ଏନ୍‌ଜିଟିକୁ ଗଲା ମାମଲା


ଭୁବନେଶ୍ୱର,୫।୧୦(ବ୍ୟୁରୋ)/ନୂଆଦିଲ୍ଲୀ(ସ୍ବ.ପ୍ର.): ବିବାଦୀୟ ପୋଲାଭରମ ପ୍ରକଳ୍ପ ମାମଲା ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି)ରେ ପହଞ୍ଚିଛି। ପୋଲାଭରମ୍‌ ପ୍ରକଳ୍ପକୁ ଆରମ୍ଭରୁ ବିରୋଧ କରିଆସୁଥିବା ତେଲେଙ୍ଗାନାର ସ୍ବେଚ୍ଛାସେବୀ ସଙ୍ଗଠନ ରେଲା ପକ୍ଷରୁ ଦିଲ୍ଲୀ ଏନ୍‌ଜିଟିରେ ଗୁରୁବାର ଏକ ପିଟିଶନ ଦାଏର କରାଯାଇଛି। ଆନ୍ଧ୍ର ସରକାର ୨୦୧୮-୧୯ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଯୋଜନା କରିଥିବାବେଳେ ଏହି ପ୍ରକଳ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା କରି ସଙ୍ଗଠନ ଏନ୍‌ଜିଟିରେ ମାମଲା ଦାଏର କରିଛି। ସଙ୍ଗଠନ ପିଟିଶନରେ ୪ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା ଏବଂ ଛତିଶଗଡ଼କୁ ପକ୍ଷଭୁକ୍ତ କରିଛି । ଆନ୍ଧ୍ର ସରକାର ଏନ୍‌ଜିଟିରେ ଯୁକ୍ତି ବାଢ଼ିଥିଲେ ଯେ, ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏନ୍‌ଜିଟିରେ ମାମଲା ଚାଲିବାର କୌଣସି ଯଥାର୍ଥତା ନାହିଁ। କିନ୍ତୁ ସଙ୍ଗଠନ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଯେହେତୁ ଏହି ପ୍ରକଳ୍ପ ଦ୍ୱାରା ପରିବେଶ ନିୟମର ଉଲ୍ଲଂଘନ ହେଉଛି, ଧାର୍ଯ୍ୟ ଉଚ୍ଚତାଠାରୁ ପ୍ରକଳ୍ପର ଉଚ୍ଚତା ଅଧିକ ରହିଛି ଏବଂ କ୍ଷତିଗ୍ରସ୍ତ ଅଞ୍ଚଳରେ ଜନଶୁଣାଣି ହୋଇନାହିଁ ତେଣୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ଏହି ଶୁଣାଣି ପରେ ଟ୍ରିବ୍ୟୁନାଲ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୧୧କୁ ଧାର୍ଯ୍ୟ କରିଛନ୍ତି। ପୋଲାଭରମ ପ୍ରକଳ୍ପ ନିର୍ମାଣ ୨୦୧୮ ସୁଦ୍ଧା ଶେଷ କରିବାକୁ ଆନ୍ଧ୍ରପ୍ରଦେଶ ସରକାର ଜୋରସୋର ଉଦ୍ୟମ କରୁଛନ୍ତି। ନିକଟରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରି ପ୍ରକଳ୍ପ ଅଞ୍ଚଳ ବୁଲି ଫେରିବା ପରେ ଗଣମାଧ୍ୟମକୁ କହିଥିଲେ ଯେ ଏହି ପ୍ରକଳ୍ପ ନିର୍ମାଣ ୨୦୧୯ ମଧ୍ୟ ଭାଗରେ ଶେଷ ହେବ। ଅପରପକ୍ଷରେ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାର ପ୍ରଭାବିତ ରାଜ୍ୟଗୁଡିକର ସ୍ବାର୍ଥକୁ ଅଣଦେଖା କରି ପ୍ରକଳ୍ପ ନିର୍ମାଣ କରି ଚାଲିଛନ୍ତି। ଓଡିଶା ସରକାର ଏହି ପ୍ରକଳ୍ପର ଉଚ୍ଚତାକୁ କମାଇବା ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଡୋଶୀ ଛତିଶଗଡ, ତେଲେଙ୍ଗାନା ଏବଂ ଓଡିଶା ସରକାରଙ୍କ ଦାବିକୁ ହେୟଜ୍ଞାନ କରୁଥିବାରୁ ମାମଲା ସୁପ୍ରିମକୋର୍ଟକୁ ଯାଇଛି। ଏଭଳି ସ୍ଥିତିରେ ପୋଲାଭରମ୍‌କୁ ନେଇ ରାଜ୍ୟରେ ବିଜେଡି ଓ ଭାଜପା ପରସ୍ପର ଉପରକୁ କାଦୁଅ ଫିଙ୍ଗିବା ଆରମ୍ଭ କରିଛନ୍ତି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ କେନ୍ଦ୍ରରେ ଭାଜପା ସରକାର ଆସିବା ପରଠାରୁ ଏହି ପ୍ରକଳ୍ପକୁ ନେଇ ଆନ୍ଧ୍ର ସରକାରଙ୍କୁ ସମର୍ଥନ ଦେଇ ଆସିଛନ୍ତି। ତେଣୁ ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯାଇଛନ୍ତି। ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ପୋଲାଭରମ ପ୍ରକଳ୍ପ ନେଇ ଆନ୍ଧ୍ର ସହ ଚୁକ୍ତି କରିଛନ୍ତି। ଯଦି ରାଜ୍ୟ ସରକାର ଭାବୁଛନ୍ତି ଓଡିଶାର କ୍ଷତି ହେଉଛି ତେବେ ଚୁପ ହୋଇ କାହିଁକି ବସିଛନ୍ତି। କୋର୍ଟକୁ ଯାଆନ୍ତୁ ଆମେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରିବୁ ବୋଲି ସେ କହିଛନ୍ତି। ପୋଲାଭରମ୍‌ ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଭାବେ ମାମଲା ରୁଜୁ କରାଯାଇଛି । ଏଥିରେ ଯେଉଁ ବିକଳ୍ପ ପ୍ରସ୍ତାବ ରଖାଯାଇଛି ସେଥିରେ ପ୍ରକଳ୍ପ ଡ୍ୟାମ୍‌ର ଉଚ୍ଚତା ୧୫୦ ଫୁଟ ବଦଳରେ ୧୧୦ରୁ ୧୧୫ ଫୁଟ ମଧ୍ୟରେ ସୀମିତ ରଖିବା ପାଇଁ କୁହାଯାଇଛି। ଏହା ହେଲେ ଓଡ଼ିଶାର କୌଣସି କ୍ଷତି ଘଟିବ ନାହିଁ । ଏହି ପ୍ରସ୍ତାବ ଗ୍ରହଣଯୋଗ୍ୟ ନ ହେଲେ ପ୍ରକଳ୍ପର ସ୍ଥାନ ପରିବର୍ତ୍ତନ କରି ପ୍ରସ୍ତାବିତ ସ୍ଥାନଠାରୁ ଉପରମୁଣ୍ଡରେ କରିବା ପାଇଁ ଆଉ ଏକ ପ୍ରସ୍ତାବ ଦିଆଯାଇଛି । ଉକ୍ତ ଦୁଇଟି ପ୍ରସ୍ତାବ ମଧ୍ୟରୁ ଯେକୌଣସି ପ୍ରସ୍ତାବ ଗ୍ରହଣଯୋଗ୍ୟ ହେଲେ ପ୍ରକଳ୍ପ ନେଇ ଓଡ଼ିଶାର କୌଣସି ଆପତ୍ତି ରହିବ ନାହିଁ ବୋଲି ଦର୍ଶାଯାଇଛି । କାରଣ ଆନ୍ଧ୍ର ସରକାର ଡ୍ୟାମ୍‌ର ଉଚ୍ଚତା ୧୫୦ ଫୁଟ ଓ ତା’ଠାରୁ ଅଧିକ କରିବା ପାଇଁ ଯୋଜନା କରିଛନ୍ତି। ଏହାଦ୍ୱାରା ଓଡ଼ିଶାର ଜଙ୍ଗଲ ଅଞ୍ଚଳ ସମେତ ୧୨୩୦ ଏକର ଜମି ସହ ମାଲକାନଗିରି ଜିଲାର ମୋଟୁ ତହସିଲ ଅନ୍ତର୍ଗତ ୧୧ଟି ଗାଁ ପାଣିରେ ବୁଡିଯିବ। ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ବାସହରା ହେବେ। ମାଲକାନଗିରି ଜିଲା ଏକ ନକ୍ସଲପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ଆଦିବାସୀଙ୍କୁ ବାସଚ୍ୟୁତ କରାଗଲେ ଅଧିକ ସମସ୍ୟା ଦେଖାଦେବ ବୋଲି କୁହାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri