ବାହାରେ କ୍ଲିନିକ୍‌ ବୋର୍ଡ, ଭିତରେ ସେକ୍ସ ର଼୍ୟାକେଟ୍‌


ଭୁବନେଶ୍ୱର, ୫।୧୧(ବ୍ୟୁରୋ)- ଘର ବାହାରେ ଝୁଲୁଥିଲା କ୍ଲିନିକ ବୋର୍ଡ। କିନ୍ତୁ ଭିତରେ ବେଧଡ଼କ ଚାଲିଥିଲା ସେକ୍ସ ର଼୍ୟାକେଟ୍‌। ମାସେ କି ଦୁଇମାସ ନୁହେଁ। ଦୀର୍ଘ ୨ ବର୍ଷ ଧରି ନୟାପଲ୍ଲୀ ଥାନାଠାରୁ ମାତ୍ର ୧ କି.ମି. ଦୂର ଏକାମ୍ର ପାର୍କ ନିକଟ ଏକ ଘରେ ଏହା ଚାଲିଆସୁଥିଲା। ଜଣେ ଯୁବତୀଙ୍କ ଜରିଆରେ ଜଣେ ସରକାରୀ କର୍ମଚାରୀ ଏହି କାର୍‌ବାର ଚଳାଉଥିଲେ। ପୋଲିସ ସବୁ ଜାଣି ଚୁପ୍‌ ରହିଥିଲା। ଶେଷରେ ଉପରୁ ଚାପ ପଡ଼ିବା ପରେ ସ୍ଥାନୀୟ ପୋଲିସ ରବିବାର ସେଠାରେ ଚଢ଼ାଉ କରିଛି। ସେକ୍ସ ର଼୍ୟାକେଟ ଚଳାଉଥିବା ସମ୍ପୃକ୍ତ ଯୁବତୀଙ୍କ ସମେତ ୪ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି। ସେକ୍ସ କାରବାର୍‌ରେ ଲିପ୍ତ ଥିବା ୩ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ର଼୍ୟାକେଟ ମୁଖ୍ୟ ତଥା କଟକ ଜିଲା ବଡ଼ମ୍ବା ଅଞ୍ଚଳର ରିଙ୍କି ସ୍ବାଇଁଙ୍କ ସମେତ ଗ୍ରାହକ ଜଟଣୀର ଦୀପକ ପରିଡ଼ା, କଟକ ଜିଲା ଗୋପାଳପୁରର ରଘୁନାଥ ପାଣ୍ଡେ, ତାଳଚେର ରେମୁଅଁାର ବିନୋଦ କୁମାର ଓ ଜଗତ୍‌ସିଂହପୁର ଜିଲା ନୂଆଗାଁର ବିରଞ୍ଚତ୍ ନାରାୟଣ ବାରିକ। ସେମାନଙ୍କଠାରୁ ପୋଲିସ ଗୋଟିଏ ସ୍କୁଟି, ଗୋଟାଏ ବାଇକ ସହ ନଗଦ ୬ ହଜାର ଟଙ୍କା ଏବଂ ୯ଟି ମୋବାଇଲ ଫୋନ ଜବତ କରିଛି। ନୟାପଲ୍ଲୀ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଫୁଲବାଣୀ ଜିଲାରେ ଭିଏଲ୍‌ଡବ୍ଲ୍ୟୁ ଭାବେ କାର୍ଯ୍ୟରତ ଜଣେ ସରକାରୀ କର୍ମଚାରୀ ଏକାମ୍ର ପାର୍କସ୍ଥିତ ଏକ ଘରକୁ ଗତ ୨ ବର୍ଷ ଏକ କ୍ଲିନିକ କରିବା ନଁାରେ ଭଡ଼ାରେ ନେଇଥିଲେ। ପରବର୍ତ୍ତୀ ସମୟରେ ସେ କଟକ ଜିଲା ବଡ଼ମ୍ବା ଅଞ୍ଚଳର ରିଙ୍କି ସ୍ବାଇଁ ନାମ୍ନୀ ଯୁବତୀଙ୍କୁ ଆଣି ସେଠାରେ ରଖିଥିଲେ। ରିଙ୍କି ଉକ୍ତ ଘର ବାହାରେ କ୍ଲିନିକ ବୋର୍ଡ ଝୁଲାଇ ସେକ୍ସ ର଼୍ୟାକେଟ ଆରମ୍ଭ କରିଥିଲେ। ସମ୍ପୃକ୍ତ ଭିଏଲ୍‌ଡବ୍ଲ୍ୟୁ ଜଣକ ପ୍ରତି ମାସରେ ଉକ୍ତ ଘରକୁ ଆସି ଟଙ୍କା ନେଇଯାଇଥାନ୍ତି। ଜଣେ ଗ୍ରାହକଙ୍କ ପିଛା ସେମାନେ ୫ଶହରୁ ୮ଶହ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିଥାନ୍ତି ବୋଲି ରିଙ୍କି ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଚଢ଼ାଉ ବେଳେ ଉକ୍ତ ଘରୁ କେତେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଉଦ୍ଧାର ଯୁବତୀମାନଙ୍କୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ଭିଏଲଡବ୍ଲ୍ୟୁଙ୍କୁ ଚିହ୍ନଟ କରାଯାଇଥିବା ଏବଂ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅତିଷ୍ଠ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ- ଯେଉଁ ଜାଗାରେ ସେକ୍ସ ର଼୍ୟାକେଟ ଚାଲୁଥିଲା ତାହା ଏକ ହାଇପ୍ରୋଫାଇଲ୍‌ ଏରିଆ। ଉକ୍ତ ଘରର କିଛି ଦୂରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ରହୁଛନ୍ତି। ସ୍ଥାନୀୟ ଲୋକେ ସେକ୍ସ ର଼୍ୟାକେଟ ସମ୍ପର୍କରେ ଜାଣିବା ପରେ ପୋଲିସକୁ ବାରମ୍ବାର ସୂଚନା ଦେଇଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ତେଣୁ ପୋଲିସ ମାସିକିଆ ବଟି ନେଇ ଚୁପ୍‌ ରହୁଥିଲା ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ଶେଷରେ ଲୋକେ ଏ ନେଇ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ରବିବାର ସନ୍ଧ୍ୟାରେ ନୟାପଲ୍ଲୀ ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଏକାମ୍ର ପାର୍କ ନିକଟ ଉକ୍ତ ଘରେ ଚଢ଼ାଉ କରିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri