ପଞ୍ଚାୟତ ହେଡ୍‌କ୍ବାର୍ଟର ଘୋଷଣା ଅନିୟମିତତା ମାମଲା: ବିଧାୟକଙ୍କ ସମେତ ୬ ଜଣଙ୍କୁ ନୋଟିସ


କଟକ ଅଫିସ, ୭।୧୧- କଳାହାଣ୍ଡି ଜିଲା ଗୋଲମୁଣ୍ଡା ବ୍ଲକର ଲେଟେର ପଞ୍ଚାୟତ ହେଡ୍‌କ୍ବାର୍ଟର ଘୋଷଣାକୁ ନେଇ ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟଙ୍କ ପୂର୍ବ ଆଦେଶକୁ ପାଳନ କରାଯାଇ ନାହିଁ। ଏ ସମ୍ପର୍କିତ ଅଭିଯୋଗ ଉପରେ ଆଗତ ମାମଲାରେ ମଙ୍ଗଳବାର ହାଇକୋର୍ଟ ଶୁଣାଣି କରି ଜୁନାଗଡ଼ ବିଧାୟକ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ୬ ଜଣ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ବିଚାରପତି ଚିତ୍ତରଞ୍ଜନ ଦାସ ଏହି ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପଞ୍ଚାୟତ ହେଡ୍‌କ୍ବାର୍ଟର ଘୋଷଣାକୁ ଚ୍ୟାଲେଞ୍ଜ କରି ମକରାଗୁଡ଼ା ଗ୍ରାମର ଲବ୍‌ଜି ପଟେଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀ ପିଟିଶନରେ ଦର୍ଶାଇଥିଲେ ଯେ, ରାଜ୍ୟ ସରକାରଙ୍କ ପଞ୍ଚାୟତ ପୁନର୍ଗଠନ ପ୍ରକ୍ରିୟାରେ ଗୋଲମୁଣ୍ଡା ବ୍ଲକର ମହାଲିଙ୍ଗ ଗ୍ରାମପଞ୍ଚାୟତ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ମହାଲିଙ୍ଗ ପଞ୍ଚାୟତ ୫ଟି ଗ୍ରାମକୁ ନେଇ ଗଠିତ ହୋଇଥିଲା। ସେହିପରି ମକରଗୁଡ଼ା, ବାଘମୁଣ୍ଡା ଓ ଲେଟେର ଗ୍ରାମକୁ ନେଇ ମକରଗୁଡ଼ା ପଞ୍ଚାୟତ ନୂତନ ଭାବେ ଗଠିତ ହୋଇଥିଲା। ଗ୍ରାମପଞ୍ଚାୟତ ଆକ୍ଟ ଓ ସରକାରଙ୍କ ଦ୍ୱାରା ପ୍ରଚଳିତ ଗାଇଡ୍‌ଲାଇନ ଅନୁଯାୟୀ ଜନସଂଖ୍ୟା ଓ ଭୌଗୋଳିକ ପରିସ୍ଥିତିକୁ ପଞ୍ଚାୟତ ହେଡ୍‌କ୍ବାର୍ଟର ଘୋଷଣା ପାଇଁ ମାନଦଣ୍ଡ ରହିଛି। ମକରଗୁଡ଼ା ଗ୍ରାମର ଜନସଂଖ୍ୟା ୧୯୦୬, ବାଘମୁଣ୍ଡାର ୮୬୫ ଓ ଲେଟେର ଗ୍ରାମର ଜନସଂଖ୍ୟା ୧୬୬୬ ରହିଥିଲା। ନିୟମାନୁଯାୟୀ ମକରଗୁଡ଼ା ଗ୍ରାମକୁ ପଞ୍ଚାୟତ ହେଡ୍‌କ୍ବାର୍ଟର ଘୋଷଣା କରାଯିବା କଥା। ବ୍ଲକ ଲେଭେଲ କମିଟି ମକରଗୁଡ଼ାରେ ପଞ୍ଚାୟତ ହେଡ୍‌କ୍ବାର୍ଟର ରହିବା ପାଇଁ ପ୍ରସ୍ତାବ ଦେଇଥିଲା। ମାତ୍ର ରାଜନୈତିକ ଅଭିସନ୍ଧି ରଖାଯାଇ ଓ ଗାଇଡ୍‌ଲାଇନକୁ ଉଲ୍ଲଂଘନ କରାଯାଇ ଲେଟେର ଗ୍ରାମରେ ପଞ୍ଚାୟତ ହେଡ୍‌କ୍ବାର୍ଟର ପାଇଁ ଜିଲାସ୍ତରୀୟ କମିଟି ପ୍ରସ୍ତାବ ଦେଇଥିଲା। ସରକାର ମଧ୍ୟ ଜିଲାସ୍ତରୀୟ କମିଟି ପ୍ରସ୍ତାବକୁ ଗ୍ରହଣ କରି ଲେଟେର ଗ୍ରାମରେ ପଞ୍ଚାୟତ ହେଡ୍‌କ୍ବାର୍ଟର ରହିବା ନିମନ୍ତେ ଘୋଷଣା କରିଥିଲେ। ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ଜନସ୍ବାର୍ଥ ବିରୋଧୀ ବୋଲି ଦର୍ଶାଇ ଆବେଦନକାରୀ ପଟେଲ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ। ଉକ୍ତ ନିଷ୍ପତ୍ତି ପଞ୍ଚାୟତ ଆକ୍ଟ ଓ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡ୍‌ଲାଇନକୁ ଉଲ୍ଲଂଘନ କରୁଥିବା ନେଇ ଆବେଦନକାରୀ ହାଇକୋର୍ଟଙ୍କୁ ଅବଗତ କରିବା ସହିତ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ପ୍ରାର୍ଥନା କରିଥିଲେ। ସୂଚନାନୁଯାୟୀ, ମାମଲାର ବିଚାର କରି ହାଇକୋର୍ଟ ତ୍ରୁଟିପୂର୍ଣ୍ଣ ପଦ୍ଧତିରେ ଏହି ପଞ୍ଚାୟତ ହେଡ୍‌କ୍ବାର୍ଟର ଘୋଷଣା କରାଯାଇଥିବା ଦର୍ଶାଇ ସରକାରଙ୍କ ଏହି ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ। ଏଥିସହ ନିର୍ଦ୍ଦେଶ ଦେଇଥିଲେ, ଜିଲାସ୍ତରୀୟ କମିଟି ନିକଟରେ ଆବେଦନକାରୀ ଲବ୍‌ଜି ପଟେଲ ଦୁଇ ମାସ ମଧ୍ୟରେ ସାନି ଆବେଦନ କରିବେ। ସମସ୍ତ ପ୍ରକ୍ରିୟା ୩ ମାସ ମଧ୍ୟରେ ଶେଷ କରି ଜିଲାସ୍ତରୀୟ କମିଟି ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ସାନି ପ୍ରସ୍ତାବ ପ୍ରଦାନ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଦେଇଥିଲେ। ମାତ୍ର ରାଜନୈତିକ ଉଦ୍ଦେଶ୍ୟ ରଖି ଲେଟେର ଗ୍ରାମରେ ପଞ୍ଚାୟତ ହେଡକ୍ବାର୍ଟର ରହିବା ନିଷ୍ପତ୍ତି ବଳବତ୍ତର ରଖାଯାଇଛି। ଏହାକୁ ବିରୋଧ କରି ଆବେଦନକାରୀ ପଟେଲ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ସୁକାନ୍ତ ଦଳେଇ ଏହି ମକଦ୍ଦମା ପରିଚାଳନା କରୁଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri