ଝୁଲନ୍ତା ବିଜେପୁର


ଭୁବନେଶ୍ୱର, ୮।୧୧ (ସ୍ବ.ପ୍ର.): ଗତ ଅଗଷ୍ଟ ୨୨ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନର ସମ୍ଭାବନା ଦେଖାଦେଇଛି। ସମ୍ବିଧାନ ଅନୁସାରେ ଶୂନ୍ୟ ପଡ଼ିଥିବା ଆସନରେ ୬ ମାସ ମଧ୍ୟରେ ଭୋଟ୍‌ ହେବ। ଇତିମଧ୍ୟରେ ପ୍ରାୟ ଅଢେଇ ମାସ ବିତିଯାଇଥିଲେ ମଧ୍ୟ ନିର୍ବାଚନ କମିଶନ ଉପନିର୍ବାଚନ ନେଇ ତାରିଖ ଘୋଷଣା କରିପାରୁନାହାନ୍ତି। ଫଳରେ ସୁବଳଙ୍କ ପରଲୋକ ପରେ ବିଜେପୁର ଉପନିର୍ବାଚନକୁ ନେଇ ଯେଉଁ ରାଜନୈତିକ ଉଷ୍ମତା ଦେଖାଦେଇଥିଲା ତାହା ଗତ କିଛିଦିନ ଧରି ଶିଥିଳ ହୋଇଯାଇଛି। ବିଜେପୁର ଉପନିର୍ବାଚନ ବସ୍ତୁତଃ ଝୁଲନ୍ତା ଅବସ୍ଥାରେ ରହିଛି। ପ୍ରକାଶ ଯେ, ସୁବଳଙ୍କ ଦଶାହ ନ ଯାଉଣୁ ସେଠାରେ ଉପନିର୍ବାଚନ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ସରଗରମ ପରିସ୍ଥିତି ଆରମ୍ଭ ହୋଇଯାଇଥିଲା। ଅନୁକମ୍ପା ଭୋଟ ଆଶାରେ ସୁବଳଙ୍କ ପରିବାରକୁ ନିଜ ସପକ୍ଷକୁ ଆଣିବା ସକାଶେ ଭାଜପା ଏବଂ ବିଜେଡି ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଥିଲା। କଂଗ୍ରେସ ମଧ୍ୟ ସୁବଳଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବା ସକାଶେ ତତ୍ପରତା ଦେଖାଇଥିଲା। ମାତ୍ର ଶେଷରେ ବାଜି ମାରିନେଲା ବିଜେଡି। ବରଗଡ ଅଞ୍ଚଳର ବିଜେଡି ନେତାମାନଙ୍କ ରାଜନୈତିକ ଗୋଟିଚାଳନା ଫଳରେ ସୁବଳଙ୍କ ସ୍ତ୍ରୀ ରୀତା ସାହୁ ଓ ତାଙ୍କ ପୁତ୍ର ବିଜେଡିରେ ଯୋଗଦେଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ରୀତାଙ୍କୁ ବିଜେପୁର ଉପନିର୍ବାଚନ ସକାଶେ ଦଳୀୟ ପ୍ରାର୍ଥୀ ଘୋଷଣା କରିଦେଲେ। ଏ କ୍ଷେତ୍ରରେ ବିଜେଡିକୁ ଚାଲେଞ୍ଜ ଦେବାକୁ ଯାଇ ଭାଜପା ମଧ୍ୟ ରାଜନୈତିକ କୌଶଳ ଅବଲମ୍ବନ କଲା। ବିଜେପୁରରେ ଏକ ବିଶାଳ ମିଶ୍ରଣ ସମାବେଶର ଆୟୋଜନ କରି ବିଜେଡିର ପୂର୍ବତନ ବିଧାୟକ ତଥା ଦଳରେ କ୍ରମେ ଅସନ୍ତୁଷ୍ଟ ହୋଇପଡିଥିବା ନେତା ଅଶୋକ ପାଣିଗ୍ରାହୀଙ୍କୁ ସାମିଲ କରିନେଲେ। ତାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ ବୋଲି ଆଲୋଚନା ଚାଲୁଥିଲେ ମଧ୍ୟ ଭାଜପା ନେତୃବୃନ୍ଦ ଅଦ୍ୟାବଧି ଏ ନେଇ କୌଣସି ଘୋଷଣା କରିନାହାନ୍ତି। ରୀତାଙ୍କୁ ବିଜେଡିରେ ପ୍ରାର୍ଥୀ ଘୋଷଣା କରାଯିବା ପରେ ଦଳରେ ଅସନ୍ତୋଷ ଦେଖାଦେଇଥିଲା। ତାହାକୁ ବାରମ୍ବାର ବୈଠକ ଜରିଆରେ ପ୍ରଶମିତ କରି ଦିଆଯାଇଛି ବୋଲି ଦଳ ପକ୍ଷରୁ ଦାବି କରାଯାଉଛି। ଅନ୍ୟପଟେ ବିଜେଡି ନେତାଙ୍କୁ ଦଳରେ ସାମିଲ କରି ପ୍ରାର୍ଥୀ କରାଯିବାର ସମ୍ଭାବନା ନେଇ ଭାଜପାରେ ଦେଖାଦେଇଥିବା ଅସନ୍ତୋଷକୁ ସମାଧାନ କରିବା ପାଇଁ ଦଳୀୟ ନେତା ଉଦ୍ୟମ ଚଳାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ କୌଣସି ନିଷ୍ପତ୍ତି ନେଉ ନ ଥିବାରୁ ଦଳୀୟ ନେତାମାନେ ଚିନ୍ତାରେ ପଡ଼ିଥିଲେ। ଏ ନେଇ ଦଳ ପକ୍ଷରୁ ଘନ ଘନ ବୈଠକ ପରେ ସେମାନେ ଚୌକି ବିବାଦରୁ ବାହାରି ଏକାଠି ହୋଇଛନ୍ତି। କିନ୍ତୁ କାହାକୁ ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀ କରାଯିବ ସେ ନେଇ ନିଷ୍ପତ୍ତି ହୋଇପାରି ନାହିଁ। ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ଏହି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଥିବାରୁ ସବୁ ରାଜନୈତିକ ଦଳ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରୁଛନ୍ତି। ଭାଜପା ଓ କଂଗ୍ରେସଠାରୁ ଦୁଇପାଦ ଆଗକୁ ଯାଇ କ୍ଷମତାରେ ଥିବା ବିଜେଡି ବିଜେପୁରବାସୀଙ୍କ ପାଇଁ ୧୨୫୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛି। କେବଳ ସେତିକି ନୁହେଁ ସେହି ଅଞ୍ଚଳରେ ପୋଲ, ଜଳସେଚନ ଆଦି ଜନକଲ୍ୟାଣମୂଳକ କାର୍ଯ୍ୟ ସକାଶେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କଲେ। ରାଜ୍ୟରେ ୨୦୧୯ ନିର୍ବାଚନର ସେମିଫାଇନାଲ୍‌ କୁହାଯାଉଥିବା ବିଜେପୁର ଉପନିର୍ବାଚନରେ ଲୋକମାନଙ୍କୁ ନିଜ ସପକ୍ଷରେ ନେବା ଲାଗି ବିଜେଡିର ଏହି ଘୋଷଣା ଥିଲା ବ୍ରହ୍ମାସ୍ତ୍ର। ଇତିମଧ୍ୟରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ରଦ୍ଦ ହୋଇସାରିଛି। ଫଳରେ ଉପନିର୍ବାଚନ ପାଇଁ ପଥ ପରିଷ୍କାର ହୋଇସାରିଛି। ଏଣୁ କୌଣସି ମୁହୂର୍ତ୍ତରେ ଉପନିର୍ବାଚନର ତାରିଖକୁ ନିର୍ବାଚନ କମିଶନର ଘୋଷଣା କରିପାରନ୍ତି ବୋଲି ବିଶେଷ ଆଲୋଚନା ଚାଲିଥିଲା। ମାତ୍ର ମାମଲା ରଦ୍ଦ ହେବାକୁ ପାଖାପାଖି ଦୁଇ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଉପନିର୍ବାଚନ ତାରିଖ ଘୋଷଣା ନ ହେବା କାରଣରୁ ରାଜନୈତିକ ମହଲରେ ଭିନ୍ନ ଧରଣର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସାଧାରଣରେ ମଧ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ବ୍ୟକ୍ତ କରାଯାଉଛି। ପ୍ରକାଶ ଯେ, ଭାରତର ନିର୍ବାଚନ କମିଶନ ହିମାଚଳପ୍ରଦେଶ ସହିତ ଗୁଜୁରାଟ ବିଧାନସଭା ନିର୍ବାଚନର ତାରିଖ ଏକ ସଙ୍ଗେ ଘୋଷଣା କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଗୁଜରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ପ୍ରକଳ୍ପ ଉଦ୍‌ଘାଟନ ଓ ଶୁଭଦେବାର କାର୍ଯ୍ୟକ୍ରମ ରହିଥିବାରୁ ଉକ୍ତ ରାଜ୍ୟରେ ନିର୍ବାଚନର ତାରିଖ ଘୋଷଣା ଘୁଞ୍ଚାଇଦେଲେ। ଭାରତର ଅନ୍ୟତମ ସାମ୍ବିଧାନିକ ସଂସ୍ଥା ନିର୍ବାଚନ କମିଶନଙ୍କର ପୃଥିବୀରେ ସୁନାମ ରହିଛି । ମାତ୍ର ଏହି ଅପାରଗତା କାରଣରୁ କମିଶନଙ୍କ ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। କୁହାଗଲାଣି ଯେ ଗୁଜରାଟ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଥିବା କାରଣରୁ ମୋଦି ବିଜେପୁରକୁ ପ୍ରଚାର ସକାଶେ ଆସିପାରିବେ ନାହିଁ ବୋଲି ଏହି ଉପନିର୍ବାଚନ ତାରିଖ ଘୋଷଣାକୁ ବିଳମ୍ବିତ କରାଯାଉଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ଭାଣ୍ଡିଆ ହୋଇଗଲେ। ନଈ ନ ଦେଖୁଣୁ ଲଙ୍ଗଳା ହୋଇ ବିଜେପୁର ସକାଶେ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଦେଲେ। ବିଳମ୍ବରେ ଉପନିର୍ବାଚନ ହେଲେ ବିଜେପୁର ଭୋଟର ସେହି ସବୁକୁ ଭୁଲିଯିବେ। ସେଗୁଡିକର କାର୍ଯ୍ୟ ଶୀଘ୍ର ଆରମ୍ଭ କରା ନ ଗଲେ ଏହା ବିଜେଡି ପାଇଁ ଓଲଟା ପ୍ରହାର କରିପାରେ। ଉପନିର୍ବାଚନ ତାରିଖ ଘୋଷଣାରେ ହେଉଥିବା ବିଳମ୍ବ ସମ୍ପର୍କରେ ବିଜେଡି ପ୍ରାର୍ଥୀ ରୀତା ସାହୁ କୁହନ୍ତି, ଭାଜପା ଭୟଭୀତ ହୋଇ ପଡ଼ିଛି । ଫଳରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନଡିଏ ସରକାର ଇଙ୍ଗିତରେ ଏହି ଉପନିର୍ବାଚନକୁ ଜାଣିଶୁଣି ବିଳମ୍ବିତ କରାଯାଉଥିବା ଅନୁଭବ କରୁଛି । ତେବେ ଉପନିର୍ବାଚନ ଯେତେବେଳେ ହେଲେ ମଧ୍ୟ ତା’ର ସାମ୍ନା କରିବାକୁ ବିଜେଡି ପ୍ରସ୍ତୁତ। ଏଥିରେ ବିଜେଡିର ହିଁ ବିଜୟ ହେବ । ନୂଆକରି ଭାଜପାରେ ଯୋଗ ଦେଇଥିବା ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ମତରେ ଉପନିର୍ବାଚନ କେବେ ହେବ, ତାହା ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ଡିସେମ୍ବର ଶେଷ ସୁଦ୍ଧା ବିଜେପୁର ଉପନିର୍ବାଚନ ହୋଇଯିବ ବୋଲି ଆମର ଧାରଣା ଥିଲା । ମାତ୍ର ସେହି ସମ୍ଭାବନା ଆଉ ପରିଲକ୍ଷିତ ହେଉ ନାହିଁ । ଆଗକୁ ଅନ୍ୟ ରାଜ୍ୟର ନିର୍ବାଚନ ବି ରହିଛି । ଫଳରେ ସେହି ରାଜ୍ୟଗୁଡ଼ିକର ନିର୍ବାଚନ ସାଙ୍ଗରେ ଏହି ଉପନିର୍ବାଚନ ହୋଇପାରେ ବୋଲି ମଁୁ ଭାବୁଛି। କଂଗ୍ରେସ ନେତା ରିପୁନାଥ ସେଠ କୁହନ୍ତି, ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ନେଇ ନିର୍ବାଚନ କମିଶନକୁ ରିପୋର୍ଟ ଦେଇଥାନ୍ତି । ଏହାପରେ ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଘୋଷଣା କିମ୍ବା ଅନ୍ୟାନ୍ୟ ନିଷ୍ପତ୍ତି ନେଇଥାନ୍ତି। ମାତ୍ର ସର୍ବୋପରି କେନ୍ଦ୍ରରେ ରହିଥିବା ନିର୍ବାଚନ କମିଶନ ଉପରେ ସବୁକିଛି ନିର୍ଭର କରିଥାଏ। ପ୍ରସ୍ତୁତି ଅସମ୍ପୂର୍ଣ୍ଣ ହୋଇଥିବା ଯୋଗୁ କିମ୍ବା ଜାଣିଶୁଣି ଉପନିର୍ବାଚନକୁ ବିଳମ୍ବିତ କରାଯାଉଥିବା ମୋର ମନେହେଉଛି । ଏ ସମ୍ପର୍କରେ ବରଗଡ ଜିଲାପାଳ ଖଗେନ୍ଦ୍ର କୁମାର ପାଢୀଙ୍କର ମତହେଉଛି, ବିଜେପୁର ଉପନିର୍ବାଚନ ବିଳମ୍ବିତ ହେଉଛି କହିଲେ ଠିକ୍‌ ହେବ ନାହିଁ । ଉପନିର୍ବାଚନ ପାଇଁ ୬ ମାସ ଅବଧି ରହିଥାଏ । ଏବେ ଆହୁରି ସମୟ ରହିଛି । ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଉପନିର୍ବାଚନ ହେବ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri