ଆର୍ଥିକ ଅନଟନ ଅସହ୍ୟ: ଟ୍ରେନ ଆଗକୁ ଡେଇଁ ପରିବାରର ୫ଜଣଙ୍କ ଆତ୍ମହତ୍ୟା


ସମ୍ବଲପୁର,୮।୧୧(ବ୍ୟୁରୋ)-ମଙ୍ଗଳବାର ରାତିରେ ସମ୍ବଲପୁର ଫାଟକ ରେଳଷ୍ଟେଶନ ନିକଟ ସରଲାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଝାରସୁଗୁଡ଼ା-ସମ୍ବଲପୁର ଡିଏମ୍‌ୟୁ ଟ୍ରେନ୍‌ ଆଗକୁ ଡ଼େଇଁ ଗୋଟିଏ ପରିବାରର ୫ଜଣ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ଜଗନ୍ନାଥ କଲୋନୀରେ ଭଡାରେ ରହୁଥିବା ଧରଣୀଧର ପଣ୍ଡା (୫୨), ତାଙ୍କ ସ୍ତ୍ରୀ ସଙ୍ଗୀତା ପଣ୍ଡା (୪୫), ଝିଅ ଅପରାଜିତା (୧୪), ଅନନ୍ୟା (୧୬) ଓ ଶ୍ରଦ୍ଧା (ସାଢ଼େ ୩ ବର୍ଷ)। ରେଲଓ୍ବେ ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ. ୪୩/୧୭ରେ) ରୁଜୁ କରିଛି। ମୃତଦେହଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏକ ଘରୋଇ ସ୍କୁଲରେ ସଙ୍ଗୀତ ଶିକ୍ଷକ ଥିବା ଧରଣୀଧର ଆର୍ଥିକ ଅନଟନ ଯୋଗୁ ନିଜ ପରିବାର ସଦସ୍ୟଙ୍କ ସହ ଏପରି ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। ରେଲଓ୍ବେ ଥାନା ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କ କହିବା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟାରୁ ୧୦ଟା ମଧ୍ୟରେ ଝାରସୁଗୁଡ଼ା-ସମ୍ବଲପୁର ଡିଏମ୍‌ୟୁ ଟ୍ରେନ୍‌ ଫାଟକ ରେଳ ଷ୍ଟେଶନ ପାର ହୋଇଥିଲା। ଟ୍ରେନଟି ଦ୍ରୁତ ଗତିରେ ଯାଉଥିବା ବେଳେ ସରଲାଠାରେ ଉପରୋକ୍ତ ପରିବାରର ୫ଜଣ ଟ୍ରେନ୍‌ ଆଗକୁ ହଠାତ୍‌ ଡେଇଁ ପଡିଥିଲେ। ବେଗ ଅଧିକ ଥିବାରୁ ଡ୍ରାଇଭର ଟ୍ରେନକୁ ଅଟକାଇ ପାରି ନ ଥିଲେ। ଫଳରେ ଆଖି ପିଛୁଳାକେ ଗୋଟିଏ ପରେ ଗୋଟିଏ ଜୀବନ ଚାଲି ଯାଇଥିଲା। ଟ୍ରେନ ଚାଳକ ତୁରନ୍ତ ଏ ସଂକ୍ରାନ୍ତରେ ଷ୍ଟେଶନ ମାଷ୍ଟରଙ୍କୁ ଜଣାଇଥିଲେ। ଷ୍ଟେଶନ ମାଷ୍ଟର ଏ ନେଇ ରେଲଓ୍ବେ ପୋଲିସକୁ ଖବର ଦେଇଥିଲେ। ରେଲଓ୍ବେ ପୋଲିସ ବୁଧବାର ସକାଳେ ଫାଟକ ଷ୍ଟେଶନ ନିକଟରୁ ପ୍ରାୟ ୬ଶହ ମିଟର ଯିବା ପରେ ରେଳଧାରଣା ଉପରେ ୫ଜଣଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା। ଖବରପାଇ ମୃତକଙ୍କ ସମ୍ପର୍କୀୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସମ୍ପର୍କୀୟ ଲୋକଙ୍କ କହିବା ଅନୁଯାୟୀ, ଧରଣୀଧର ମଦନାବତୀ ପବ୍ଲିକ ସ୍କୁଲରେ ସଙ୍ଗୀତ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ଘରୋଇ ସ୍କୁଲ ହୋଇଥିବାରୁ ତାଙ୍କୁ ଉପଯୁକ୍ତ ଦରମା ମିଳୁ ନ ଥିଲା। ଅନ୍ୟପକ୍ଷେ ଦରଦାମ ବୃଦ୍ଧି ଓ ଘର ଭଡା, ପିଲାଙ୍କ ପାଠପଢ଼ା ଏବଂ ଛୋଟ ଝିଅ ପାଇଁ ଆବଶ୍ୟକ ଜିନିଷ କିଣିବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡୁଥିଲା। ତେଣୁ ସେ ଅନେକ ସମୟରେ ଚିନ୍ତିତ ରହୁଥିଲେ। ତେବେ ଏହି ଅଘଟଣ ପୂର୍ବରୁ ଧରଣୀଧରଙ୍କ ପରିବାର ଲୋକେ ଠିକ୍‌ ଥିବା ଭଡା ଘର ମାଲିକ ରେଲଓ୍ବେ ପୋଲିସକୁ କହିଛନ୍ତି। ତେବେ କେଉଁ କାରଣରୁ ସେମାନେ ମାନସିକସ୍ତରରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇପାରିନାହିଁ। ଏହା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri