ମହିଳାଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼


ବଡସାହି,୫। ୧୧(ସ୍ବ.ପ୍ର) ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଯଦୁନାଥପୁର ପଞ୍ଚାୟତ ମଧୁପୁର ଗ୍ରାମର ଗ୍ରାମବାସୀମାନେ ଗୁଣିଗାରେଡି କଥାରେ ବିଶ୍ୱାସ କରି ଡାହାଣୀ ସନ୍ଦେହରେ ୪ମହିଳାଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି। ମହିଳାମାନଙ୍କ ମଧ୍ୟରେ ୩ଜଣ ବୃଦ୍ଧା ଥିବାରୁ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଗ୍ରାମବାସୀଙ୍କ ଭୟ ଓ ଲୋକ ଲଜ୍ଜାରେ ସେମାନେ ଘରୁ ବାହାରକୁ ଗୋଡ କାଢୁ ନ ଥିବାର ସେମାନେ ପ୍ରକାଶ କରିଛନ୍ତି। ଘଟଣାଟି ଗତ ମାସ ୨୨ ତାରିଖରେ ହୋଇଥିଲେ ମଧ୍ୟ ରବିବାର ସାମ୍ନାକୁ ଆସିଛି। ପ୍ରକାଶ ଯେ, ଗତ କିଛିଦିନ ଧରି ଗ୍ରାମର ଶିଶୁ ଓ ଯୁବକମାନେ ରୋଗାକ୍ରାନ୍ତ ହୋଇ ମତ୍ୟୁମୁଖରେ ପଡୁଥିଲେ। କୌଣସି ରୋଗ ହେଲେ ଡାକ୍ତରଖାନା ପହଞ୍ଚତ୍ବାର ୮/୧୦ଘଣ୍ଟା ମଧ୍ୟରେ ସେମାନଙ୍କର ଜୀବନ ଚାଲିଯାଉଛି ବୋଲି ଗ୍ରାମବାସୀ କହିିଛନ୍ତି । ପୂର୍ବେ ଗ୍ରାମର ବୁଧିରାମ ସିଂଙ୍କ ୧୦ବର୍ଷର ପୁଅର ଗୋଡ ଆଙ୍ଗୁଠିରେ ସାମାନ୍ୟ ଆଘାତ ଲାଗିଥିଲା। ସେ ଆଘାତ ହେବାର ୧୦ଘଣ୍ଟା ପରେ ମୃତ୍ୟୁବରଣ କରିଥିଲେ। ଏଭଳି ଘଟଣାରେ ଗ୍ରାମବାସୀ ଗୁଣିଆ ଶିବ ସିଂଙ୍କୁ ସନ୍ଦେହ କରି ଗତ ୨୨ତାରିଖ ସକାଳେ ତାଙ୍କୁ ପଚରାଉଚୁରା କରି ମାଡ ମାରିଥିଲେ। ଗ୍ରାମରେ ଥିବା ୪ଜଣ ମହିଳା ଡାହାଣୀ ହୋଇ ମଣିଷଙ୍କୁ ଖାଉଛନ୍ତି ବୋଲି କହି ଗୁଣିଆ ଜଣକ କୁଆଡେ ସେମାନଙ୍କ ନାମ ପ୍ରକାଶ କରିଥିଲେ। ଗୁଣିଆଙ୍କ କଥାକୁ ବିଶ୍ୱାସ କରି ଗ୍ରାମବାସୀ ଗାଁରେ ପ୍ରଜାକୋର୍ଟ ବସାଇ ୪ମହିଳାଙ୍କୁ ଘରୁ ଘୋଷାରି ଆଣି ଗାଁ ମୁଣ୍ଡରେ ଥିବା ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ମହିଳାମାନେ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ ବି ଉତ୍ତ୍ୟକ୍ତ ଗ୍ରାମାବାସୀଙ୍କ କବଳରୁ ନିଜକୁ ରକ୍ଷା ପାଇପାରି ନ ଥିଲେ। ମହିଳାଙ୍କ ସ୍ବାମୀମାନେ ସେଠାକୁ ଯାଇ ଉଦ୍ଧାର କରିବାକୁ ମଧ୍ୟ ସାହାସ କରିପାରି ନ ଥିଲେ। ପାଖାପାଖି ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଏହି ମହିଳାମାନଙ୍କୁ ମାଡ, ଗାଳି, ଅପମାନ ସହିବାକୁ ପଡିଥିଲା। ବନ୍ଧା ହୋଇଥିବା ମହିଳାମାନେ ଗୁଣିଆକୁ ଡାହାଣୀ ହେବାର ପ୍ରମାଣ ମାଗିଥିଲେ। ଗୁଣିଆ ଜଣକ ପ୍ରମାଣ ଦେବାରେ ଅସମର୍ଥ ହେବାରୁ ଗାଁ ଲୋକେ ଗୁଣିଆକୁ ମଧ୍ୟ ମାଡ ମାରିଥିଲେ। ସମ୍ପୃକ୍ତ ଗୁଣିଆଙ୍କ ସ୍ତ୍ରୀ ଅପରାହ୍ନ ବେଳକୁ ଘରକୁ ଫେରି ଏକତା ଶୁଣି ଘଟଣାସ୍ଥଳକୁ ଯାଇ ତାଙ୍କ ସ୍ବାମୀଙ୍କୁ ଛାଡିଦେବାକୁ ନେହୁରା ହୋଇଥିଲେ। ମାତ୍ର ତାଙ୍କ କଥାକୁ କେହି ଶୁଣି ନ ଥିଲେ। ବରଂ ସେହି ଗଛରେ ତାଙ୍କୁ ବାନ୍ଧି ଲୋକେ ନିସ୍ତୁକ ମାଡ ମାରିଥିଲେ। ଏ ସମ୍ପର୍କରେ ଖବରପାଇ ବଡସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ଉଦ୍ଧାର କରିଥିଲା। ଗ୍ରାମବାସୀଙ୍କ ବିଧା, ଗୋଇଠା, ମୁଥ ମାଡରେ ଗୁଣିଆ ଶିବ ସିଂ ଗୁରୁତର ଆହତ ହୋଇ ଏବେ ବାରିପଦା ଡାକ୍ତରଖାନାରେ ଚିକତ୍ସିତ ହୋଇଛନ୍ତି। ତାଙ୍କ ସ୍ତ୍ରୀ ରାଧାମଣୀ ଗତ ୨ତାରିଖରେ ଥାନାରେ ଏ ନେଇ ଏତାଲା ଦେବା ପରେ ପୋଲିସ ମାମଲା ରୁଜୁ କରିଥିଲେ ବି ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚୁପ ହୋଇ ବସିଛି। ସୋମବାର ଗ୍ରାମବାସୀଙ୍କୁ ଥାନାକୁ ଡକାଇ ସମାଧାନ କରାଯିବ ବୋଲି ସ୍ଥିର ହୋଇଥିବା ଗ୍ରାମବାସୀ କହିଛନ୍ତି। ଏ ସଂକ୍ରାନ୍ତରେ ବଡସାହି ଆଇଆଇସି ପାସ୍କେଲ ଏକ୍କାଙ୍କୁ ପଚାରିବାରୁ କହିଛନ୍ତି ଯେ, ତଦନ୍ତ ଚାଲୁ ରହିଛି।ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରି ନାହିଁ। ଅଭିଯୋଗକାରୀ ଫେରାର ଥିବାରୁ ତଦନ୍ତରେ ବାଧା ଉପୁଜୁଛି ବୋଲି ସେ କହିଛନ୍ତି। ଗୁଣିଗାରେଡି ଓ ଡାହାଣୀ ସନ୍ଦେହକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ୱାସକୁ ଦୂର କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୌଣସି ତପତ୍ରତା ପ୍ରକାଶ କରୁ ନ ଥିବାରୁ ନିରୀହ ମହିଳାମାନେ ଏହାର ଶିକାର ହେଉଛନ୍ତି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ବୃଦ୍ଧା ମହିଳାମାନଙ୍କୁ ଗଛରେ ବାନ୍ଧି ପିଟିବା ଭଳି ଘଟଣାର ପୁନରାବୃତ୍ତି ନ ହେବା ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଆବଶ୍ୟକ ରହିଛି ବୋଲି ସେମାନେ କହିଛନ୍ତି। ତେବେ ଗୁଣି ଗାରେଡି ସନ୍ଦେହ ନେଇ ଏହି ଗାଁରେ ଚଳିତବର୍ଷ ଏଭଳି ୮ଟି ଘଟଣା ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି। ପ୍ରଶ୍ନ ଉଠୁଛି, ଘଟଣାଦିନ ପୋଲିସ ଘଟଣାସ୍ଥଳକୁ ମହିଳାମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଦୀର୍ଘ ୧୩ ଦିନ ଧରି ଏହାକୁ ଚପାଇ ରଖାଯାଇଥିଲା କାହିଁକି। ପୋଲିସ ୨ ତାରିଖରେ ଏ ନେଇ ମାମଲା ରୁଜୁ କରିଥିଲେ ମଧ୍ୟ ଏ ନେଇ କୌଣସି ସୂଚନା ନ ଦେବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ପିଙ୍ଗୁ ପଞ୍ଚାୟତ ସରପଞ୍ଚ ବନଲତା ସୋରେନଙ୍କୁ ପଚାରିବାରୁ କହିଛନ୍ତି ଯେ, ସେ ନିର୍ବାଚନ ଜିତି ଦାୟିତ୍ୱ ନେବା ବେଳେ ପଞ୍ଚାୟତରେ କୌଣସି କାଗଜପତ୍ର ନ ଥିଲା। ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ବେତନଟୀ ଏସଡିପିଓ ଧୀରେନ ଚନ୍ଦ୍ର ନନ୍ଦ କହିଛନ୍ତି ଯେ, ବଡଥାନା କେସ୍‌ ବାବଦରେ ସେ ଅବଗତ ନ ଥିଲେ। ଘଟଣାର ସତ୍ୟାସତ୍ୟ ଥିଲେ ତଦନ୍ତ କରି ଦୃଢ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri