ସରକାରଙ୍କ ନିର୍ଦ୍ଦେଶ ମାନିଲେନି ଶିକ୍ଷକ


ଭୁବନେଶ୍ୱର, ୮।୧୧(ବ୍ୟୁରୋ)- ସରକାରଙ୍କ ଚେତାବନୀକୁ ଖାତିର କଲେନି ଶିକ୍ଷକ। ସରକାରୀ ଭାବେ ଦିଆଯାଇଥିବା ନିର୍ଦ୍ଦେଶ ମାନିଲେନି। କାର୍ଯ୍ୟରେ ଯୋଗ ନ ଦେଇ ରାଜଧାନୀ ଭୁବନେଶ୍ୱରକୁ ଆସି ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ଶିକ୍ଷକ। ଦରମା ବୃଦ୍ଧି ସହିତ ୩ଦଫା ଦାବି ନେଇ ଦୁଇ ଶିକ୍ଷକ ସଂଘ ପକ୍ଷରୁ ବୁଧବାର ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନ୍‌ସନ୍‌ ଯୋଜନାଭୁକ୍ତ) ଓ ଓଡ଼ିଶା ଶିକ୍ଷା ସହାୟକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ମହା ସମାବେଶ। ୧୦ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଏକତ୍ରିତ ହୋଇ ମାଷ୍ଟରକ୍ୟାଣ୍ଟିନଠାରୁ ରାଲିରେ ଆସି ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସନ୍ଧ୍ୟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଦୁଇ ସଂଘର ଶିକ୍ଷକ ନେତାଙ୍କୁ ଡାକିଥିଲେ। ଶିକ୍ଷକଙ୍କ ଏକ ୧୦ଜଣିଆ ଟିମ୍‌ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହାକୁ ଗ୍ରହଣ କରି ନ ଥିଲେ ଶିକ୍ଷକ। ଲିଖିତ ପ୍ରତିଶ୍ରୁତି ନ ମିଳିଲେ ଆନ୍ଦୋଳନରୁ ଓହରିବେ ନାହିଁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଫଳରେ ଆଲୋଚନା ବିଫଳ ହୋଇଥିଲା। ଦାବି ପୂରଣ ହେବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଚାଲିବ ବୋଲି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନ୍‌ସନ୍‌ ଯୋଜନାଭୁକ୍ତ)ର ସଭାପତି ରାଜେଶ ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ, ଶିକ୍ଷକମାନେ ସମୂହ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ପାଇବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଥିଲା। ଆନ୍ଦୋଳନରେ ଅଙ୍କୁଶ ଲଗାଇବା ପାଇଁ ମଙ୍ଗଳବାର ଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ହେଲା। ପ୍ରକୃତ କାରଣ ଜଣାଇ ପ୍ରତି ସ୍କୁଲ୍‌ର ଜଣେ ଶିକ୍ଷକ ଛୁଟିନେଇ ପାରିବେ ବୋଲି ମଙ୍ଗଳବାର ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଥିଲା। ଯେଉଁମାନେ ଏହା ନ ମାନିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ ଚେତାଇ ଦିଆଯାଇଥିଲା। କିନ୍ତୁ ଶିକ୍ଷକମାନେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଖାତିର ନ କରି ଆନ୍ଦୋଳନକୁ ଓହ୍ଲାଇଥିବାରୁ ରାଜ୍ୟ ଶିକ୍ଷା କ୍ଷେତ୍ରରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମନ୍ତ୍ରୀ ପାତ୍ର କହିଛନ୍ତି, ଏକ ସ୍ବତନ୍ତ୍ର କମିଟି ସେମାନଙ୍କ ଦାବି ଅନୁଧ୍ୟାନ କରୁଛି। ତେବେ ଯେଉଁମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ସେମାନେ ଛୁଟି ନେଇଛନ୍ତି କି ନାହିଁ ତାହା ତର୍ଜମା କରାଯିବ। ଯଦି କୌଣସି ଶିକ୍ଷକ ଛୁଟି ନେଇ ନ ଥିବେ ଏବଂ ଏଥିଯୋଗୁ ସ୍କୁଲରେ ପାଠପଢ଼ା ବ୍ୟାହତ ହୋଇଥିବ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ, ଏହି ଦୁଇ ସଂଘରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶିକ୍ଷକ ରହିଛନ୍ତି। ପ୍ରାୟ ୪୦ହଜାର ବିଦ୍ୟାଳୟରେ ଏମାନେ ପାଠ ପଢ଼ାଉଛନ୍ତି। ଏମାନେ ବୁଧବାରଠାରୁ ନ୍ୟାଯ୍ୟ ଦାବି ହାସଲ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବାରୁ ଉକ୍ତ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଯଦି ସରକାର ଶିକ୍ଷା ବ୍ୟବସ୍ଥା ଓ ପାଠପଢ଼ାକୁ ସ୍ବାଭାବିକ ରଖି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି, ତେବେ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri