ନିଯୁକ୍ତି ଆଶା ମଉଳି ଯାଉଛି


ଭୁବନେଶ୍ୱର,୪।୧୧: ବେକାରି, ଅଶିକ୍ଷା, ପୁଷ୍ଟିହୀନତା, ଦାରିଦ୍ର୍ୟ ଦୂର କରିବା ସକାଶେ ଯୋଜନା ପ୍ରସ୍ତୁତ ଏବଂ ତାହାର ରୂପାୟନ କରିବା ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ। ଭାରତର ପ୍ରତ୍ୟେକ ରାଜ୍ୟରେ ଏହି ୪ଟି ସମସ୍ୟା ସର୍ବଦା ଲାଗି ରହିଛି। ବିଶେଷକରି ବେକାରି ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଶିକ୍ଷିତ ତଥା କୁଶଳୀ ଯୁବପିଢିଙ୍କୁ ନିଯୁକ୍ତି ସୁଯୋଗ ନିଶ୍ଚିତ ମିଳିବ, ଏଥିପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଉଥିଲେ ମଧ୍ୟ ତା’ର ସୁଫଳ ମିଳୁନାହିଁ। ପ୍ରତିବର୍ଷ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି। ରାଜ୍ୟର ବିଭିନ୍ନ ନିୟୋଜନ କାର୍ଯ୍ୟାଳୟରେ ଯେଉଁ ହାରରେ ଯୁବତୀଯୁବକମାନେ କର୍ମ ନିଯୁକ୍ତି ପାଇଁ ପଞ୍ଜୀକରଣ କରୁଛନ୍ତି, ସେହି ହାରରେ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରୁନାହିଁ। ସୂଚନା ଅଧିକାର ଆଇନ(ଆରଟିଆଇ) ଜରିଆରେ ମିଳିଥିବା ତଥ୍ୟକୁ ଅନୁଶୀଳନ କଲେ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡିଛି। ଫଳସ୍ବରୂପ ଯୁବତୀଯୁବକମାନେ ନିରାଶ ହୋଇ ଅନ୍ୟତ୍ର ଚାଲିଯାଉଥିବା ଲକ୍ଷ୍ୟ କରାଯାଉଛି। କର୍ମ ନିୟୋଜନ ନିର୍ଦ୍ଦେଶାଳୟର ପରିସଂଖ୍ୟାନକୁ ଦେଖିଲେ, ରାଜ୍ୟର ବିଭିନ୍ନ ଜିଲା ନିୟୋଜନ କାର୍ଯ୍ୟାଳୟରେ ୨୦୦୦ରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ୩୫ ଲକ୍ଷ ୪୨ ହଜାର ୩୮୫ ଜଣ କର୍ମ ନିଯୁକ୍ତି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହି ସମୟ ମଧ୍ୟରେ ମାତ୍ର ୪୫,୭୮୩ ଜଣଙ୍କୁ ରାଜ୍ୟ ସରକାର ରୋଜଗାର ଯୋଗାଇଦେବାରେ ସକ୍ଷମ ହୋଇଛନ୍ତି। ଯାହା ମାତ୍ର ୧.୨୯ ପ୍ରତିଶତ। ସ୍ବାଧୀନତା ପରବର୍ତ୍ତୀ ସମୟରେ କ୍ଷମତାକୁ ଆସିଥିବା ଶାସକ ଗୋଷ୍ଠୀ ଶିଳ୍ପ/ଉଦ୍ୟୋଗ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ଆସୁଛନ୍ତି। ମାତ୍ର ସରକାରୀ ସଂସ୍ଥାରେ ବିଭିନ୍ନ ପଦବୀ ଖାଲି ପଡୁଥିବା ଜଣାପଡିଛି। ଶିଳ୍ପ ପ୍ରୋତ୍ସାହନ ଏବଂ ନିବେଶ ନିଗମ(ଇପିକଲ)ରେ ମଞ୍ଜୁରୀ ହୋଇଥିବା ୧୪୬ ପଦବୀରୁ ୭୮ ଜଣ କାର୍ଯ୍ୟ କରୁଛନ୍ତି। ଆହୁରି ୬୮ଟି ପଦବୀ ଖାଲିପଡିଛି। ସେହିପରି କଟକରେ ଥିବା ଶିଳ୍ପ ନିର୍ଦ୍ଦେଶାଳୟ ଅଧୀନରେ ବିଭାଗ ‘କ’ ଅନୁଯାୟୀ ଥିବା ୬୪ଟି ପଦବୀରୁ ୩୨ ପଦବୀ ଖାଲି ପଡିଥିବା ଜଣାପଡିଛି । ବିଭାଗ ‘ଖ’ ଶ୍ରେଣୀରେ ୪୮୦ ପଦବୀରୁ ୧୪୧, ବିଭାଗ ‘ଗ’ ଶ୍ରେଣୀରେ ୨୨୧ ପଦରୁ ୮୩, ଶ୍ରେଣୀ ‘ଘ’ରେ ୩୩୩ ପଦବୀରୁ ୧୬୨ ପଦବୀ ଖାଲି ପଡିଛି। ୪ ଗୋଟି ଶ୍ରେଣୀରେ ମୋଟ ୧୦୯୮ ପଦବୀରୁ ୪୧୮ ପଦବୀ ଖାଲି ପଡିଥିବା ସୂଚନାଧିକାର ତଥ୍ୟରେ ମିଳିଛି। ସେହିପରି ଅନ୍ୟ ଏକ ତଥ୍ୟାନୁଯାୟୀ ୧ ସେପ୍ଟେମ୍ବର ୨୦୧୭ ସୁଦ୍ଧା ୨୫,୬୬୩ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ୟୁନିଟ୍‌ ରୁଗ୍‌ଣ ଅବସ୍ଥାରେ ରହିଛି। ୨୩୬୮ ସଂସ୍ଥା କାର୍ଯ୍ୟ କରିବ ନା ନାହିଁ, ସେନେଇ ବ୍ୟାଙ୍କ୍‌ ନିଷ୍ପତ୍ତି ନେବାର ଅଛି। ସେହିପରି ୨୦୧୦ରୁ ୨୦୧୭ ମଧ୍ୟରେ ୧୯୭ଟି ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ କରାଯାଇ ୧ କୋଟି ୮୮ ଲକ୍ଷ ୪୨ ହଜାର ୮୮୭ ଟଙ୍କା ବ୍ୟୟରେ ୪୯୦୧ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ମାତ୍ର ପ୍ରଶିକ୍ଷିତ ଯୁବତୀଯୁବକମାନଙ୍କ ମଧ୍ୟରୁ କେତେଜଣ ନିଜର ଉଦ୍ୟୋଗ ଆରମ୍ଭ କରିଛନ୍ତି, ସେନେଇ କୌଣସି ତଥ୍ୟ ସୂଚନା ଅଧିକାର ଜରିଆରେ ମିଳିନାହିଁ। ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ ଯେ, ଜିଲା ଓ ଜୋନସ୍ତରରେ ରହିଥିବା ଶିଳ୍ପ ସେଣ୍ଟର ନାମକୁ ମାତ୍ର ପ୍ରଶିକ୍ଷିତ କରି ନିଜ ଉପରୁ ଦାୟିତ୍ୱ ଖସାଇ ଦେଉଛି। ସାମାଜିକ କର୍ମୀ ଏନ୍‌. ପ୍ରକାଶ ଚୌଧୁରୀ କହିଛନ୍ତି ଯେ, ଯୋଜନା ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁନାହିଁ। ଫଳରେ ଯୁବତୀ ଯୁବକ ଆଗ୍ରହ ପ୍ରକାଶ କରୁନାହାନ୍ତି । ପ୍ରଶିକ୍ଷଣ ଦେବା ସହ କିଛି ପରିମାଣରେ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦିଆଯିବା ଉଚିିତ । ନ ହେଲେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ିଚାଲିଥିବ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri