ଟ୍ରେନ୍‌ ପରେ ବିମାନ ବ୍ରାଣ୍ଡିଂ


ଭୁବନେଶ୍ୱର, ୫।୧୧(ବ୍ୟୁରୋ)- ବମ୍ବେ ମେଟ୍ରୋରେ ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡିଂ ପରେ ଏବେ ବିମାନ ବ୍ରାଣ୍ଡିଂ କରିବାକୁ ଅଣ୍ଟାଭିଡିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଏ ନେଇ ପ୍ରାରମ୍ଭିିକ ଆଲୋଚନା ଶେଷ ହୋଇଛି। ଦେଶ ଓ ବିଦେଶକୁ ଉଡାଣ କରୁଥିବା ବିମାନଗୁଡିକରେ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ସ୍ଥାନ ଦେବା ଲାଗି ପର୍ଯ୍ୟଟନ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି କେତେକ ବିମାନ କମ୍ପାନୀ। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ ତେବେ ଖୁବ୍‌ଶୀଘ୍ର ବିମାନଗୁଡିକରେ ବ୍ରାଣ୍ଡିଂ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାଓ୍ବଲେ କହିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥିପାଇଁ ଦକ୍ଷିଣ-ପୂର୍ବ ଏସିଆରେ ଥିବା ଦେଶଗୁଡିକୁ ଫୋକସ୍‌ କରାଯାଇଛି। ଏହାମଧ୍ୟରେ ଥିବା ଦେଶଗୁଡିକରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ସଂଖ୍ୟା ଅଧିକ ଥିବାବେଳେ ଭୁବନେଶ୍ୱରରୁ ମାଲେସିଆକୁ ବିମାନ ସେବା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ବ୍ୟାଙ୍କକ୍‌କୁ ମଧ୍ୟ ବିମାନ ସେବା ଆରମ୍ଭ ହେବ। ତେବେ ବିମାନ ବ୍ରାଣ୍ଡିଂ ମାଧ୍ୟମରେ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରୁ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସେବା ପ୍ରଦାନ କରୁଥିବା ବିମାନଗୁଡିକରେ ବ୍ରାଣ୍ଡିଂ କରାଯିବ। ପୁରୀ, ଭୁବନେଶ୍ୱର, କୋଣାର୍କ ସହ ଭିତରକନିକା, ଚିଲିକା ଓ ରାଜ୍ୟରେ ରହିଥିବା ବିଭିନ୍ନ ବୌଦ୍ଧ ପର୍ଯ୍ୟଟନସ୍ଥଳୀକୁ ବ୍ରାଣ୍ଡିଂ ସମୟରେ ଗୁରୁତ୍ୱ ଦିଆଯିବ। ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡିକର ପ୍ରଚାର ପ୍ରସାର ଲାଗି ଏହି ପଦକ୍ଷେପ ନିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ପାଇସ୍‌ ଜେଟ୍‌ ବିମାନ କମ୍ପାନୀ ପକ୍ଷରୁ ବ୍ରାଣ୍ଡିଂ ପାଇଁ ପର୍ଯ୍ୟଟନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ବିମାନ ଭିତରେ ଅଡିଓ, ଭିଡିଓ ବିଜ୍ଞାପନ ସହ ଆଉଟଡୋର୍‌ ବ୍ରାଣ୍ଡିଂ ମଧ୍ୟ କରାଯିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି। ଉତ୍ତର ଭାରତରୁ ଓଡ଼ିଶାକୁ ଅଧିକ ପର୍ଯ୍ୟଟକ ଆସୁଥିବାରୁ ସେହି ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବ୍ୟାପକ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ବମ୍ବେ, ଦିଲ୍ଲୀ ପରେ ଏବେ କଲିକତା ଏବଂ ବାଙ୍ଗାଲୋର ବିମାନବନ୍ଦରରେ ମଧ୍ୟ ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡିଂ କରିବା ଲାଗି ପଦକ୍ଷେପ ନିଆଯାଇଛି। ଏ ନେଇ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଛି। ବିମାନ ବ୍ରାଣ୍ଡିଂ ନେଇ ଯେଉଁସବୁ ପ୍ରସ୍ତାବ ରହିଛି ତାହା ଉପରେ ପ୍ରଥମେ ଅନୁଧ୍ୟାନ କରାଯିବ। ଏ ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶକ ଜାଓ୍ବଲେ କହିଛନ୍ତି, ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡିକରେ ଓଡ଼ିଶା ପର୍ଯ୍ୟଟନର କିଭଳି ଅଧିକ ପ୍ରଚାର ପ୍ରସାର ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବ। ବାହାର ଦେଶର ବିମାନବନ୍ଦରରେ ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡିଂ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରହିଥିବା ସେ କହିଛନ୍ତି। ତେବେ ବ୍ରାଣ୍ଡିଂ ଠିକ୍‌ଭାବେ ହେବାଦ୍ୱାରା ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧିପାଇବ ବୋଲି ଟୁର୍‌ ଅପରେଟରମାନେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri