଇ ଫାଣ୍ଡିରୁ ଫୋନ ଆସିଥିଲା ଯେ, ପରିବାର ଲୋକ ତୁମ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଛନ୍ତି। ପୋଲିସଠାରୁ ଏପରି ଶୁଣିବା ପରେ ସେ ଘରକୁ ଫେରିଥିଲେ। ଫେରି ଦେଖିଲେ, ସ୍ତ୍ରୀ ଘରର ସମସ୍ତ ସାମଗ୍ରୀ ଧରି ବାପଘରକୁ ଚାଲି ଯାଇଛନ୍ତି। ପରିବାରର ଭୁଲ୍‌ ନିଷ୍ପତ୍ତି ଯୋଗୁ ତାଙ୍କ ଜୀବନ ଛାରଖାର ହୋଇଗଲା ବୋଲି ଯୁବକ ଜଣକ କହିଛନ୍ତି। ଏଣୁ ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ନିଶାବଟିକା ଖାଇବା ପରେ ଗାଁ ମୁଣ୍ଡ ଆମ୍ବଗଛରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିଲେ। ଅନ୍ୟପଟେ ମୃତକଙ୍କ ମା’ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସଦର ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି କୁହନ୍ତି, ପାରିବାରିକ ଅଶାନ୍ତି କାରଣରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକ ଜଣାଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri