କୁନ୍ଦୁଲି ଗଣବଳାତ୍କାର ଘଟଣାର ଭିନ୍ନମୋଡ଼: ସନ୍ଦେହ ଘେରରେ ତଦନ୍ତ


କଟକ ଅଫିସ, ୭।୧୧: କୋରାପୁଟ ଜିଲା କୁନ୍ଦୁଲି ଗଣବଳାତ୍କାର ଘଟଣା ମଙ୍ଗଳବାର ଭିନ୍ନ ମୋଡ଼ ନେଇଛି। ପୀଡ଼ିତାଙ୍କୁ ଗଣବଳାତ୍କାର କରାଯାଇ ନାହିଁ। ଏପରିକି ସେ କୌଣସି ବଳାତ୍କାରର ଶିକାର ହୋଇନାହାନ୍ତି ବୋଲି ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍‌(ଏଚ୍‌ଆର୍‌ପିସି)ର ଏଡିଜି ମହେନ୍ଦ୍ର ପ୍ରତାପ ସୂଚନା ଦେଇଛନ୍ତି। କୁନ୍ଦୁଲି ଡାକ୍ତରଖାନା, ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ବିଶେଷଜ୍ଞଙ୍କ ଡାକ୍ତରୀମାଇନା ରିପୋର୍ଟ ଆଧାରରେ ହୋଇଥିବା ତଦନ୍ତ ବେଳେ ଏହା ଜଣାପଡ଼ିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଏଚ୍‌ଆର୍‌ପିସିର ଏକ ଟିମ୍‌ ଘଟଣାର ତଦନ୍ତ କରିଥିଲା। ଟିମ୍‌ରେ ଯାଇଥିବା ଅଧିକାରୀମାନେ ଉକ୍ତ ମେଡିକାଲ ରିପୋର୍ଟକୁ ସଂଗ୍ରହ କରିଥିଲେ। ପୂରା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ଓଡ଼ିଶା ମାନବାଧିକାର କମିଶନ ଓ ଡିଜିପିଙ୍କୁ ଏ ସଂକ୍ରାନ୍ତରେ ମଧ୍ୟ ଏକ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ଏଡିଜି ପ୍ରତାପ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏଚ୍‌ଆର୍‌ପିସି ଏଡିଜିଙ୍କ ରିପୋର୍ଟ ହସ୍ତଗତ ହୋଇଛି ଓ ଏହି ଘଟଣାରେ କୌଣସି ଯବାନଙ୍କର ସମ୍ପୃକ୍ତି ନାହିଁ ବୋଲି ଡିଜିପି ଆର୍‌.ପି. ଶର୍ମା ସ୍ପଷ୍ଟ କରିବା ସହିତ ଏହା ଉପରେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି। ତେବେ ଗଣବଳାତ୍କାର ହୋଇ ନ ଥିବା ନେଇ ଏଚ୍‌ଆର୍‌ପିସି ଏଡିଜିଙ୍କ ରିପୋର୍ଟ ସଂକ୍ରାନ୍ତରେ କୌଣସି ଉତ୍ତର ରଖି ନ ଥିଲେ। ଗୋଟିଏ ପକ୍ଷରେ ଡିଜିପି ତଦନ୍ତ ଜାରି ରହିଥିବା କହୁଥିବାବେଳେ ଏଚ୍‌ଆର୍‌ପିସି ଏଡିଜିଙ୍କ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ସ୍ପର୍ଶକାତର ଘଟଣାକୁ ଭିନ୍ନ ରୂପ ଦେବାକୁ ଚକ୍ରାନ୍ତ ଚାଲିଥିବା ଓ ତଦନ୍ତ ଧାରାକୁ ନେଇ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି। ଅକ୍ଟୋବର ୧୦ରେ ଘଟିଥିବା ଏହି ସମ୍ବେଦନଶୀଳ ଘଟଣାକୁ ରେଡ୍‌ଫ୍ଲାଗ୍‌ ମାମଲା ଭାବେ ପୋଲିସ ଗ୍ରହଣ କରିଥିଲା। ଏଥିସହ କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଜାରି ରଖିଥିଲାବେଳେ ଘଟଣାର ୨୭ ଦିନ ପରେ ଏଚ୍‌ଆର୍‌ପିସିର ଏଡିଜି ପ୍ରତାପ ଗଣମାଧ୍ୟମକୁ ଦେଇଥିବା ବୟାନ ସନ୍ଦେହ ସୃଷ୍ଟି କରୁଛି। ଡାକ୍ତରଙ୍କ ରିପୋର୍ଟକୁ ଭିତ୍ତିକରି ସେ ଏହି ମନ୍ତବ୍ୟ ଦେଉଥିବାବେଳେ ଉକ୍ତ ଘଟଣାରେ ଅନ୍ୟାନ୍ୟ ପ୍ରସଙ୍ଗରେ କୌଣସି ଉତ୍ତର ରଖିବାକୁ ସିଧା ମନା କରିଦେଇଥିଲେ। ଏ ସଂକ୍ରାନ୍ତରେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ନମିତା ପଣ୍ଡା କୁହନ୍ତି, ଏହା ଏକ ସନ୍ଦେହଜନକ କଥା। ବଳାତ୍କାର ଶିକାର ହୋଇଥିବା ନେଇ ନିଜେ ପୀଡ଼ିତା କହୁଛନ୍ତି। ତେବେ ଡାକ୍ତରୀ ମାଇନା ରିପୋର୍ଟ ଓ ପୀଡିତାଙ୍କ ଅଭିଯୋଗ ମଧ୍ୟରେ ରହିଥିବା ସତ୍ୟତା ସ୍ପଷ୍ଟହେବା ଆବଶ୍ୟକ। ଏଣୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ। ସ୍ବତନ୍ତ୍ର ବିଶେଷଜ୍ଞମାନଙ୍କୁ ନେଇ କମିଟି ଗଠନ କରାଯାଇ ଉକ୍ତ ଡାକ୍ତରୀ ରିପୋର୍ଟର ଅନୁଧ୍ୟାନ କରାଯାଉ ବୋଲି ପଣ୍ଡା କହିଛନ୍ତି। ସାମାଜିକ କର୍ମୀ ଡଲି ଦାସ କୁହନ୍ତି, ପୀଡ଼ିତାଙ୍କୁ ସେ ନିଜେ ଭେଟିଥିଲେ। ସେ ବଳାତ୍କାର ଶିକାର ହୋଇଥିବା ତାଙ୍କୁ କହିଥିଲେ। ଡାକ୍ତରୀ ରିପୋର୍ଟ ଆଦୌ ଠିକ୍‌ ନୁହେଁ। ଯଦି ପୀଡ଼ିତାଙ୍କୁ ବଳାତ୍କାର କରାଯାଇନାହିଁ ତେବେ ତାଙ୍କୁ କାହିଁକି ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଗଲା। ପୀଡିତାଙ୍କର ବହୁତ କ୍ଷତି ହୋଇଛି। ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିନାହିଁ। ଘଟଣାକୁ ଚପାଇଦେବା ପାଇଁ ଏଭଳି ତଥ୍ୟ ପ୍ରଦାନ କରାଯାଉଛି। ଏହା ଉପରେ ସାନି ତଦନ୍ତ ହେବା ଜରୁରୀ। ହାଇକୋର୍ଟ ବାର୍‌ ଆସୋସିଏଶନର ପୂର୍ବତନ ସମ୍ପାଦକ ତଥା ଆଡଭୋକେଟ ବିଜୟ କୁମାର ରଗଡ଼ କୁହନ୍ତି, ପୋଲିସ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଏଭଳି ତଥ୍ୟ ଦେବା ଯୁକ୍ତିଯୁକ୍ତ ନୁହେଁ। ଡାକ୍ତରୀମାଇନା ରିପୋର୍ଟ ଅନେକ ଘଟଣାରେ ଭୁଲ ତଥ୍ୟ ଥିବା ପ୍ରମାଣିତ ହୋଇଛି। ତେବେ ପୀଡ଼ିତାଙ୍କ ସିଆର୍‌ପିସିର ଧାରା ୧୬୧ ଓ ୧୬୪ରେ ବୟାନ ରେକର୍ଡ କରାଯିବା ବେଳେ ଯଦି ସେ ବଳାତ୍କାର ଶିକାର ହୋଇଥିବା କଥା ଉଲ୍ଲେଖ କରିଥାନ୍ତି ତାହା ଉପରେ ମଧ୍ୟ ଦଣ୍ଡବିଧାନ ହୋଇପାରିବ, ଯାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଡାକ୍ତରୀମାଇନା ରିପୋର୍ଟ ଥରେ ନୁହେଁ, ଦୁଇଥର କରାଯିବା ଆବଶ୍ୟକ। ପୂର୍ବତନ ଡିଜି ଏସ୍‌.ଏନ୍‌. ତିୱାରୀ କୁହନ୍ତି, ମେଡିକାଲ ରିପୋର୍ଟର କୌଣସି ମୂଲ୍ୟ ନ ଥାଏ। ପୀଡ଼ିତାଙ୍କ ବୟାନ ଆଧାରରେ ଦଣ୍ଡବିଧାନ ହୋଇପାରିବ। ଏଫ୍‌ଏସ୍‌ଏଲ୍‌ର ରିପୋର୍ଟକୁ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ଗୁରୁତ୍ୱ ଦିଆଯାଏ। ବଳାତ୍କାର ଭଳି ଘଟଣାରେ ପୋଲିସ ଉପଯୁକ୍ତ ପ୍ରମାଣଯୋଗ୍ୟ ତଥ୍ୟ ରଖିବା ଜରୁରୀ ବୋଲି ତିଓ୍ବାରୀ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri