ଜିଲାପାଳ ବୈଠକରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ: ୨୪ ଘଣ୍ଟାରେ ମଣ୍ଡିରୁ ମିଲର ଉଠାଇବେ ଧାନ


କଟକ ଅଫିସ, ୭।୧୧- ଧାନ ସଂଗ୍ରହ ବ୍ୟବସ୍ଥାରେ ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ପଞ୍ଜୀକୃତ ଚାଷୀମାନେ ମଣ୍ଡିରେ ଧାନ ପହଞ୍ଚାଇବା ପରେ ମଣ୍ଡିରୁ ୨୪ ଘଣ୍ଟା ମଧ୍ୟରେ ମିଲରମାନେ ଧାନ ଉଠାଇବେ। ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେହିପରି ଧାନ ଉଠାଇବାର ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ୍‌ ଜମାଖାତାରେ ଟଙ୍କା ପହଞ୍ଚତ୍ବ। ଯେଉଁମାନଙ୍କର ଆକାଉଣ୍ଟ ସମବାୟ ବ୍ୟାଙ୍କରେ ଥିବ, ସେମାନେ ଏହି ସୁବିଧା ଶୀଘ୍ର ପାଇବେ। ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଚାଷୀଙ୍କ ଆକାଉଣ୍ଟ ଥିଲେ ୩ ଦିନ ମଧ୍ୟରେ ସେମାନେ ତାଙ୍କର ଅର୍ଥ ପାଇପାରିବେ। ଚାଷୀମାନେ ଯେପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବିନା ଅସୁବିଧାରେ ଶୀଘ୍ର ପାଇପାରିବେ, ସେଥିପାଇଁ ଜିଲାପାଳମାନେ ଧାନ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ମନ୍ତ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଆଦି ୧୦ଟି ଜିଲାର ଜିଲାପାଳଙ୍କ ସମ୍ମିଳନୀ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ସଭା ଗୃହରେ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ମନ୍ତ୍ରୀ ପାତ୍ର କହିଲେ, ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୧ରୁ ୨୦୧୮ ଏପ୍ରିଲ ୩୦ ପର୍ଯ୍ୟନ୍ତ ଏବଂ ରବି ଋତୁ ପାଇଁ ୨୦୧୮ ମେ ୧ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଧାନ ସଂଗ୍ରହ କାର୍ଯ୍ୟ ଚାଲୁ ରହିବ। କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ଉପକୂଳ ଜିଲାଗୁଡିକରୁ ରାଜ୍ୟରେ ମୋଟ ଧାନ ସଂଗ୍ରହର ଏକ ଚତୁର୍ଥାଂଶ ହୋଇଥାଏ। ଚଳିତ ଖରିଫ ଋତୁରେ ୫୩ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲେ ମଧ୍ୟ ଅଧିକ ହେଲେ ସରକାରଙ୍କର କୌଣସି ବାଧକ ରହିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ। ସରକାର ଚଳିତବର୍ଷ ଜଳସେଚିତ ଜମିରେ ଏକର ପ୍ରତି ୧୯ କୁଇଣ୍ଟାଲ ଏବଂ ଅଣ ଜଳସେଚିତ ଜମିରେ ୧୨ କୁଇଣ୍ଟାଲ ଧାନ କ୍ରୟ ପାଇଁ ନିଷ୍ପତ୍ତି ନେଇଛନ୍ତି। ଚାଷୀମାନେ ମୁଣ୍ଡପିଛା ୩ କୁଇଣ୍ଟାଲ ନିଜ ଘର ପାଇଁ ରଖି ବଳକା ଧାନ ବିକ୍ରୟ କରିପାରିବେ। ଅଦ୍ୟାବଧି କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ଜିଲାଗୁଡିକରେ ପ୍ରାୟ ୨୦ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏହି ସଂଖ୍ୟା ବଢ଼ାଇବାକୁ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ମନ୍ତ୍ରୀ ଜିଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ଚାଷୀ ପଞ୍ଜୀକରଣର କୌଣସି ସମୟ ସୀମା ନାହିଁ । ଆଧାର କାର୍ଡ ନ ଥିଲେ ମଧ୍ୟ ଅନ୍ୟ ପ୍ରମାଣପତ୍ର ଯଥା କିଶାନ କ୍ରେଡିଟ୍‌ କାର୍ଡ, ବିଜୁ କୃଷକ କଲ୍ୟାଣ ଯୋଜନା ଓ ଭୋଟର ଫଟୋ ପରିଚୟପତ୍ର ଦ୍ୱାରା ନାମ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ବେଳେ ଚାଷୀଙ୍କ ଭୂଲେଖରେ ଉଲ୍ଲେଖ ଥିବା ପ୍ରକୃତ ଜମିର ପରିମାଣ ଅନୁଯାୟୀ ବିକ୍ରି କରିବାକୁ ଚାହୁଁଥିବା ଧାନର ପରିମାଣ ଉଲ୍ଲେଖ କରାଯିବା ଆବଶ୍ୟକ। କୃଷି ସମବାୟ ସମିତି ବ୍ୟତୀତ ମାର୍କଫେଡ୍‌, ଟିଡିସିସି ଜରିଆରେ ମଧ୍ୟ ଧାନ ସଂଗ୍ରହ କରାଯିବ। ନିର୍ଦ୍ଧାରିତ ତାରିଖ ଅନୁସାରେ ମଣ୍ଡି ଖୋଲାଯାଇ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ମାଧ୍ୟମରେ ପ୍ରଚାର କରାଯାଇ ଚାଷୀମାନଙ୍କୁ ସଚେତନ କରାଯିବ। ଜିଲାପାଳମାନେ ଜିଲାରେ ସମବାୟ ବିଭାଗର ଅତିରିକ୍ତ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କର ବିନାନୁମତିରେ ସମବାୟ ବିଭାଗର ଅଧିକାରୀମାନେ ଧାନ ସଂଗ୍ରହ ସମୟରେ ହେଡ୍‌ କ୍ବାର୍ଟର୍ସ ଛାଡିପାରିବେ ନାହିଁ। ନିର୍ଦ୍ଧାରିତଠାରୁ କମ୍‌ ଦରରେ ଧାନ କ୍ରୟ କଲେ ଅତ୍ୟାବଶ୍ୟକ ସେବା ଆଇନ୍‌-୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ ସଚିବ ବୀର ବିକ୍ରମ ଯାଦବ ଯୋଗଦେଇ ପ୍ରାଥମିକ କୃଷି ସମବାୟ ସମିତିମାନେ ଦୈନନ୍ଦିନ ଧାନ କ୍ରୟ ସ୍ଥିତି ସମ୍ପର୍କରେ ସନ୍ଧ୍ୟା ସୁଦ୍ଧା ଅନ୍‌ଲାଇନ୍‌ରେ ଡାଟା ଅପ୍‌ଲୋଡ୍‌ କରିବେ। ଯେଉଁ ମିଲରମାନେ ଆସନ୍ତା ୧୫ ତାରିଖ ସୁଦ୍ଧା ପୂର୍ବର ଧାନ ବାବଦ ଚାଉଳ ସରକାରଙ୍କୁ ନ ଦେବେ, ସେମାନେ ଚଳିତ ଖରିଫ୍‌ ଧାନ ସଂଗ୍ରହରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ସଚିବ ମିଲରମାନଙ୍କୁ ଚେତାଇ ଦେଇଛନ୍ତି । ସମବାୟ ବିଭାଗ ଶାସନ ସଚିବ ରଞ୍ଜନା ଚୋପ୍ରା କହିଲେ, ରାଜ୍ୟରେ ୧୭ ଲକ୍ଷ ରୁପେ କିଶାନ କ୍ରେଟିଡ୍‌ କାର୍ଡ ପ୍ରସ୍ତୁତ ହୋଇସାରିଛି ଓ ଖୁବ୍‌ଶୀଘ୍ର ଚାଷୀମାନଙ୍କୁ ଏହା ବଣ୍ଟନ କରାଯିବ। ଏହା ଦ୍ୱାରା ଚାଷୀମାନେ ଏହାକୁ ଏଟିଏମ୍‌ ପରି ବ୍ୟବହାର କରି ଯେକାୈଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଟଙ୍କା ଉଠାଣ କରିପାରିବେ। ଯେଉଁ ଚାଷୀମାନେ ସମବାୟ ବ୍ୟାଙ୍କରୁ ଋଣ ନେଇଛନ୍ତି, ସେମାନଙ୍କଠାରୁ ଧାନ ବିକ୍ରି ଅର୍ଥ ଋଣ ବଦଳରେ ଭରଣା କରାଯିବ ନାହିଁ। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡି.ଭି. ସ୍ବାମୀ ଯୋଗଦେଇ ଜିଲାପାଳମାନେ ଚାଷୀଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ସ୍ବଚ୍ଛତା ଅବଲମ୍ବନ ପୂର୍ବକ ଧାନ ସଂଗ୍ରହ ପ୍ରକ୍ରିିୟାକୁ ତଦାରଖ କରିବାକୁ କହିଥିଲେ । ଓଡିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ନାୟକ, ୨୦୧୭-୧୮ ଖରିଫ ଧାନ ସଂଗ୍ରହ ନୀତି ସମ୍ପର୍କରେ ଏଲ୍‌ସିଡି ପ୍ରୋଜେକ୍ଟର ମାଧ୍ୟମରେ ବୁଝାଇଥିଲେ। ବୈଠକରେ କଟକ ଜିଲାପାଳ ସୁଶାନ୍ତ ମହାପାତ୍ରଙ୍କ ସମେତ କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ଅନ୍ୟ ଜିଲାର ଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ସମବାୟ ବିଭାଗ ପଦାଧିକାରୀମାନେ ଯୋଗଦେଇଥିଲେ ା କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅତିରିକ୍ତ ସଚିବ ସଞ୍ଜିତା ଦାସ ଧନ୍ୟବାଦ ଦେଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri