ଘରୋଇ ସଂସ୍ଥା ହାତରେ ଏସ୍‌ସିବିର ଏମ୍‌ଆର୍‌ଆଇ:କଣ୍ଟ୍ରାଷ୍ଟ ଆଳରେ ଲୁଟ୍‌


କଟକ ଅଫିସ, ୫।୧୧(ନିର୍ମଳ ପଣ୍ଡା)-ରୋଗ, ରୋଗୀ ଓ ଚିକିତ୍ସାକୁ ନେଇ ପୁଣି ଏକ ଅନିୟମିତତା ସାମ୍ନାକୁ ଆସିଛି। ରାଜ୍ୟ ସରକାର ନିଜର ସର୍ବ ନିମ୍ନ କାର୍ଯ୍ୟସୂଚୀରେ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି, ବିଜୁ କୃଷକ କଲ୍ୟାଣ ଯୋଜନା, ନିରାମୟ ଯୋଜନା ଭଳି ଜନମଙ୍ଗଳ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି। ହେଲେ ତୃଣମୂଳ ସ୍ତରରେ ଏହିସବୁ ସମ୍ପୂର୍ଣ୍ଣ ବାଟବଣା ଧରୁଛି। ଯୋଜନାକୁ ରୂପାୟନ କରିବା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଦୁର୍ନୀତିଖୋର ମନୋବୃତ୍ତି ସରକାରଙ୍କୁ କେବଳ ବଦନାମ କରୁନି ଅପରନ୍ତୁ ସରକାରୀ ଅର୍ଥକୁ ମଧ୍ୟ ହରିଲୁଟ୍‌ ହେବାରେ ସହାୟକ ହେଉଛି। କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ମାଗଣା କେମୋକୁ ବିକ୍ରି କରି ଦିଆଯାଉଥିବା ଘଟଣା ନିକଟ ଅତୀତରେ ପ୍ରଘଟ ହୋଇଥିଲା। ଏହାର ସ୍ବତନ୍ତ୍ର ଅଡିଟ୍‌ ଚାଲିଥିବାବେଳେ ଏସ୍‌ସିବି ମେଡିକାଲରେ ରୋଗୀଙ୍କ ସହ ଚାଲିଥିବା ଆଉ ଏକ ଅନ୍ତର୍ଘାତି କାର୍ଯ୍ୟ ସାମ୍ନାକୁ ଆସିଛି। ତାହା ହେଉଛି ମ୍ୟାଗ୍‌ନେଟିକ୍‌ ରିଜୋନାନ୍ସ ଇମେଜିଂ ବା ଏମ୍‌ଆର୍‌ଆଇକୁ ନେଇ। ହସ୍ପିଟାଲ କର୍ତ୍ତୃପକ୍ଷ ଏମ୍‌ଆର୍‌ଆଇ ବ୍ୟବସ୍ଥାକୁ ଏକ ଘରୋଇ ସଂସ୍ଥା ସହଭାଗିତାରେ ଆରମ୍ଭ କରି ରୋଗୀଙ୍କ ଉପରେ ଖର୍ଚ୍ଚର ଭାରକୁ ବଢ଼ାଇ ଦେଇଛନ୍ତି। ଏମ୍‌ଆର୍‌ଆଇ ହେଉଛି ଅପେକ୍ଷାକୃତ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ପରୀକ୍ଷଣ ବ୍ୟବସ୍ଥା। ଯେଉଁଥିରେ ଚୁମ୍ବକୀୟ କ୍ଷେତ୍ରର ସାହାଯ୍ୟ ନିଆଯାଇ ରୋଗୀଙ୍କ ଶରୀରର ଆଭ୍ୟନ୍ତରୀଣ ଅଂଶର ଚିତ୍ର ଉତ୍ତୋଳନ ଓ ପରୀକ୍ଷଣ କରାଯାଇଥାଏ। ଏସସିବି ମେଡିକାଲରେ ୨୦୧୦ ମାର୍ଚ୍ଚ ୨୫ରେ ଏମ୍‌ଆର୍‌ଆଇ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। କଲିକତାର ଏକ ଘରୋଇ ସଂସ୍ଥାର ସହଭାଗିତା(ପିପିପି) ମୋଡ୍‌ରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଚୁକ୍ତି ଅନୁଯାୟୀ, ଉକ୍ତ ସଂସ୍ଥା ମେଡିକାଲ ଭିତରେ କାର୍ଯ୍ୟ କରିବ। ଘରୋଇ ଏମ୍‌ଆର୍‌ଆଇ କେନ୍ଦ୍ରଗୁଡିକଠାରୁ କମ୍‌ ଦାମ୍‌ରେ ରୋଗୀ ସେବା ଯୋଗାଇବ। ଘରୋଇ କେନ୍ଦ୍ରଗୁଡ଼ିକରେ ସାଧାରଣ ଏମ୍‌ଆର୍‌ଆଇ ପାଇଁ ୫ହଜାର ଟଙ୍କାରୁ ଅଧିକ ନିଆଯାଉଥିବାବେଳେ ଏସ୍‌ସିବିରେ ତାହା ୪ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। କଣ୍ଟ୍ରାଷ୍ଟ ଓ ଅନ୍ୟାନ୍ୟ ସ୍ବତନ୍ତ୍ର ପରୀକ୍ଷା ପାଇଁ ଆନୁଷଙ୍ଗିକ ଦେୟ ଦେବାକୁ ପଡ଼ିଥାଏ। ଏହି ଅନୁଯାୟୀ ଜଣେ ରୋଗୀଠାରୁ ଏହି କେନ୍ଦ୍ର ଯେତିକି ଅର୍ଥ ଆଦାୟ କରିବ ତାହାର ମାତ୍ର ୧୨ ପ୍ରତିଶତ ସରକାରଙ୍କୁ ଦେଇ ବାକିତକ ନିଜେ ରଖିବ। ଏହାବାଦ୍‌ ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌) ହିତାଧିକାରୀଙ୍କୁ ମାଗଣାରେ ସେବା ଯୋଗାଇବ। ମାତ୍ର ଏବେ ସେଥିରେ ବ୍ୟତିକ୍ରମ ଦେଖାଦେଇଛି। ତାହା ପୁଣି ଗରିବ ଓଏସ୍‌ଟିଏଫ୍‌ ହିତାଧିକାରୀଙ୍କ କ୍ଷେତ୍ରରେ। ଜଣେ ଗରିବ ରୋଗୀଙ୍କୁ ଏମ୍‌ଆର୍‌ଆଇ କରିବାକୁ ଡାକ୍ତର ପରାମର୍ଶ ଦେବା ପରେ ରୋଗୀ ଜଣଙ୍କ ଏହି ପରୀକ୍ଷା ପାଇଁ ଓଏସଟିଏଫର ସହାୟତା ସକାଶେ ଆବେଦନ କରିଥାନ୍ତି। ଓଏସ୍‌ଟିଏଫ୍‌ ମଞ୍ଜୁରୀ ହେବା ପରେ ରୋଗୀଙ୍କ ଏମ୍‌ଆର୍‌ଆଇ ହୋଇଥାଏ। ମାତ୍ର ଏମ୍‌ଆର୍‌ଆଇ କେନ୍ଦ୍ରରେ ଓଏସ୍‌ଟିଏଫ୍‌ ଅନୁଦାନ ବାଦ୍‌ ରୋଗୀଙ୍କ ଠାରୁ ଅଧିକ ୨ହଜାର ଟଙ୍କା ଆଦାୟ କରାଯାଉଛି। ଏଥିପାଇଁ କୌଣସି ରସିଦ ଦିଆଯାଉ ନାହିଁ। ଯାଜପୁର ଜିଲା ଛତିଆ ନିକଟବର୍ତ୍ତୀ ନେଳିଆ ଗ୍ରାମର ଜ୍ୟୋତ୍ସ୍ନା ସ୍ବାଇଁଙ୍କ ସମେତ ଅନେକ ରୋଗୀଙ୍କ କ୍ଷେତ୍ରରେ ଏଭଳି କରାଯାଇଛି। ଜ୍ୟୋତ୍ସ୍ନା ମସ୍ତିସ୍କ ଟ୍ୟୁମରରେ ଆକ୍ରାନ୍ତ ହୋଇ ଅକ୍ଟୋବର ୧୧ରେ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ନ୍ୟୁରୋସର୍ଜରି ବିଭାଗ ଡାକ୍ତର ଜ୍ୟୋତ୍ସ୍ନାଙ୍କୁ ଏମ୍‌ଆର୍‌ଆଇ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ୬ହଜାର ଟଙ୍କା ଆବଶ୍ୟକ ଥିଲା। ତେଣୁ ଜ୍ୟୋତ୍ସ୍ନା ଓଏସ୍‌ଟିଏଫର ସହାୟତା ପାଇଁ ଆବେଦନ କରିଥିଲେ। ଓଏସ୍‌ଟିଏଫ୍‌ରୁ ଉକ୍ତ ଟଙ୍କା ମଞ୍ଜୁର ହେବା ପରେ ଏମ୍‌ଆର୍‌ଆଇ କରାଯାଇଥିଲା। ମାତ୍ର ରିପୋର୍ଟ ଦେଖିବା ପରେ ଡାକ୍ତର ଆଉଥରେ କଣ୍ଟ୍ରାଷ୍ଟ ନିମନ୍ତେ ଜ୍ୟୋତ୍ସ୍ନାଙ୍କୁ ପରାମର୍ଶ ଦେଇଥିଲେ। ଜ୍ୟୋତ୍ସ୍ନା ପୁନର୍ବାର ଉକ୍ତ କେନ୍ଦ୍ରକୁ ଯିବାପରେ କେନ୍ଦ୍ର ପକ୍ଷରୁ ୨ ହଜାର ଟଙ୍କା ଦାବି କରାଯାଇଥିଲା। ଅର୍ଥ ନ ଥିବାରୁ ଧାର କରଜ କରି ଜ୍ୟୋତ୍ସ୍ନାଙ୍କ ପରିବାର ଲୋକେ ଏମ୍‌ଆର୍‌ଆଇ କେନ୍ଦ୍ରରେ ଦାଖଲ କରି କଣ୍ଟ୍ରାଷ୍ଟ କରାଇଥିଲେ। ହେଲେ ଉକ୍ତ ୨ହଜାର ଟଙ୍କା ବାବଦରେ ତାଙ୍କୁ କୌଣସି ରସିଦ ନ ମିଳିବାରୁ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ କେତେଜଣ ସାମାଜିକ କର୍ମୀ ଏମ୍‌ଆର୍‌ଆଇ କେନ୍ଦ୍ରକୁ ଯାଇ ପଚାରିବାରୁ କର୍ମଚାରୀମାନେ କହିଥିଲେ, ଯଦି ରସିଦ ଦିଆଯାଇନି ତାଙ୍କୁ ଡାକି ଏବେ ଆମେ ଦେଇଦେବୁ। କର୍ମଚାରୀଙ୍କ ଏଭଳି ଉତ୍ତର ଅଧିକ ସନ୍ଦେହ ସୃଷ୍ଟି କରିଛି। ଅର୍ଥାତ୍‌ ଅଧିକାଂଶ ରୋଗୀଙ୍କଠାରୁ କଣ୍ଟ୍ରାଷ୍ଟ ନାମରେ ୨ହଜାର ଟଙ୍କା ଲେଖାଏ ଆଦାୟ କରାଯାଉଛି ଓ ଉକ୍ତ ଟଙ୍କାକୁ କେନ୍ଦ୍ର କର୍ମଚାରୀମାନେ ହରିଲୁଟ କରୁଥିବା ସାମାଜିକ କର୍ମୀ ଅଚ୍ୟୁତ କୁମାର ସାହୁ ଅଭିଯୋଗ କରିଛନ୍ତି। ତେବେ ଟଙ୍କା ଆଦାୟ ଘଟଣାକୁ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ସମର୍ଥନ କରିନାହାନ୍ତି। ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନଗୋ କୁହନ୍ତି, କଣ୍ଟ୍ରାଷ୍ଟ ପାଇଁ ୨ହଜାର ଟଙ୍କା ଆବଶ୍ୟକ। ମାତ୍ର ତାହା ହିସାବ ଖାତାକୁ ଯିବା କଥା। ରୋଗୀଙ୍କୁ ରସିଦ ଦିଆଯିବା ନିତାନ୍ତ ଆବଶ୍ୟକ। ମେଡିକାଲ ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ର ମଧ୍ୟ ଏଭଳି ଟଙ୍କା ଆଦାୟକୁ ବିରୋଧ କରିଛନ୍ତି। କ’ଣ ପାଇଁ ଏମ୍‌ଆର୍‌ଆଇ କେନ୍ଦ୍ରରେ ଏଭଳି କାମ କରାଯାଇଛି ତାହା ବୁଝିବା ପରେ କହିବି ବୋଲି ମିଶ୍ର କହିଛନ୍ତି। ସୂଚନାଥାଉ କି, ଏସ୍‌ସିବିରେ ବାର୍ଷିକ ୪ରୁ ୫ହଜାର ରୋଗୀଙ୍କ ଏମ୍‌ଆର୍‌ଆଇ କରାଯାଉଛି। ଗତ ସେପ୍ଟେମ୍ବର ମାସକୁ ଦେଖିଲେ ସମୁଦାୟ ୪୬୦ଜଣ ରୋଗୀଙ୍କ ଏମ୍‌ଆର୍‌ଆଇ ହୋଇଛି। ସେଥିରୁ ୬୨ ଜଣ ହେଉଛନ୍ତି ଓଏସ୍‌ଟିଏଫ ହିତାଧିକାରୀ। ତେବେ ଜ୍ୟୋତ୍ସ୍ନାଙ୍କ ଭଳି ଆଉ କେତେଜଣ ରୋଗୀଙ୍କଠାରୁ କଣ୍ଟ୍ରାଷ୍ଟ ବାବଦରେ ଏହିଭଳି ବେଆଇନ ଉପାୟରେ ଟଙ୍କା ଆଦାୟ ହୋଇଛି ତାହା ତଦନ୍ତସାପେକ୍ଷ ବୋଲି ସାମାଜିକ କର୍ମୀ ସାହୁ କହିଛନ୍ତି। ଏହାବାଦ୍‌ ଅନେକ ଘରୋଇ ହସ୍ପିଟାଲର ରୋଗୀମାନେ ମଧ୍ୟ ଏଠାରେ ଏମ୍‌ଆର୍‌ଆଇ କରୁଥିବାରୁ ଏସ୍‌ସିବି ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ସବୁଠାରୁ ବଡ଼ କଥା ହେଉଛି ଯେଉଁଠି ସରକାର ବହୁ ମୂଲ୍ୟ ରୋବୋଟିକ୍‌ ସର୍ଜରି ବ୍ୟବସ୍ଥା ଏସ୍‌ସିବିରେ ଆରମ୍ଭ କରିବାକୁ ଯାଉଛନ୍ତି ସେଠାରେ ଏକ ଘରୋଇ ସଂସ୍ଥାର ଭାଗୀଦାରିରେ ଏମ୍‌ଆର୍‌ଆଇ କରିବା ରୋଗୀଙ୍କ ଉପରେ ଜିଜିଆ କର ସଦୃଶ ବୋଲି ଚର୍ଚ୍ଚା ହେଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri