କୁନ୍ଦୁଲି ଗଣବଳାତ୍କାର: ନ୍ୟାୟିକ ତଦନ୍ତକୁ ନେଇ ପ୍ରଶ୍ନବାଚୀ


କଟକ ଅଫିସ, ୯।୧୧(କାହ୍ନୁଚରଣ ଦଳାଇ)- ପୋଲିସ ଓ କ୍ରାଇମବ୍ରାଞ୍ଚ ଫେଲ୍‌ ମାରିଲା। ସରକାର ଅସହାୟ ହୋଇ ବିଚାରବିଭାଗୀୟ(ନ୍ୟାୟିକ) ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଜିଲା ଜଜ୍‌ ଉକ୍ତ ଘଟଣାର ତଦନ୍ତ କରିବେ। କୋରାପୁଟ ଜିଲାର କୁନ୍ଦୁଲି ଗଣବଳାତ୍କାରକୁ ନେଇ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏବେ ଏହାକୁ ନେଇ ନାନାଦି ପ୍ରଶ୍ନ ଉଠିବାରେ ଲାଗିଛି। ତେବେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇ ସରକାର ଆତ୍ମରକ୍ଷା ଶୈଳୀ ଆପଣାଇଥିବା ଆଲୋଚନା ହେଉଛି। କାରଣ ଉକ୍ତ ଘଟଣା ପୂର୍ବରୁ ଦୁଇଟି ଚର୍ଚ୍ଚିତ ଘଟଣା ଉପରେ ବିଚାରବିଭାଗୀୟ ତଦନ୍ତ ଚାଲିଛି। ଗୋଟିଏ ଚିଟଫଣ୍ଡ ଓ ଅନ୍ୟଟି ନୀଳାଦ୍ରିବିଜେ ବିଶୃଙ୍ଖଳା ପରେ ଶ୍ରୀମନ୍ଦିରରେ ସଂସ୍କାର ବ୍ୟବସ୍ଥା ନିମନ୍ତେ ସରକାର ଏଭଳି ତଦନ୍ତ ପନ୍ଥାକୁ ଆପଣାଇଥିଲେ। ମାତ୍ର ଉଭୟ ତଦନ୍ତର ନିର୍ଯାସ ଅଦ୍ୟାବଧି ମିଳିପାରି ନାହିଁ। ଚିଟ୍‌ଫଣ୍ଡ ଘଟଣାରେ ନିଯୁକ୍ତ ତଦନ୍ତ କମିଶନ ଜଷ୍ଟିସ ମଦନମୋହନ ଦାସ ଇତିମଧ୍ୟରେ ୩ଟି ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିସାରିଲେଣି। ନୀଳାଦ୍ରିବିଜେ ଘଟଣାରେ ଜଷ୍ଟିସ ବିମଳ ପ୍ରସାଦ ଦାସ ମଧ୍ୟ ଦୁଇଟି ରିପୋର୍ଟ ଦାଖଲ କରିସାରିଲେଣି। ମାତ୍ର ଉପରୋକ୍ତ ରିପୋର୍ଟ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏବେ କୁନ୍ଦୁଲିର ପାଳି। ଉକ୍ତ ଘଟଣାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିବ ବୋଲି ଆଇନଜୀବୀମାନେ ସନ୍ଦେହବ୍ୟକ୍ତ କରିଛନ୍ତି। ସରକାର ବୁଧବାର ଦେଇଥିବା ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଉପରେ ପ୍ରତିକ୍ରିୟା ଦେଇଛନ୍ତି କ୍ୟାଟ୍‌ର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ମନୋରଞ୍ଜନ ମହାନ୍ତି। ସେ କହିଛନ୍ତି ଯେ, କୁନ୍ଦୁଲି ଗଣବଳାତ୍କାର ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯିବା କୌଣସି ଆବଶ୍ୟକ ନାହିଁ। ସରକାର ଅନେକ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରୁ ଲୋକଙ୍କୁ ନ୍ୟାୟ ମିଳିପାରି ନାହିଁ। ଉକ୍ତ ବଳାତ୍କାର ଘଟଣା ରାଜ୍ୟବାସୀଙ୍କ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି। ଗୁଡଗାଁଓସ୍ଥିତ ରିୟାନ ଇଣ୍ଟରନ୍ୟାଶନାଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରିଥିଲା। ଏହି ତଦନ୍ତ ପରେ ସିବିଆଇ ପ୍ରକୃତ ରହସ୍ୟ ଉନ୍ମୋଚନ କରିଛି। ପ୍ରଦ୍ୟୁମ୍ନ ହତ୍ୟା ଘଟଣା ଭଳି କୁନ୍ଦୁଲି ଘଟଣା କ୍ଷେତ୍ରରେ ସରକାର ସିବିଆଇକୁ ତଦନ୍ତ ପାଇଁ ସୁପାରିସ କରିବା ଜରୁରୀ ଥିଲା। ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ କରାଯାଇ ଲୋକଙ୍କ ସାମ୍ନାରୁ ଉକ୍ତ ଘଟଣାକୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଆଇନଜୀବୀ କ୍ଷୀରୋଦ ରାଉତଙ୍କ ମତରେ କୁନ୍ଦୁଲି ଘଟଣାରେ ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ସରକାରଙ୍କୁ ବିରୋଧୀମାନେ ଟାର୍ଗେଟ କରିଛନ୍ତି। ଏଭଳି କ୍ଷେତ୍ରରେ ସରକାର ଅଡୁଆରେ ପଡ଼ିଛନ୍ତି। ଏଥିରୁ ମୁକୁଳିବା ପାଇଁ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯିବା କେବଳ ଲୋକଦେଖାଣିଆ। ଏହିଭଳି ଅନେକ ଚର୍ଚ୍ଚିତ ଘଟଣାରେ ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେଉଁଠି ତଦନ୍ତ ଚାଲିଛି ତ ଅନ୍ୟ ଘଟଣାରେ ସରକାରଙ୍କୁ ତଦନ୍ତ କମିଶନ ରିପୋର୍ଟ ଦେଇସାରିଲେଣି। ହେଲେ ଏହି ରିପୋର୍ଟ ଫାଇଲର ନାଲିଫିତା ତଳେ ଚାପିହୋଇ ରହିଛି। ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନର ପୂର୍ବତନ ସମ୍ପାଦକ ବିଜୟ କୁମାର ରଗଡ଼ କୁହନ୍ତି, ସରକାରଙ୍କ ଉପରେ ଯେତେବେଳେ ଚାପ ପଡେ, ସେତେବଳେ ଏହିଭଳି ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇ ଦାୟିତ୍ୱ ସାରି ଦିଅନ୍ତି। ବିଚାର ବିଭାଗ ତଦନ୍ତ ବିଳମ୍ବିତ ପ୍ରକ୍ରିୟା। ଏଥିରେ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରୁ ନାହିଁ। ଅନେକ ଘଟଣାରେ ତଦନ୍ତ ହେଲାଣି। ଦୋଷୀମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। କୁନ୍ଦୁଲି କ୍ଷେତ୍ରରେ ମଧ୍ୟ ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିବା ନେଇ ଆଶଙ୍କା ଦେଖାଦେଇଛି। ସରକାର ସିବିଆଇକୁ ତଦନ୍ତ ପାଇଁ ସୁପାରିସ କରିବା ଜରୁରୀ। ହାଇକୋର୍ଟର ଆଇନଜୀବୀ ସତ୍ୟବ୍ରତ ପ୍ରଧାନ କହିଛନ୍ତି ଯେ, କୁନ୍ଦୁଲି ଘଟଣା ନୁହେଁ ସରକାର ଅନେକ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦାୟିତ୍ୱରେ ଥିବା ତଦନ୍ତ କମିଶନ ମଧ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ଉଦାହରଣ ଭାବେ ପିପିଲି ଘଟଣାରେ ତଦନ୍ତ କମିଶନ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଆଜିପର୍ଯ୍ୟନ୍ତ ଏହି ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା କମିଶନଙ୍କ ସୁପାରିସକୁ ସରକାର ପାଳନ କରିନାହାନ୍ତି। ଏଭଳି କ୍ଷେତ୍ରରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ କେବଳ ପ୍ରହସନ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri