ଚିଲିକାରେ ହେବ ବାର୍ଡ ଫେଷ୍ଟିଭାଲ


ଭୁବନେଶ୍ୱର, ୭।୧୧(ବ୍ୟୁରୋ)- ବିଦେଶୀ ପକ୍ଷୀଙ୍କ ଭୂସ୍ବର୍ଗ କୁହାଯାଉଥିବା ଚିଲିକାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେବାକୁ ଆଉଏକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁୟାରୀରେ ଏଠାରେ ଏକ ଜାତୀୟ ସ୍ତରୀୟ ବାର୍ଡ ଫେଷ୍ଟିଭାଲ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ସହଯୋଗରେ ଏହି ବାର୍ଡ ଫେଷ୍ଟିଭାଲ ଆୟୋଜନ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଆସନ୍ତା ବର୍ଷେ କିମ୍ବା ଦୁଇବର୍ଷ ମଧ୍ୟରେ ଚିଲିକା ବିଶ୍ୱ ଐତିହ୍ୟସ୍ଥଳୀର ମାନ୍ୟତା ପାଇବାକୁ ଥିବାରୁ ଏଠାରେ ପର୍ଯ୍ୟଟନକୁ ବ୍ୟାପକ କରିବାକୁ ଅଣ୍ଟାଭିଡିଛନ୍ତି ସରକାର। ଚିଲିକାର ଜୈବ ବିବିଧତା ଏହାର ପ୍ରମୁଖ ଆକର୍ଷଣ ହୋଇଥିବାବେଳେ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଏହି ହ୍ରଦ ବହୁଳ ଲୋକପ୍ରିୟତା ହାସଲ କରିଛି। ଶୀତଦିନେ ୬୦ରୁ ଊଦ୍ଧର୍‌ବ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଘର ପାଲଟୁଥିବା ଚିଲିକା ବିରଳ ଇରାୱାଡି ଡଲଫିନ୍‌ଙ୍କୁ ମଧ୍ୟ ସାଇତି ରଖିଛି। ମୋଟ ୧୩୨ ଗାଁର ୧୫୦,୦୦୦ରୁ ଊଦ୍ଧର୍‌ବ ମତ୍ସ୍ୟଜୀବୀ ଏହି ହ୍ରଦ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି। ୩୭ ପ୍ରଜାତିର ସରୀସୃପ ଏବଂ ଉଭୟଚର ପ୍ରାଣୀଙ୍କ ଘର ଚିଲିକା ଦୀର୍ଘ ୧୧୬୫ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ହୋଇରହିଛି, ଯେଉଁଥିପାଇଁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ଏହା ସଫଳ ହୋଇଛି। ଏହାକୁ ଆଉପାଦେ ଆଗକୁ ନେବାକୁ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ୨୦୧୮ ଜାନୁୟାରୀରେ ଚିଲିକାରେ ଜାତୀୟ ପକ୍ଷୀ ମହୋତ୍ସବ ଆୟୋଜନ କରାଯିବ। ଏଥିପାଇଁ ନଳବଣ ଏବଂ ମଙ୍ଗଳାଯୋଡିରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଦେଶ ଓ ବିଦେଶରୁ ପକ୍ଷୀ ଓ ଜୀବଜନ୍ତୁ ଗବେଷକଙ୍କୁ ନିମନ୍ତ୍ରଣ କରାଯିବ। ସେମାନଙ୍କୁ ନେଇ ସ୍ବତନ୍ତ୍ର କର୍ମଶାଳା ଆୟୋଜିତ ହେବ। ଚିଲିକା ଜୈବ ବିବିଧତାର ସଂରକ୍ଷଣ କରିବା ଲାଗି ଏଥିରେ ଗୁରୁତ୍ୱ ଦିଆଯିବ। ଏହାସହ ଫଟୋଗ୍ରାଫି ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଏନେଇ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ଚିଲିକାକୁ ଏବେ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ସମାଗମ ହେଉଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ବିଭାଗର ମିଳିତ ପ୍ରୟାସରେ ଜାତୀୟ ପକ୍ଷୀ ମହୋତ୍ସବ ଆୟୋଜନ କରାଯିବ, ଯାହାକି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଏହି ମହୋତ୍ସବ ଦ୍ୱାରା ଦେଶ ବିଦେଶର ପର୍ଯ୍ୟଟକମାନେ ଚିଲିକା ସମ୍ପର୍କରେ ଜାଣିପାରିବେ। ଚିଲିକାରେ ମଙ୍ଗଳାଯୋଡି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏଠାରେ ବାର୍ଡ ଓ୍ବାଚିଂର ସୁବିଧା ରହିଛି। ତେଣୁ ମହୋତ୍ସବରେ ମଙ୍ଗଳାଯୋଡିକୁ ଅଧିକ ଗୁରୁତ୍ୱ ଦିଆଯିବ ଓ ଏହାର ବିକାଶ କରାଯିବ। ସୂଚନାଯୋଗ୍ୟ, ୨୦୧୦-୧୧ରେ ଏଠାକୁ ୧୦୩ ପ୍ରଜାତିର ୭ଲକ୍ଷ ୯୨ ହଜାର ପକ୍ଷୀ ଆସିଥିଲେ। ୨୦୧୧-୧୨ରେ ୧୦୬ ପ୍ରଜାତିର ୮ ଲକ୍ଷ ୬୮ ହଜାର, ୨୦୧୨-୧୩ରେ ୧୧୨ ପ୍ରଜାତିର ୮ଲକ୍ଷ ୬୨ ହଜାର, ୨୦୧୩-୧୪ରେ ୯୯ ପ୍ରଜାତିର ୭ଲକ୍ଷ ୭ହଜାର, ୨୦୧୪-୧୫ରେ ୧୦୨ ପ୍ରଜାତିର ୭ଲକ୍ଷ ୪୬ ହଜାର, ୨୦୧୫-୧୬ରେ ୯୪ ପ୍ରଜାତିର ୮ଲକ୍ଷ ୩୯ ହଜାର, ୨୦୧୬-୧୭ରେ ୧୦୦ ପ୍ରଜାତିର ୯ଲକ୍ଷ ୨୪ ହଜାର ପକ୍ଷୀ ଆସିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri