ଶ୍ରମିକଙ୍କୁ ଠକୁଛି ଠିକାସଂସ୍ଥା


ଯାଜପୁର ଅଫିସ(ହର୍ଷବର୍ଦ୍ଧନ ବେହେରା),୬ା୧୧ ରାଜ୍ୟ ମଜୁରି ନିର୍ଦ୍ଧାରଣ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ବର୍ଷକୁ ବର୍ଷ ହେଉଥିବା ଶ୍ରମିକଙ୍କ ବର୍ଦ୍ଧିତ ମଜୁରୀର ଅତିରିକ୍ତ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଳିମିଶି ହଡ଼ପ କରିବାକୁ ମସୁଧା ଚଳାଇଛନ୍ତି। ନାବାର୍ଡ ଅନୁଦାନରେ ଯାଜପୁର ଜିଲା ଜେନାପୁର ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧୀନ ହାଇଲେଭଲ ବ୍ରିଜ କାର୍ଯ୍ୟରେ ଏଭଳି ବ୍ୟାପକ ଅନିୟମିତତା ଧରାପଡିଛି। ସ୍ଥାନୀୟ ଶ୍ରମିକଙ୍କ ନାମରେ ମିଥ୍ୟା ବିଲ୍‌ ଭାଉଚର ତିଆରି କରି ୧କୋଟି ୫ଲକ୍ଷ ୪ହଜାର ୩୫୧ଟଙ୍କା ଚଳୁ କରିବାକୁ ଉଦ୍ୟମ କରାଯାଇଛି। ଏହି କ୍ରମରେ ପାଣିକୋଇଲି ନିବାହୀଯନ୍ତ୍ରୀଙ୍କ ସୁପାରିଶକ୍ରମେ ପୂର୍ତ୍ତ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୪,୦୬୯/୨ା୧୧ା୨୦୧୭ରେ ୱାର୍ଲ୍‌ଡ ବ୍ୟାଙ୍କ ପ୍ରକଳ୍ପର ଚିଫ୍‌ ଇଞ୍ଜିନିୟରଙ୍କୁ ୨୦୧୧ ରୁ ୨୦୧୪ ପର୍ଯ୍ୟନ୍ତ ଶ୍ରମିକଙ୍କ ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ସବିଶେଷ ବିଲ୍‌ ଓ କାଗଜପତ୍ର ଦାଖଲ ହୋଇଛି । ତେବେ ବାସ୍ତବରେ ଏଆର୍‌ଏସ୍‌ଏସ୍‌ ଦ୍ୱାରା ନିର୍ମାଣାଧୀନ ଏହି ବ୍ରିଜ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ବର୍ଦ୍ଧିତ ହାରରେ ମଜୁରୀ ପାଇନାହାନ୍ତି। ଏହି ପୋଲ ନିର୍ମାଣ କାର୍ଯ୍ୟରେ ୨୦୧୧ରୁ ଏଯାବତ୍‌ ମାତ୍ର ୫ଜଣ ସ୍ଥାନୀୟ ଶ୍ରମିକ ନିୟୋଜିତ ହୋଇଛନ୍ତି। ବିହାର ଓ କଲିକତାର ଏକ ଠିକା ସଂସ୍ଥା ଜରିଆରେ ୬୦ ରୁ ୭୦ଜଣ ଶ୍ରମିକ କାମ କରୁଛନ୍ତି। ବାହାର ଶ୍ରମିକ ନିୟୋଜିତ ଥିବାରୁ ସେମାନଙ୍କ ନାମରେ ମିଥ୍ୟା ବିଲ୍‌ କରାଯାଇଥିବା ଉକ୍ତ ଠିକାସଂସ୍ଥାରେ କାର୍ଯ୍ୟ କରୁଥିବା ଜନୈକ କର୍ମଚାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏଭଳିସ୍ଥିତିରେ କେଉଁ ଶ୍ରମିକଙ୍କ ନାମରେ ବର୍ଦ୍ଧିତ ଦରରେ ମଜୁରୀ ପ୍ରଦାନ ସକାଶେ ଆବେଦନ କରାଯାଇଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ଜେନାପୁର ବ୍ରିଜ କାର୍ଯ୍ୟରେ ନୁହେଁ ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଏଭଳି ଦୁର୍ନୀତି ହେଉଥିବା ସନ୍ଦେହ କରାଯାଉଛି। ଏଠାରେ ଶ୍ରମ ବିଭାଗ ଓ ଜିଲା ପ୍ରଶାସନ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଥିବାରୁ ସମ୍ପୃକ୍ତ ଅଧିକାରୀ ଓ ଠିକାସଂସ୍ଥା ଏଭଳି ଭାବରେ ସରକାରଙ୍କ କୋଟି କୋଟି ଟଙ୍କା ଲୁଟ କରି ମାଲାମାଲ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ସେତୁର ୩୨ ଓ ୩୩ ନମ୍ବର ପିଲର ପାଇଁ ଜମି ଅଧିଗ୍ରହଣରେ ବିବାଦ ରହିଥିବାରୁ ନିର୍ଦ୍ଧାରିତ ସମୟରେ ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ବ୍ରାହ୍ମଣୀ ନଦୀ ଉପରେ ଜେନାପୁର ବ୍ରିଜ ନିର୍ମାଣ ପାଇଁ ୨୦୧୧-୧୨ଆର୍ଥିକ ବର୍ଷରେ ଏଆର୍‌ଏସ୍‌ଏସ୍‌ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଲିଃ ସହ ଚୁକ୍ତି ହୋଇଥିଲା। ୪୪କୋଟି ୬୫ଲକ୍ଷ ୩୩ହଜାର ୮୨୯ଟଙ୍କା ନାବାର୍ଡ ଅନୁଦାନରେ ୧୯ା୪ା୨୦୧୪ ମଧ୍ୟରେ ବ୍ରିଜ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ରିଜ କାର୍ଯ୍ୟ ଶେଷ ନ ହେବାରୁ ୩୦ା୩ା୨୦୧୭ରେ ବିଭିନ୍ନ ସର୍ତ୍ତ ରଖି ଆସନ୍ତା ୨୮ା୨ା୨୦୧୮ତାରିଖ ପର୍ଯ୍ୟନ୍ତ ବ୍ରିଜ୍‌ ନିର୍ମାଣର ଅବଧିକୁ ବୃଦ୍ଧି କରାଯାଇଛି। ଇତିମଧ୍ୟରେ ୩୫ଟି ପିଲର ମଧ୍ୟରୁ ୨୨ଟିର ଫାଉଣ୍ଡେଶନ ସରିଯାଇଥିବାବେଳେ ୧୩ଟି ବାକି ରହିଛି। ଅନ୍ୟସମସ୍ତ ଫାଉଣ୍ଡେଶନ କାର୍ଯ୍ୟ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଶେଷ ହେବ ବୋଲି ଠିକାସଂସ୍ଥା ପ୍ରତିଶ୍ରୁତି ଦେଇଛି। ହେଲେ ମାତ୍ର ମାସକ ମଧ୍ୟରେ ବାକି ୧୩ଟି ପିଲାର ପାଉଣ୍ଡେଶନ କାର୍ଯ୍ୟ ଶେଷ ହେବା ଅସମ୍ଭବ ଭଳି ମନେ ହେଉଛି। ବ୍ରିଜ୍‌ କାର୍ଯ୍ୟରେ ବିଳମ୍ବତା ଠିକାଦାର ଓ ବ୍ରିଜ କର୍ତ୍ତୃପକ୍ଷଙ୍କ ପାଇଁ ଦୁଧିଆଳି ଗାଈ ସଦୃଶ ହୋଇଛି। ଏହାର ସୁଯୋଗରେ ପ୍ରତିବର୍ଷ ଶ୍ରମିକ ବର୍ଦ୍ଧିତ ମଜୁରୀ ହାରକୁ ପାଥେୟ କରି କୋଟି କୋଟି ଟଙ୍କା ହଡ଼ପ କରାଯାଉଛି ା ମଜୁରି ନିର୍ଦ୍ଧାରଣ ବୋର୍ଡ ଅନୁସାରେ ୨୦୧୨ର ୩ୟ ଓ ୪ର୍ଥ, ୨୦୧୩ର ୧ମ, ୨ୟ, ୩ୟ ଓ ୪ର୍ଥ ଏବଂ ୨୦୧୪ର ୧ମ କ୍ବାର୍ଟରର ବର୍ଦ୍ଧିତ ଦର ବାବଦକୁ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିଲ କରାଯାଇଛି। ସେହିପରି ଆଗାମୀ ଦିନରେ ୨୦୧୫ ଜୁଲାଇରେ ହୋଇଥିବା ଶ୍ରମିକଙ୍କ ବର୍ଦ୍ଧିତ ମଜୁରୀ ହାର ହିସାବରେ ମିଥ୍ୟା ବିଲ୍‌ ଭାଉଚର କରିବାକୁ ଯୋଜନା କରାଯାଉଛି। ଅନ୍ୟପକ୍ଷେ ଗତ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରି ବର୍ଷା ଋତୁ ପରେ ବ୍ରିଜର ଉଭୟ ପାର୍ଶ୍ୱରେ ଆପ୍ରୋଚ ରୋଡ ନିର୍ମାଣ କରିବାକୁ ଗତ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଜମି ଅଧିଗ୍ରହଣ ମାମଲା ଏବେ ହାଇକୋର୍ଟରେ ବିଚରାଧୀନ ରହିଛି। ବର୍ଷକୁ ବର୍ଷ ବ୍ରିଜ କାର୍ଯ୍ୟ ଘୁଞ୍ଚିଘୁଞ୍ଚି ଯାଉଥିବାବେଳେ ଶ୍ରମିକଙ୍କ ବର୍ଦ୍ଧିତ ହାର ଓ ଅସ୍ଥାୟୀ ରାସ୍ତା ନାମରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବାଟମାରଣ ହେଉଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ପାଣିକୋଇଲି ଡିଭିଜନର ନିର୍ବାହୀ ଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଠିକାସଂସ୍ଥା ବର୍ଦ୍ଧିତ ହାରରେ ଶ୍ରମିକଙ୍କୁ ମଜୁରି ପୈଠ କରିବାର ନିୟମ ରହିଛି। ତଦନୁସାରେ ବିଲ୍‌ ଭାଉଚର ପ୍ରସ୍ତୁତ କରି ମଞ୍ଜୁର ପାଇଁ ପଠାଯାଇଛି। ଜିଲା ଶ୍ରମ ଅଧିକାରୀ କୁବେର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେକୌଣସି କାର୍ଯ୍ୟରେ କୁଶଳୀ ଶ୍ରମିକଙ୍କୁ ନିୟୋଜନ କରିବା ଦାୟିତ୍ୱ ସଂପୃକ୍ତ ଠିକାସଂସ୍ଥାର ଦାୟିତ୍ୱ। ଏଥିରେ ଶ୍ରମ ବିଭାଗ କୌଣସି ହସ୍ତକ୍ଷେପ କରିପାରିବ ନାହିଁ। ତେବେ ଶ୍ରମିକଙ୍କୁ ବର୍ଦ୍ଧିତ ହାରରେ ମଜୁରି ପ୍ରଦାନ ଦେବା ପାଇଁ ସେହି ଅନୁସାରେ ବିଭାଗୀୟ ବିଲ୍‌ ପ୍ରସ୍ତୁତ ହେଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri