ନିରାଶାର କେନ୍ଦ୍ର ନିରାମୟ


କଟକ ଅଫିସ, ୯।୧୧(ନିର୍ମଳ ପଣ୍ଡା)- ରୋଗୀଙ୍କୁ ନିରାମୟ କେନ୍ଦ୍ରରୁ ଔଷଧ ଆଣିବା ଉପରେ ଏସ୍‌ସିବି ମେଡିକାଲ ପକ୍ଷରୁ ତନାଘନା କରାଯାଉଛି। ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ନିରାମୟ କେନ୍ଦ୍ରରେ ମହଜୁଦ ଥିବା ଔଷଧ ରୋଗୀଙ୍କ ପାଇଁ ଲେଖିବାକୁ ବାଧ୍ୟ। ଏହି ଅନୁଯାୟୀ ପ୍ରେସ୍‌କ୍ରିପ୍‌ଶନ ଉପରେ ଡାକ୍ତରଙ୍କ ସ୍ବାକ୍ଷର ଓ ସିଲ୍‌ ବାଧ୍ୟତାମୂଳକ କରାଯାଇଛି। ଏଭଳି ବ୍ୟବସ୍ଥା ଦ୍ୱାରା ଡାକ୍ତରମାନଙ୍କୁ ବାଧ୍ୟ କରାଯାଇଥିବାବେଳେ ନିରାମୟ କେନ୍ଦ୍ରରେ କିନ୍ତୁ ପ୍ରେସ୍‌କ୍ରିପ୍‌ଶନରେ ଲେଖାଥିବା ଔଷଧ ମିଳୁନାହିଁ। ଫଳରେ ରୋଗୀ ଓ ସମ୍ପର୍କୀୟମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ନିରାମୟ କେନ୍ଦ୍ରରୁ ଔଷଧ ନ ମିଳିବା ପରେ ପୁନର୍ବାର ଡାକ୍ତରଙ୍କ ପାଖକୁ ଗଲାବେଳକୁ ସେମାନେ ଅଧୀକ୍ଷକ କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ଭେଟିବା ପାଇଁ ପରାମର୍ଶ ଦେଉଛନ୍ତି। ତେଣୁ ରୋଗ ଦେଖାଇବାକୁ ଆସି ରୋଗୀ ଜଣକ ଡାକ୍ତରଙ୍କ ଚିଠା ଧରି ବିଭିନ୍ନ ସ୍ଥାନକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି। ଏସ୍‌ସିବି ମେଡିକାଲରେ ଏବେ ଏହିଭଳି ଦୃଶ୍ୟ ଦୈନିକ ଦେଖିବାକୁ ମିଳୁଛି। ୨୦୧୫ ଏପ୍ରିଲରେ ରାଜ୍ୟରେ ନିରାମୟ ଯୋଜନା ଆରମ୍ଭ ହୋଇଥିଲା। ଯୋଜନାରେ ୭୨୦ ପ୍ରକାର ଜରୁରିକାଳୀନ ଔଷଧ ସମସ୍ତ ସରକାରୀ ମେଡିକାଲକୁ ଯୋଗାଇଦେବାକୁ ବ୍ୟବସ୍ଥା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସରକାର ୧୫୦ ପ୍ରକାରର ଔଷଧ ଯୋଗାଇ ଦେଇଥିଲେ। ଏସ୍‌ସିବିରେ ୫୭୦ ପ୍ରକାରର ଔଷଧ ଉପଲବ୍ଧ ରହିବ ବୋଲି ସେ ସମୟରେ ଘୋଷଣା କରାଯାଇଥିଲା। ହେଲେ ଆଜି ଦିନର ସ୍ଥିତିକୁ ଦେଖିଲେ ମେଡିକାଲରେ ମାତ୍ର ୧୭୯ ପ୍ରକାର ଔଷଧ ଉପଲବ୍ଧ ରହିଛି। ସେଥିରୁ ଅଧିକାଂଶ ଥଣ୍ଡା, ଜ୍ୱର, ଝାଡ଼ା, କାଶ ଇତ୍ୟାଦି ରୋଗ ପାଇଁ। ଫଳରେ ଅନ୍ୟ ରୋଗରେ ପୀଡ଼ିତମାନେ ବିଶେଷ ହଇରାଣ ହେଉଛନ୍ତି। ଏସ୍‌ସିବି ମେଡିକାଲର ବିଭିନ୍ନ ସ୍ଥାନରେ ଥିବା ନିରାମୟ କେନ୍ଦ୍ର ପରିଦର୍ଶନ କରିବା ପରେ ରୋଗୀମାନେ କିଭଳି ହଇରାଣ ହରକତ ହେଉଛନ୍ତି ତାହାର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥିଲା। ଏସ୍‌ସିବି ପରିସରରେ ଥିବା ମାନସିକ ରୋଗ ଚିକିତ୍ସା କେନ୍ଦ୍ରକୁ ଯିବା ସମୟରେ ଯାଜପୁର ବଡ଼ଚଣା ଅଞ୍ଚଳରୁ ଆସିଥିବା ଅଭିରାମ ନାୟକ ନାମକ ଜଣେ ରୋଗୀ ସମ୍ପର୍କୀୟଙ୍କ କହିବାନୁଯାୟୀ, ତାଙ୍କ ପୁଅ ହୃଷୀକେଶ ଜଣେ ମାନସିକ ରୋଗୀ। ପ୍ରତିମାସରେ ସେ ଫଲୋଅପ ଚିକିତ୍ସା ପାଇଁ ଆସନ୍ତି। ମାସକ ପାଇଁ ମେଡିସିନ ନେଇ ଯିବା କଥା। ହେଲେ ତାଙ୍କୁ ମିଳୁଛି ୧୦ରୁ ୧୫ ଦିନର ଔଷଧ। ଅଭିରାମଙ୍କ କହିବା କଥା ହେଉଛି ମାସରେ ଦୁଇଥର ଏଠାକୁ ଗାଡ଼ିଭଡ଼ା କରିଆସିବା ଅପେକ୍ଷା ବାହାରୁ ମେଡିସିନ କିଣିନେବା ଭଲ। ଉକ୍ତ ବିଭାଗର ଜନୈକ ଡାକ୍ତରଙ୍କ କହିବା ଅନୁଯାୟୀ, ନିତାନ୍ତ ଆବଶ୍ୟକ ଆଣ୍ଟି ସାଇକୋଟିକ୍‌ ଓ ଆଣ୍ଟି ଡିପ୍ରେସନ ମେଡିସିନ ମଧ୍ୟ ନିରାମୟ କେନ୍ଦ୍ରରେ ମହଜୁଦ ରହୁନି। ଆଉଟଡୋର ନିକଟରେ ଥିବା ନିରାମୟ କେନ୍ଦ୍ରକୁ ଯିବାରୁ ସେଠାରେ ମାହାଙ୍ଗା ଅଞ୍ଚଳର ପ୍ରଦୀପ୍ତ ସାମଲ ନାମକ ଜଣେ କିଡ୍‌ନୀ ରୋଗୀ ଭେଟ ହୋଇଥିଲେ। ପ୍ରଦୀପ୍ତଙ୍କ ବୟାନ ମଧ୍ୟ ସମାନ ଥିଲା। ଡାକ୍ତର ୧ ମାସ ପାଇଁ ମେଡିସିନ ଲେଖୁଥିବା ବେଳେ ନିରାମୟ କେନ୍ଦ୍ର ପକ୍ଷରୁ ତାଙ୍କୁ ୧୦ ଦିନର ଔଷଧ ଦିଆଯାଉଛି। ଏହାବାଦ୍‌ କିଡ୍‌ନୀ ରୋଗୀଙ୍କ ପାଇଁ ଆବଶ୍ୟକ ମାଇକୋଫେନୋଲେଟ ମୋଫେଟିଲ୍‌ ବଟିକା ନିରାମୟ କେନ୍ଦ୍ରରେ ଉପଲବ୍ଧ ରହୁନି। ଉକ୍ତ ଔଷଧର ଦାମ୍‌ ଢେର ଅଧିକ। ଗୋଟିଏ ବଟିକାର ଦାମ ୪୦ ଟଙ୍କାରୁ ଊର୍ଦ୍ଧ୍ୱ ପଡ଼ୁଛି। କିନ୍ତୁ ନିରାମୟ କେନ୍ଦ୍ରକୁ ଉକ୍ତ ଔଷଧ ସରକାର ଯୋଗାଇଛନ୍ତି କି ନାହିଁ ତାହା ତଦନ୍ତ ସାପେକ୍ଷ ବୋଲି ପ୍ରଦୀପ୍ତ କହିଛନ୍ତି। ଏ ସମ୍ପର୍କରେ ଏସ୍‌ସିବିର ଷ୍ଟୋର ମେଡିକାଲ ଅଫିସର ଡାକ୍ତର ଶ୍ରୀକାନ୍ତ ପଣ୍ଡାଙ୍କୁ ପଚାରିବାରୁ ନିରାମୟ ଯୋଜନାକୁ ଅଧିକ କ୍ରିୟାଶୀଳ କରାଯାଇଛି। ସରକାରଙ୍କ ପକ୍ଷରୁ ଯେଉଁ ଔଷଧ ଯୋଗାଇ ଦିଆଯାଉଛି ତାହା ଆମେ ରୋଗୀଙ୍କୁ ଦେଉଛୁ। ଏବେ ଆହୁରି ଅଧିକ ଔଷଧ ଆସିବା ପାଇଁ ଯୋଜନା କରାଯାଉଥିବା ସେ କହିଛନ୍ତି। ଟେକ୍ନିକାଲ ଷ୍ଟୋରକିପର ବିଭୂତି ଭୂଷଣ ମହାନ୍ତିଙ୍କୁ ପଚାରିବାରୁ ଦୈନିକ ୧ହଜାରରୁ ଊର୍ଦ୍ଧ୍ୱ ରୋଗୀ ନିରାମୟ କେନ୍ଦ୍ରରୁ ଉପକୃତ ହେଉଛନ୍ତି। ଏବେ ଡାକ୍ତରମାନେ ଅଧିକାଂଶ ସମୟରେ ଯେଉଁ ସବୁ ଔଷଧ ଲେଖୁଛନ୍ତି ତାହାର ଏକ ଚିଠା ପ୍ରସ୍ତୁତ କରାଯାଇ ସରକାରଙ୍କୁ ଦିଆଯିବ ଏବଂ ଉକ୍ତ ଔଷଧ ନିରାମୟକୁ ଆସିବା ନିମନ୍ତେ ବ୍ୟବସ୍ଥା କରାଯିବ। ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ କୁହନ୍ତି, ନିରାମୟ କେନ୍ଦ୍ରରେ ଔଷଧ ନାହିଁ କହିବା ଭୁଲ କଥା। ଅନେକ ଜରୁରିକାଳୀନ ଔଷଧ ନିରାମୟ କେନ୍ଦ୍ରଗୁଡ଼ିକରେ ମହଜୁଦ ରହୁଛି। ଉକ୍ତ ଯୋଜନା ରୋଗୀଙ୍କୁ ଧନହାନି ପ୍ରାଣପୀଡାରୁ ରକ୍ଷା କରୁଛି ବୋଲି ସେ କହିଥିଲେ। ସୂଚନାଥାଉକି, ଏସ୍‌ସିବି ମେଡିକାଲର କାଜୁଆଲଟି, ଆଉଟଡୋର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନ ସହିତ କାର୍ଡିଓଲୋଜି ବିଭାଗ ନିକଟରେ ନିରାମୟ କେନ୍ଦ୍ର ରହିଛି। ହେଲେ ନିରାମୟ ଔଷଧ ସମ୍ପର୍କରେ ରୋଗୀ ଓ ଡାକ୍ତରଙ୍କ ଉପରୋକ୍ତ ମତ ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri