ଖୁଚୁରାକୁ ନେଇ ଚାଲିଛି ହୋ ହଲ୍ଲା


ପୁରୀ ଅଫିସ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ରାତିରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଦେଲେ। ଏହାପରେ ବଜାରରେ ମାନ୍ଦାବସ୍ଥା ଦେଖାଦେଲା। ଏହି ନୋଟ ଅଚଳ ଗୋଳ ମଧ୍ୟରେ ୧୦ ଟଙ୍କିଆ ମୁଦ୍ରା ଆଉ ଚଳୁନାହିଁ ବୋଲି ଏକ ଗୁଜବ ଉଠିଲା। ଗ୍ରାହକଙ୍କଠାରୁ ଦୋକାନୀମାନେ ଏହାକୁ ଗ୍ରହଣ କଲେନାହିଁ। ପୂର୍ବରୁ ଏହି ମୁଦ୍ରା ସାଇତି ରଖିଥିବା ଲୋକେ ଅଧିକ ଦୁର୍ଦ୍ଦଶା ଭୋଗିଲେ। ୧୦ ଟଙ୍କିଆ ପରେ ପରେ ୫ ଟଙ୍କିଆ, ୨ଟଙ୍କିଆ, ଟଙ୍କିକିଆ ମୁଦ୍ରା ମଧ୍ୟ ଏହି ତାଲିକାକୁ ପଳାଇ ଆସିଲା। ଖୁଚୁରା ପଇସା ନେଣଦେଣକୁ ନେଇ ଅନେକ ଜାଗାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା। ପରବର୍ତ୍ତୀ ସମୟରେ ଏହା ଏକ ଗୁଜବ ବୋଲି ଜଣାପଡିଲା। ହେଲେ ଏହି ଗୁଜବ ଏ ପର୍ଯ୍ୟନ୍ତ ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ହଟିନାହିଁ। ଏବେ ବି ଖୁଚୁରା ପଇସାକୁ ନେଇ ହୋ ହଲ୍ଲା ଚାଲିଛି। କେତେକ ବ୍ୟାଙ୍କ ଖୁଚୁରା ପଇସା ଗ୍ରହଣ ଦିଗରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରୁ ନ ଥିବାରୁ ଏହାର ସିଧାସଳଖ ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ପଡୁଛି। ଦୋକାନୀଙ୍କୁ ଖୁଚୁରା ପଇସା ଦେଲେ ସେମାନେ ବ୍ୟାଙ୍କ ଆଳ ଦେଖାଇ ନେଉନାହାନ୍ତି। ଇତିମଧ୍ୟରେ ବିମୁଦ୍ରୀକରଣକୁ ବର୍ଷେ ପୂରିଛି। ବିମୁଦ୍ରୀକରଣ ପରେ ସୃଷ୍ଟି ହୋଇଥିବା ଖୁଚୁରା ଅଚଳ ଗୁଜବ ଏବେ ଅଧିକ ଜଟିଳ ରୂପ ଧାରଣ କରିଛି। ଏବେ ଖୁଚୁରା ପଇସା ସତେଯେମିତି ଅଲୋଡା ହୋଇପଡିଛି। ହାତରେ ଖୁଚୁରା ପଇସା ଦେଖିଲେ ଦୋକାନୀ ସାମଗ୍ରୀ ନାହିଁ ବୋଲି କହୁଛନ୍ତି। ଆଉ କେତେଜଣ ବ୍ୟବସାୟୀ ଗ୍ରାହକଙ୍କୁ ଟଙ୍କା ଫେରାଇବା ବେଳେ ଖୁଚୁରା ପଇସା ଦେଉଛନ୍ତି। ଏହାକୁ ନେଇ ଗ୍ରାହକ-ଦୋକାନୀଙ୍କ ମଧ୍ୟରେ ବାକ୍‌ବିତଣ୍ଡା ହେଉଛି। ବିମୁଦ୍ରୀକରଣ ଠିକ୍‌ ପୂର୍ବରୁ ଖୁଚୁରା ସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଥିଲା। ରାସ୍ତାପାର୍ଶ୍ୱ ଚା ଦୋକାନୀ ହୁଅନ୍ତୁ ଅବା ଉଠା ବ୍ୟବସାୟୀ ବୋର୍ଡ ଲଗାଇ ଖୁଚୁରା ଦେବାକୁ ଗ୍ରାହକଙ୍କୁ ଅନୁରୋଧ କରୁଥିଲେ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମାଗେନ୍ତାମାନଙ୍କୁ ଦେବା ଲାଗି ଖୁଚୁରା ପଇସା ଖୋଜୁଥିଲେ। ଏଥିପାଇଁ ବଡ଼ଦାଣ୍ଡର ଠାଏ ଠାଏ ଲୋକ ବସି ଖୁଚୁରା ପଇସା ବ୍ୟବସାୟ କରୁଥିଲେ। ଅର୍ଥାତ୍‌ ସେମାନଙ୍କୁ ୧୦ ଟଙ୍କା ନୋଟ ଖଣ୍ଡିଏ ବଢାଇଦେଲେ ସେମାନେ ୮ ଟଙ୍କା ଦେଉଥିଲେ। ହେଲେ ଏବେ ଆଉ ପୂର୍ବପରି ଖୁଚୁରାର ଚାହିଦା ନାହିଁ। ଖୁଚୁରା ନେବାକୁ ସମସ୍ତେ ଅମଙ୍ଗ ହେଉଛନ୍ତି। ଏ ସମ୍ପର୍କରେ ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ ଦାଶ କୁହନ୍ତି, ପୁରୀରେ ଖୁଚୁରା ପଇସାକୁ ନେଇ ବଡ଼ ସମସ୍ୟା ସୃଷ୍ଟି ହୋଇଛି। କେତେକ ବ୍ୟାଙ୍କ କର୍ତ୍ତୃପକ୍ଷ କହୁଛନ୍ତି, ଆମ ପାଖରେ ପର୍ଯ୍ୟାପ୍ତ ଖୁଚୁରା ପଇସା ମହଜୁଦ୍‌ ଅଛି। ଖୁଚୁରା ଗଣିବାକୁ ମେଶିନ ନାହିଁ କି ଆମ ପାଖରେ ଏତେ ମାନବ ସମ୍ବଳ ନାହାନ୍ତି। ତେଣୁ ବ୍ୟାଙ୍କର ଏହି ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚତ୍ବା ପରେ ବ୍ୟବସାୟୀମାନେ ବି ଖୁଚୁରା ନେବାକୁ ରାଜି ହେଉନାହାନ୍ତି। ଚା ଦୋକାନୀ ସୁରେଶ ସାହୁ କୁହନ୍ତି, ଆମେ ଆଗରୁ ଖୁଚୁରା ପଇସା ଦେବା ପାଇଁ ଗ୍ରାହକଙ୍କୁ କହୁଥିଲୁ। ଏଥିପାଇଁ ଦୟାକରି ଖୁଚୁରା ଦିଅନ୍ତୁ ବୋଲି କାଗଜରେ ଲେଖି ମାରିଥିଲୁ। କିନ୍ତୁ ପ୍ରାୟ ବର୍ଷେ ହେବ ଖୁଚୁରା ପଇସା ଆଉ କେହି ନେଉନାହାନ୍ତି ବୋଲି ଦୋକାନ, ବଜାରରେ ଆଲୋଚନା ହେଲା। ହେଲେ ଆଗଭଳି କୌଣସି ଗ୍ରାହକଙ୍କୁ ଖୁଚୁରା ପଇସା ଦେଲେ ବି ସେ ନେବାକୁ ରାଜି ହେଉନାହାନ୍ତି। ଏମିତି ବି କେତେଜଣଙ୍କ ସାଙ୍ଗରେ ଯୁକ୍ତିତର୍କ ହେଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri